ଓଡ଼ିଶାର ପ୍ରଦୀପ୍ତୋ ଏବେ ମୋବାଇଲ୍‌ କଂପାନି ସିଇଓ

ଭୁବନେଶ୍ୱର: ଓଡ଼ିଶାର ଅନୁଗୁଳରେ ବଢ଼ିଥିବା ପ୍ରଦୀପ୍ତୋ ଗାଙ୍ଗୁଲି ଏବେ ଦେଶର ଏକ ପ୍ରମୁଖ ମୋବାଇଲ୍‌ କଂପାନିର ସହ ପ୍ରତିଷ୍ଠାତା ଓ ସିଇଓ ଭାବେ କାମ କରୁଛନ୍ତି। ଆଇଭିଭୋ ବ୍ରାଣ୍ଡ୍‌ ନାମରେ ଏହି କଂପାନି ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ବିକ୍ରି କରୁଛି। ନିଜ ଯାତ୍ରା ବିଷୟରେ ପ୍ରଦୀପ୍ତୋ କହିଛନ୍ତି ଯେ, ଅନୁଗୁଳ ଭଳି ଏକ କ୍ଷୁଦ୍ର ସହରରୁ ଆସି ମେଟ୍ରୋ ସହରରେ ଏକ ମୋବାଇଲ୍‌ କଂପାନି ସ୍ଥାପନ କରିବା ପର୍ଯ୍ୟନ୍ତ ଯାତ୍ରା ବେଶ କଷ୍ଟକର ଥିଲା। ମାତ୍ର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଏହା ସମ୍ଭବ ହୋଇପାରିଛି। ୨୦୧୭ରେ ମୁଁ ଓ ଅନ୍ୟ କିଛି ସାଥୀ ମିଶି ବ୍ରିଟ୍‌ଜୋ ନାମକ ସଂସ୍ଥା ସ୍ଥାପନ କରିଥିଲୁ। କ୍ଷୁଦ୍ର ସହର ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଆଇଭିଭୋ ବ୍ରାଣ୍ଡ୍‌ ନାମରେ ମୋବାଇଲ୍‌ ଫୋନ୍‌ ପ୍ରସ୍ତୁତ କରି ବିକ୍ରି କରୁଛୁ। ଏବେ ୧୭ଟି ରାଜ୍ୟରେ ଆମର କାରବାର ରହିଛି। ବ୍ରିଟ୍‌ଜୋର ବଜାରରେ ୭ଟି ଫିଚର୍‌ ଫୋନ୍‌ ଓ ଦୁଇଟି ସ୍ମାର୍ଟଫୋନ୍‌ ରହିଛି। ଫିଚର୍‌ ଫୋନ୍‌ର ମୂଲ୍ୟ ୬୪୯ ଟଙ୍କାରୁ ଆରମ୍ଭ ହୋଇଛି। କଂପାନି ସ୍କିକର୍‌ ବ୍ରାଣ୍ଡ୍‌ ନାମରେ ୪ଜି ଫିଚର୍‌ ଫୋନ୍‌ ଆଣିବାକୁ ଲକ୍ଷ୍ୟ ରଖିଛି। ପ୍ରଦୀପ୍ତୋ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୧୯୯୮ରେ ମାରିକୋରେ ଯୋଗ ଦେଇଥିଲେ। ଏହା ପରେ ଏୟାରଟେଲ୍‌ ଓ ସାମସଙ୍ଗ୍‌ ଭଳି ସଂସ୍ଥା ପାଇଁ କାମ କରିଥିିଲେ। ବିଭିନ୍ନ ସଂସ୍ଥା ପାଇଁ କାମ କରିବା ପରେ ୨୦୧୭ ନଭେମ୍ବରରୁ ତାଙ୍କର ଉଦ୍ୟୋଗୀ ଭାବେ ଯାତ୍ରା ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ, ଓଡ଼ିଶା ସହିତ ମୋର ଗଭୀର ସମ୍ପର୍କ ରହିଛି। ମୁଁ ମୋର ପ୍ରଥମ ଘର ଓଡ଼ିଶାରେ କିଣିଥିଲି ଓ ସେହି ଅନୁଭୂତି ଅତ୍ୟନ୍ତ ରୋମାଞ୍ଚକର ଥିଲା। ବ୍ରିଟ୍‌ଜୋର ମୋବାଇଲ୍‌କୁ ଓଡ଼ିଶା ବଜାରରେ ବିକ୍ରି କରିବା ମୋ ପାଇଁ ଥିଲା ଏକ ଅନନ୍ୟ ଅନୁଭୂତି। ରାଜ୍ୟରେ ଆମ କଂପାନିର ଫୋନ୍‌କୁ ଗ୍ରାହକମାନେ ପସନ୍ଦ କରୁଛନ୍ତି। ଏଠାରେ ୫% ବଜାର ଅଂଶ ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଆଗାମୀ ଦିନରେ ଏଲ୍‌ଇଡି ଟିଭି ଓ ମୋବାଇଲ୍‌ ଫୋନ୍‌ର ବିଭିନ୍ନ ଆକ୍‌ସେସୋରିଜ୍‌ ଉତ୍ପାଦନ କରିବା ପାଇଁ ବ୍ରିଟ୍‌ଜୋ ଲକ୍ଷ୍ୟ ରଖିଛି। ଏଥି ସହିତ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର