ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଖଣି ନିଲାମ ପ୍ରକ୍ରିୟାରେ ଗୋଆର କଂପାନି ସୋସାଇଡାଡ୍ ଡି ଫୋମେଣ୍ଟୋ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ହାସଲ କରିଛି। ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ହାରାହାରି ବିକ୍ରି ମୂଲ୍ୟ ଉପରେ ୧୪୧.୨୫% ପ୍ରିମିୟମ୍ ପ୍ରଦାନ କରି କଂପାନି ଏହି ଖଣିକୁ ହାସଲ କରିଛି। କୋଇଡ଼ା ଖଣି କ୍ଷେତ୍ରରେ ଥିବା ଏହି ଖଣି ହେଉଛି ରାଜ୍ୟର ଅନ୍ୟତମ ପୁରୁଣା ଖଣି। ୧୯୬୧ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ପୂର୍ବରୁ ଏହି ଖଣିର ଲିଜ୍ ବଣାଇ ଇଣ୍ଡଷ୍ଟ୍ରିଆଲ୍ କଂପାନି ଲିମିଟେଡ୍ (ବିକୋ) ପାଖରେ ଥିଲା। ଏହି ଖଣିକୁ ପାଇବା ଦୌଡ଼ରେ ଥିଲେ ୟାଜ୍ଦାନି, ଟିପି ସାଓ, ବିଆର୍ପିଏଲ୍, ଲାଲ୍ ଟ୍ରେଡର୍ସ, ବଣାଇ ଇଣ୍ଡଷ୍ଟ୍ରିଆଲ୍ କଂପାନି ଲିମିଟେଡ୍, ବିଶାଲ୍ ଏଲ୍ପିଜି, ଜେଏସ୍ପିଏଲ୍, ଇଷ୍ଟର୍ଣ୍ଣ ରେଞ୍ଜ୍, ମିତ୍ତଲ୍ ଓ ଫେମେଣ୍ଟୋ।
ଆଜି ଗୋରୁମହିଷାଣି ଲୁହା ପଥର ଖଣିର ନିଲାମ ଚାଲିଛି। ମୟୁରଭଞ୍ଜରେ ଥିବା ଏହି ଖଣିକୁ ପାଇବା ଦୌଡ଼ରେ ୧୧ଟି କଂପାନି ରହିଛନ୍ତି। ଏହି ଖଣିରେ ୧୭.୬୦ ନିୟୁତ ଟନ୍ ଲୁହା ପଥର ଗଚ୍ଛିତ ରହିଛି।ଏହା ପୂର୍ବରୁ ନିଲାମରେ ମହୁଲଶୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲସ୍ ପ୍ରାଇଭେଟ୍ ଲିମିଟେଡସ୍ ହାସଲ କରିଥିଲା। ବର୍ତ୍ତମାନ ସୁଦ୍ଧା ଜେଏସ୍ଡବ୍ଲୁ ଷ୍ଟିଲ୍ ଚାରିଟି ଖଣି-ନୂଆଗାଁ, ନାରାୟଣପୋଷୀ, ଗଣୁଆ ଓ ଯଜାଙ୍ଗ୍ ଖଣିକୁ ହାସଲ କରିପାରିଛି। ବାଲ୍ଦା ଖଣିକୁ ଦସିରାଜୁଦ୍ଦିନ୍ ହାସଲ କରିଥିବା ବେଳେ ଠାକୁରାଣି ଖଣିକୁ ଆର୍ସେଲର ମିତ୍ତଲ ହାତେଇଛି। କେ ନରଭେରାମ୍ ରୋଇଡା-୨ ଖଣିକୁ ପାଇଛି।