ଭୁବନେଶ୍ବର: ହ୍ବାଟ୍ସଆପ୍ ଓ ଅନ୍ୟାନ୍ୟ ବାର୍ତ୍ତା ପ୍ରେରଣର ବଳିଷ୍ଠ ମାଧ୍ୟମ ସତ୍ତ୍ବେ ଏସ୍ଏମ୍ଏସ୍ ଅଲୋଡ଼ା ହୋଇନାହିଁ। ବିଶେଷକରି ଓଡ଼ିଶା ଭଳି ରାଜ୍ୟରେ ଏବେ ବି ଏହାର ବହୁଳ ବ୍ୟବହାର ହେଉଛି। ଓଡ଼ିଶାର ମୋବାଇଲ ଫୋନ ବ୍ୟବହାରକାରୀମାନେ ମାସକୁ ପ୍ରାୟ ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି।
୨୦୨୫ ମାର୍ଚ୍ଚ ଶେଷରେ ପ୍ରକାଶ ପାଇଥିବା ଟ୍ରାଇର ତ୍ରୟମାସିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମୋବାଇଲ ବ୍ୟବହାରକାରୀଙ୍କ ମାସିକ ଏସ୍ଏମ୍ଏସ୍ ପଠାଇବା ସଂଖ୍ୟା ୧୬ ରହିଛି। ସାରା ଦେଶରେ ଟେଲିକମ୍ ସର୍କଲଗୁଡ଼ିକ ମଧ୍ୟରେ ଏସ୍ଏମ୍ଏସ୍ ପଠାଇବା କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।
ଦେଶରେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ କ୍ଷେତ୍ରରେ ସର୍ବାଧିକ ଏସ୍ଏମ୍ଏସ୍ ଆସାମର ଲୋକମାନେ ପଠାଉଛନ୍ତି। ସେଠାରେ ଏହି ସଂଖ୍ୟା ୨୩ ରହିଛି। ଏହା ପଛକୁ ଉତ୍ତର ପୂର୍ବ ସର୍କଲରେ ଏସ୍ଏମ୍ଏସ୍ ପଠାଇବା ସଂଖ୍ୟା ୨୨ ରହିଛି। ତୃତୀୟ ସ୍ଥାନରେ ଜମ୍ମୁ କାଶ୍ମୀର ଅଛି। ଜମ୍ମୁ କାଶ୍ମୀରରେ ମୋବାଇଲ ଫୋନ ବ୍ୟବହାରକାରୀମାନେ ମାସକୁ ୨୦ଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଏହା ପଛକୁ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିବା ଟ୍ରାଇ ତଥ୍ୟରେ କୁହାଯାଇଛି। ଓଡ଼ିଶାରେ ମାର୍ଚ୍ଚ ମାସରେ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ସାଢ଼େ ୩ କୋଟି ରହିଥିଲା। ରାଜ୍ୟରେ ଜଣପିଛା ଏସ୍ଏମ୍ଏସ୍ ପ୍ରେରଣ ୧୬ ରହିଥିବାରୁ ମୋବାଇଲ ଗ୍ରାହକଙ୍କ ସଂଖ୍ୟାଦୃଷ୍ଟିରୁ ରାଜ୍ୟବାସୀ ମାସିକ ମୋଟ ପାଖାପାଖି ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି।
ଅନ୍ୟପକ୍ଷରେ ଦେଶରେ ସବୁଠୁ କମ୍ ଏସ୍ଏମ୍ଏସ୍ କେରଳର ମୋବାଇଲ ଫୋନ ବ୍ୟବହାରକାରୀ ପଠାଉଛନ୍ତି। ସେଠାରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ପ୍ରେରଣ ୫ ରହିଛି। ଏହା ଉପରେ ତାମିଲନାଡ଼ୁ, ହରିୟାଣା, ପଞ୍ଜାବ ଓ ମୁମ୍ବାଇ ରହିଛନ୍ତି। ଏସବୁ ସର୍କଲରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ପ୍ରେରଣ ୭ ରହିଛି। ଏମାନଙ୍କ ଉପରେ ହିମାଚଳପ୍ରଦେଶ, କୋଲକାତା, ଦିଲ୍ଲୀ ଆଦି ସର୍କଲ ରହିଛନ୍ତି। ଏସବୁ ସ୍ଥାନରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ପ୍ରେରଣ ୮ରେ ରହିଛି। ଜାତୀୟସ୍ତରରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ୧୦ ରହିଥିବାବେଳେ ଓଡ଼ିଶା ଭଳି ରାଜ୍ୟରେ ଏହି ସଂଖ୍ୟା ଅଧିକ ରହିଛି। ଅନ୍ୟାନ୍ୟ ସର୍କଲ ତୁଳନାରେ ଓଡ଼ିଶା ଭଳି ରାଜ୍ୟରେ ୨ଜି ଗ୍ରାହକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏସ୍ଏମ୍ଏସ୍ ପ୍ରେରଣ ସଂଖ୍ୟା ଅଧିକ ରହୁଛି । ୪ଜି ଏବଂ ୫ଜିରେ ଗ୍ରାହକମାନେ କମ୍ବୋ ଅଫରରେ ଏସ୍ଏମ୍ଏସ୍ ସେବା ପାଉଛନ୍ତି। କିନ୍ତୁ ୨ଜି ଗ୍ରାହକଙ୍କୁ ପୃଥକ୍ ଭାବେ ଅର୍ଥ ଦେବାକୁ ପଡ଼ୁଛି।