ନୂଆଦିଲ୍ଲୀ: ଦେଶରେ ମୁଣ୍ଡପିଛା ଆୟ ୨୦୧୯-୨୦ ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୨,୧୧,୭୨୫ ଟଙ୍କା ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି। କିଛି ରାଜ୍ୟ ଏକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁଣ୍ଡପିଛା ଆୟ ବଢ଼ାଇବାରେ ସବୁ ରାଜ୍ୟକୁ ପଛରେ ପକାଇ ଦେଇଛି ଛୋଟ ରାଜ୍ୟ ସିକିମ୍। ତାହାର ମୁଣ୍ଡପିଛା ଆୟ ୭ ଲକ୍ଷ ୭ ହଜାର ୧୮୧ ଟଙ୍କା ରହିଛି। ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ତେଲେଙ୍ଗାନାରେ ମୁଣ୍ଡପିଛା ଆୟ ସିକିମ୍‌ ତୁଳନାରେ ପାଖାପାଖି ଅଧା (୩,୯୩,୩୮୫ ଟଙ୍କା) କମ୍। ମୁଣ୍ଡପିଛା ଆୟ କ୍ଷେତ୍ରରେ ୧,୮୩,୭୬୭ ଟଙ୍କା ସହ ଓଡ଼ିଶା ୧୫ତମ ସ୍ଥାନରେ ରହିଛି। ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ କମ୍ ରହିଛି। ବିହାରର ମୁଣ୍ଡପିଛା ଆୟ ସର୍ବନିମ୍ନ ୬୬୮୨୮ ଟଙ୍କା ରହିଛି। 

Advertisment

ଅର୍ଥ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ପ୍ରଥମ ପାଞ୍ଚଟି ସ୍ଥାନରେ ରହିଛନ୍ତି ସିକିମ୍, ତେଲେଙ୍ଗାନା, କର୍ଣ୍ଣାଟକ (୩,୬୮,୦୮୫ ଟଙ୍କା), ହରିୟାଣା (୩,୬୧,୯୯୩ ଟଙ୍କା) ଓ ତାମିଲନାଡୁ (୩,୫୩,୪୮୩ ଟଙ୍କା)। ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ଏମାନଙ୍କ ପଛକୁ ରହିଛନ୍ତି ମହାରାଷ୍ଟ୍ର (୩,୧୮୫୬୦ ଟଙ୍କା), କେରଳ (୩,୧୭,୭୨୩ ଟଙ୍କା), ଉତ୍ତରାଖଣ୍ଡ (୩,୯୫,୭୯୧ ଟଙ୍କା), ହିମାଚଳ ପ୍ରଦେଶ (୨୭୬,୯୪୩ ଟଙ୍କା) ଓ ଆନ୍ଧ୍ରପ୍ରଦେଶ (୨୭୦୨୯୫ ଟଙ୍କା)। 

ଦେଶର ୧୧ଟି ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ଅଧିକ ରହିଛି। ଆସାମ, ତ୍ରିପୁରା‌, ରାଜସ୍ଥାନ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ମେଘାଳୟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ବିହାରର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ କମ୍ ରହିଛି।  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ଅନୁସାରେ ୨୦୨୪ ଅକ୍ଟୋବର ସୁଦ୍ଧା ମୁଣ୍ଡପିଛା ଆୟ କ୍ଷେତ୍ରରେ ଭାରତର ସ୍ଥାନ ୧୪୨ ରହିଛି। କ୍ରୟ ଶକ୍ତି ସମାନତା ଅନୁସାରେ ଏହା ୧୨୫ତମ ସ୍ଥାନରେ ରହିଛି। ଗତ ଅକ୍ଟୋବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମୁଣ୍ଡପିଛା ଆୟ ୨୩୭୦ ଡଲାରରେ ପହଞ୍ଚିବାକୁ ଭାରତକୁ ୭୫ ବର୍ଷ ସମୟ ଲାଗିଥିଲା। କିନ୍ତୁ ତାହା ଆଉ ୨୦୦୦ ଡଲାର ବଢ଼ିବା ଲାଗି ମାତ୍ର ୫ ବର୍ଷ ସମୟ ଲାଗିଛି। ଆସନ୍ତା ପାଞ୍ଚ ବର୍ଷ ଭିତରେ ଦେଶର ମୁଣ୍ଡପିଛା ଆୟ ଦ୍ବିଗୁଣିତ ହେବ ବୋଲି ସେ ଆଶାବାଦୀ ରହିଛନ୍ତି।