ନିବେଶ ପାଇଁ ଓଡ଼ିଶା ପସନ୍ଦର ସ୍ଥାନ ରିପୋର୍ଟ: ୪ ବର୍ଷରେ ୩.୮୨ ଲକ୍ଷ କୋଟି ନୂଆ ନିବେଶ

ଖଣିଜ, କୃଷିଜାତ ସାମଗ୍ରୀ ରପ୍ତାନିରେ ବୃଦ୍ଧି

ଭୁବନେଶ୍ବର: ଗତ ଚାରିଟି ଆର୍ଥିକ ବର୍ଷରେ ଓଡ଼ିଶାରେ ୩.୮୨ ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ପ୍ରକଳ୍ପ ଘୋଷଣା କରାଯାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୮-୧୯ରେ ରାଜ୍ୟରେ ୧,୨୦,୮୫୫ କୋଟି ଟଙ୍କାର ନୂଆ ନିବେଶ ପ୍ରକଳ୍ପ ଘୋଷଣା କରାଯାଇଥିଲା। ସରକାର ୧୬,୨୨୪ କୋଟି ଟଙ୍କା ଓ ଅଣ ଆର୍ଥିକ କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡ଼ିକ ୧,୨୦,୩୮୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଥିଲେ। ୨୦୧୯-୨୦ରେ ମୋଟ ୪୬,୫୬୦ କୋଟି ଟଙ୍କାର ନୂଆ ନିବେଶ ଘୋଷଣା କରାଯାଇଥିଲା। ୨୦୨୦-୨୧ରେ ୧,୧୧,୬୭୯ କୋଟି ଟଙ୍କା ଓ ୨୦୨୧-୨୨ରେ ୧,୦୨,୮୮୦ କୋଟି ଟଙ୍କାର ନିବେଶ ପ୍ରକଳ୍ପ ଘୋଷଣା କରାଯାଇଥିଲା।

ବିଲ୍‌ମାର୍ଟ ଫିନ୍‌ଟେକ୍‌ ଓ ଏମ୍‌ଏସ୍‌ଏମ୍ଇ ରପ୍ତାନି ବିକାଶ ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ନିବେଶକମାନଙ୍କ ପାଇଁ ଓଡ଼ିଶା ପସନ୍ଦର ନିବେଶ ସ୍ଥଳ ‌ହୋଇ ରହିଛି’ ରିପୋର୍ଟକୁ ଏମ୍ଏସ୍‌ଏମ୍ଇ ଇପିସିର ଅଧ୍ୟକ୍ଷ ଡ. ଡି ଏସ୍‌ ରାୱତ ଆଜି ଉନ୍ମୋଚନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ସରକାରୀ କ୍ଷେତ୍ରରେ ୧୬,୨୨୪ କୋଟି ଟଙ୍କା, ୨୦୧୯-୨୦ରେ ୨୫,୦୭୯ କୋଟି ଟଙ୍କା, ୨୦୨୦-୨୧ରେ ୧୩,୯୦୭ କୋଟି ଟଙ୍କା ଓ ୨୦୨୧-୨୨ରେ ୭,୧୪୫ କୋଟି ଟଙ୍କାର ନିବେଶ ପ୍ରକଳ୍ପ ଘୋଷଣା କରାଯାଇଛି।

ଓଡ଼ିଶା ପାଇଁ ‌ଘୋଷଣା ହେଉଥିବା ପ୍ରକଳ୍ପ କାର୍ଯ୍ୟକାରିତାରେ ମଧ୍ୟ ଉନ୍ନତି ହୋଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରିତା ହାର ୪୭.୪ ପ୍ରତିଶତରେ ପହଞ୍ଚିଛି। ରପ୍ତାନି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ୨୦୧୬-୧୭ରେ ରାଜ୍ୟରୁ ୪୦,୭୦୫ କୋଟି ଟଙ୍କା, ୨୦୧୭-୧୮ରେ ୪୮,୮୯୨ କୋଟି ଟଙ୍କା, ୨୦୧୮-୧୯ରେ ୪୪,୧୧୯ କୋଟି ଟଙ୍କା ଓ ୨୦୨୦-୨୧ରେ ୭୭,୫୯୫ କୋଟି ଟଙ୍କାର ରପ୍ତାନି ହୋଇଛି। ୨୦୧୬-୧୭ରେ ଓଡ଼ିଶାରୁ ୪,୩୦୫ କୋଟି ଟଙ୍କାର ପେଟ୍ରୋଲିୟମ୍ ଓ ଅଶୋଧିତ ଉତ୍ପାଦ ରପ୍ତାନି ହୋଇଥିଲା। ୨୦୨୦-୨୧ ସୁଦ୍ଧା ରପ୍ତାନି ପରିମାଣ ୬,୦୪୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅଣ ପେଟ୍ରୋଲିୟମ୍ ଓ କୃଷିଜାତ ସାମଗ୍ରୀ ରପ୍ତାନି ୨୦୧୬-୧୭ରେ ୨,୭୬୦ କୋଟି ଟଙ୍କା ଥିଲା। ୨୦୨୦-୨୧ ସୁଦ୍ଧା ତାହା ୩,୩୮୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଖଣିଜ ରପ୍ତାନି ୨୦୧୬-୧୭ରେ ୮,୪୫୯ କୋଟି ଟଙ୍କା ଥିଲା। ୨୦୨୦-୨୧ ସୁଦ୍ଧା ତାହା ୨୬,୧୪୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ଓଡ଼ିଶାରେ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ରପ୍ତାନିରେ ୭୫% ବୃଦ୍ଧି ହୋଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ବେକାରି ହାର ୧୫.୭ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ୨୦୧୯ର ଶେଷ ତ୍ରୈମାସିକରେ ବେକାରି ହାର ୧୦.୮ ପ୍ରତିଶତ ଥିଲା ଯାହା ୨୦୨୧ର ପ୍ରଥମ ତ୍ରୈମାସିକ ସୁଦ୍ଧା ୧୩.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏଭଳି ସ୍ଥିତି ସତ୍ତ୍ବେ ସରକାରଙ୍କ ଉଦ୍ୟମ ଯୋଗୁଁ କରୋନା ମହାମାରୀ ସମୟରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ୨୦୨୦-୨୧ରେ ଏକ ଲକ୍ଷରୁ ଅଧିକ ସଦସ୍ୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ସାମିଲ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଅବସରରେ ଗୌରବ ଗୁପ୍ତା ଓ ଜିଗିଶ ସୋନାଗର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର