ନୂଆଦିଲ୍ଲୀ : ନ୍ୟାସ୍ନାଲ କାଉନ୍ସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ (ଏନ୍ସିଏଇଆର) ଦ୍ୱାରା ସଦ୍ୟ ପ୍ରକାଶିତ ଲ୍ୟାଣ୍ଡ୍ ରେକର୍ଡସ୍ ଆଣ୍ଡ ସର୍ଭିସେସ୍ ଇଣ୍ଡେକ୍ସ (ଏନ୍-ଏଲ୍ଆର୍ଏସ୍ଆଇ)-୨୦୨୧ରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୨୦୧୯-୨୦ରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏଥର ଗୋଟିଏ ସ୍ଥାନ ତଳକୁ ଖସିଆସିଛି। ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ଜମିଜମା ସଂକ୍ରାନ୍ତ ରେକର୍ଡର ଡିଜିଟାଲ୍କରଣ ସମ୍ପର୍କରେ ପ୍ରକାଶ ପାଇଥିବା ସୂଚକାଙ୍କରେ ଓଡ଼ିଶାର ସଫଳତା ହାର ୭୭.୨ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଏଥର ଓଡ଼ିଶାର ସଫଳତା ହାର ୯.୭ ପ୍ରତିଶତ ଅଧିକା ଥିବା ସତ୍ତ୍ବେ ତୃତୀୟ ସ୍ଥାନରେ ରହିଛି।
୨୦୧୯-୨୦ରେ ଓଡ଼ିଶାର ସଫଳତା ହାର ୬୭.୫ ପ୍ରତିଶତ ଥିଲା। ଏଥର ସୂଚକାଙ୍କରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ତୃତୀୟ ସ୍ଥାନ ସହ ପ୍ରଥମ ୫ଟି ରାଜ୍ୟରେ ସାମିଲ ଅଛି। ଅନ୍ୟପକ୍ଷେ ଜମିଜମା ରେକର୍ଡର ଡିଜିଟାଲ୍କରଣ ପାଇଁ ନିର୍ଦ୍ଧାରିତ କରାଯାଇଥିବା ୪ଟି ମାପଦଣ୍ଡରୁ ଗୁଣବତ୍ତାରେ ଓଡ଼ିଶାକୁ ୪୦ରୁ ସର୍ବାଧିକ ୨୮.୯ ନମ୍ବର ମିଳିଛି। ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ରିପୋର୍ଟରେ ଓଡ଼ିଶାରେ ଡିଜିଟାଲ ସ୍ୱାକ୍ଷରିତ ରେକର୍ଡ ଅଫ୍ ରାଇଟ୍ସ ଉପଲବ୍ଧ ହେଉଥିବାର ଉଲ୍ଲେଖ କରାଯାଇଛି। ରାଜ୍ୟମାନଙ୍କୁ ରେକର୍ଡ ଗୁଡ଼ିକର ଅଧିକ ଗୁଣବତ୍ତା ଯାଞ୍ଚ ପାଇଁ କୁହାଯାଇଛି। ଏତଦ୍ବ୍ୟତୀତ କେନ୍ଦ୍ର ସରକାର ସୂଚକାଙ୍କରେ ଉତ୍ତମ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କୁ ପୁରସ୍କୃତ କରିବା ପାଇଁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/land-a.jpg)