ଭୁବନେଶ୍ବର: ଓଡ଼ିଶାର ଏକ କୋଇଲା ଖଣିର ଆବଣ୍ଟନ ବାତିଲ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଟାଟା ଷ୍ଟିଲ୍ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସୁଧ ସହିତ ୭୫୭.୧୪ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି। ଏହି ମାମଲାରେ କମ୍ପାନି କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଏବଂ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମକୁ ପକ୍ଷଭୁକ୍ତ କରିଛି। ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୧ରେ ହେବ। ଅନୁଗୁଳ ଜିଲ୍ଲାରେ ଥିବା ନୂଆ ପାତ୍ରପଡ଼ା କୋଇଲା ଖଣିକୁ ପୂର୍ବରୁ ଥିବା ଭୂଷଣ ଷ୍ଟିଲ୍କୁ ଆବଣ୍ଟନ କରାଯାଇଥିଲା। ଭୂଷଣ ଦେବାଳିଆ ହୋଇପଡ଼ିବା ପରେ ତାହାକୁ ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଅଧୀନରେ ଟାଟା ଷ୍ଟିଲ୍ ୨୦୧୮ ମେ’ରେ ଅଧିଗ୍ରହଣ କରିଥିଲା। ୨୦୧୧ ନଭେମ୍ବରରେ ତାହାକୁ ଟାଟା ଷ୍ଟିଲ୍ ସହ ମିଶାଇ ଦିଆଯାଇଥିଲା। ମେରାମଣ୍ଡଳୀରେ ଥିବା ଏହି କାରଖାନା ଏବେ ଟାଟା ଷ୍ଟିଲ୍ ବିଏସ୍ଏଲ୍ ନାମରେ ପରିଚାଳିତ ହେଉଛି।
ଟାଟା ଷ୍ଟିଲ୍ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଥିବା ରିଟ୍ ପିଟିସନ୍ରେ ଅବଗତ କରାଯାଇଛି ଯେ ନୂଆ ପାତ୍ରପଡ଼ା କୋଇଲା ଖଣିକୁ ବିକାଶ କରିବାରେ କମ୍ପାନି ବିପୁଳ ଖର୍ଚ୍ଚ କରିଥିଲା। ୨୦୧୪ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେହି ଖଣିର ଆବଣ୍ଟନ ବାତିଲ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ତାହାକୁ ପୁଣି ଥରେ ନିଲାମ କରାଯାଇଥିଲା। ୨୦୨୪ରେ ସେହି କୋଇଲା ଖଣିକୁ ଏନ୍ଏଲ୍ସି ଇଣ୍ଡିଆ ନିଲାମରେ ପାଇଛି। ସେଥିରେ ୭୨୦.୮୭ ନିୟୁତ ଟନ୍ କୋଇଲା ଥିବା ଆକଳନ କରାଯାଇଛି। ଖଣିର ବାର୍ଷିକ କ୍ଷମତା ହେଉଛି ୧୨ ନିୟୁତ ଟନ୍।