ଭୁବନେଶ୍ବର: ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବା ଲାଗି ସରକାର କରୁଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯାଏ, ଯାହାର ଦୀର୍ଘକାଳୀନ ଲାଭ ମିଳିଥାଏ। ସେହି ବ୍ୟୟ କରୁଥିବା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ବ୍ୟାଙ୍କ ଅଫ୍‌ ବରୋଦାର ଏକ ରିପୋର୍ଟ ଅନୁସାରେ ୨୦୨୫-୨୬ରେ ୨୬ଟି ରାଜ୍ୟ ପୁଞ୍ଜି ବ୍ୟୟ ଆକାରରେ ୧୦.୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ। ସେଥିରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ବ୍ୟୟ କରିବେ। ସେଥିରୁ ୧୬.୯ ପ୍ରତିଶତ ରାଶି ଉତ୍ତରପ୍ରଦେଶ, ୧୦.୯ ପ୍ରତିଶତ ମହାରାଷ୍ଟ୍ର, ୮.୧ ପ୍ରତିଶତ ଗୁଜରାଟ, ୭.୫ ପ୍ରତିଶତ ମଧ୍ୟପ୍ରଦେଶ ଓ ୬.୪ ପ୍ରତିଶତ ଓଡ଼ିଶା ବ୍ୟୟ କରିବ। 

Advertisment

ରିପୋର୍ଟ ଅନୁଯାୟୀ, ୨୦୨୪-୨୫ରେ ରାଜ୍ୟଗୁଡ଼ିକ ୮,୭୧,୫୧୪ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଥିଲେ। ୨୦୨୬-୨୭ରେ ସେମାନେ ୧୦,୧୬,୬୫୨ କୋଟି ଟଙ୍କା ବ୍ୟୟ କରିବାକୁ ବଜେଟ୍‌ରେ ଘୋଷଣା କରିଛନ୍ତି। ଏହି ଦୁଇ ଆର୍ଥିକ ବର୍ଷରେ ଓଡ଼ିଶାର ପୁଞ୍ଜି ବ୍ୟୟ ଯଥାକ୍ରମେ ୫୫, ୩୯୨ କୋଟି ଟଙ୍କା ଓ ୬୫,୦୧୨ କୋଟି ଟଙ୍କା ରହିଛି। ପୂର୍ବବର୍ଷ ତୁଳନାରେ ଓଡ଼ିଶା ପ୍ରାୟ ୧୦ ହଜାର କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ବଜେଟ୍‌ରେ ଘୋଷଣା କରିଛି। ବିଭିନ୍ନ ରାଜ୍ୟର ବଜେଟ୍‌ ତଥ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ରାଜ୍ୟଗୁଡ଼ିକର ମୋଟ୍‌ ରାଜସ୍ବ ପ୍ରାପ୍ତି ୨୦୨୫-୨୬ରେ ୪୯.୭ ଲକ୍ଷ କୋଟି ଟଙ୍କା ରହିବ। ଏଥିରେ ନିଜସ୍ବ ଅଣ ଟିକସ ରାଜସ୍ବରେ ଓଡ଼ିଶାର ଭାଗ ସର୍ବାଧିକ ୧୪.୫ ପ୍ରତିଶତ ରହିଛି। ଓଡ଼ିଶା ପଛକୁ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଓ ରାଜସ୍ଥାନ ରହିଛନ୍ତି। ୨୦୨୫-୨୬ରେ ‌ଅନୁଦାନ ରାଶି ପାଇବାକୁ ଥିବା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ମୋଟ୍‌ ରାଶିରୁ ଓଡ଼ିଶାକୁ ୬.୪ ପ୍ରତିଶତ ମିଳିବ। ସର୍ବାଧିକ ଅନୁଦାନ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ। 

ଦେଶରେ ଓଡ଼ିଶା ସମେତ ୧୩ଟି ରାଜସ୍ବ ବଳକା ରାଜ୍ୟ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ, ସିକିମ୍, ମେଘାଳୟ ଓ ଉତ୍ତରପ୍ରଦେଶ। ରାଜ୍ୟଗୁଡ଼ିକର ଯେଉଁ ପ୍ରତିବଦ୍ଧ ଖର୍ଚ୍ଚ ରହିଛି, ସେଥି‌ରେ ପେନ୍‌ସନ୍ ଉପାଦାନରେ ଓଡ଼ିଶା, ତେଲେଙ୍ଗାନା, ହିମାଚଳପ୍ରଦେଶ, ନାଗାଲ୍ୟାଣ୍ଡ ଓ ବିହାର ଶ୍ରେ‌ଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟଗୁଡ଼ିକର ୮୯.୬ ପ୍ରତିଶତ ନିଜସ୍ବ ଟିକସ ଜିଏସ୍‌ଟି, ବିକ୍ରି କର ଓ ଅବକାରୀ ଟିକସରୁ ଆସୁଛି।