ଭୁବନେଶ୍ବର, ୧୮/୧୦(ଇମିସ): ଚଳିତ ବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୨,୭୬୦ ବୃଦ୍ଧି ହୋଇଛି। ଫଳରେ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୦ ଲକ୍ଷ ୧୧ ହଜାର ୯୧୩କୁ ବୃଦ୍ଧି ପାଇଛି। ରାଜ୍ୟରେ ହାରାହାରି ପ୍ରତି ୧୦୦ ଜଣରେ ୭୫ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି। ଅଗଷ୍ଟ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ବିଏସ୍ଏନ୍ଏଲ୍ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଆଇଡିଆ କିଛି ପୁରୁଣା ଗ୍ରାହକଙ୍କୁ ହରାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୨ ଅଗଷ୍ଟରେ ରିଲାଏନ୍ସ ଜିଓ ସର୍ବାଧିକ ୮୩,୧୪୮ ନୂଆ ଗ୍ରାହକ ଯୋଡ଼ିଛି।
ଫଳରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୩୭ ଲକ୍ଷରୁ ଅଧିକ ହୋଇଛି। ଏୟାରଟେଲ୍ ୨୦,୯୦୩ ନୂଆ ଗ୍ରାହକ ଯୋଡ଼ିବାରୁ ଏହାର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧ କୋଟି ୧୨ ଲକ୍ଷରୁ ଅଧିକ ହୋଇଛି। ଏହି ଦୁଇ ସଂସ୍ଥା ପାଖରେ ରାଜ୍ୟର ସିଂହ ଭାଗ ମୋବାଇଲ୍ ଗ୍ରାହକ ରହିଛନ୍ତି। ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ୍ ଅଗଷ୍ଟ ମାସରେ ରାଜ୍ୟରେ ୧୨,୯୬୩ ନୂଆ ଗ୍ରାହକ ଯୋଡ଼ିବାରୁ ଏହାର ଗ୍ରାହକ ସଂଖ୍ୟା ୬୩ ଲକ୍ଷ ୧୬ ହଜାର ୭୭୨ରେ ପହଞ୍ଚିଛି। ଭୋଡାଫୋନ୍ ଆଇଡିଆ କିନ୍ତୁ ଆଲୋଚ୍ୟ ମାସରେ ୨୪,୨୫୨ ଜଣ ଗ୍ରାହକଙ୍କୁ ହରାଇଛି। ଓଡ଼ିଶାରେ ଏହାର ଗ୍ରାହକ ସଂଖ୍ୟା ୧୬ ଲକ୍ଷ ୮୦ ହଜାର ୮୪୮କୁ ହ୍ରାସ ପାଇଛି।