ଓଡ଼ିଶା ପାଇଲା ଆଉ ୨୦୮ କୋଟି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅଷ୍ଟମ କିସ୍ତିରେ ୨୩ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଆଉ ୬୦୦୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାକୁ ସେଥିରୁ ୨୦୮.୦୮ କୋଟି ଟଙ୍କା ମିଳିଛି। ଗତ ୧୪ ତାରିଖରେ କେନ୍ଦ୍ର ସପ୍ତମ କିସ୍ତିର ଟଙ୍କା ଦେଇଥିଲା। ସାତ ଥରରେ ଓଡ଼ିଶା ମୋଟ ୧୭୪୬.୧୩ କୋଟି ଟଙ୍କା ପାଇଥିଲା। ଆଜି ଆଉ ୨୦୮.୦୮ କୋଟି ଟଙ୍କା ପାଇବା ପରେ ରାଜ୍ୟକୁ ମିଳିଥିବା ମୋଟ ଜିଏସ୍‌ଟି କ୍ଷତିପୂରଣ ରାଶି ୧୯୫୪.୨୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଶୀଘ୍ର ୨୧୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଦାବି କରି ଗତ ସପ୍ତାହରେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ମୋଟ ଆଠଟି କିସ୍ତିରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସମୁଦାୟ ୪୮ ହଜାର କୋଟି ଟଙ୍କା ଦେଇଛନ୍ତି।

ଆଜି ଅଷ୍ଟମ କିସ୍ତିରେ ରାଜ୍ୟଗୁଡ଼ିକୁ ୫୫୧୬.୬୦ କୋଟି ଟଙ୍କା ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବଳକା ୪୮୩.୪୦ କୋଟି ଟଙ୍କା ଦିଆଯାଇଛି। ପ୍ରତି କିସ୍ତିରେ କେନ୍ଦ୍ର ୬୦୦୦ କୋଟି ଟଙ୍କା ଲେଖାଏଁ ଦେଉଛି। ଅରୁଣାଚଳପ୍ରଦେଶ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ୍ ଓ ସିକିମ୍‌ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯାଇଥିବା କାରଣରୁ ରାଜସ୍ବରେ କୌଣସି ଅନ୍ତର ଦେଖାଦେଉନଥିବାରୁ ଏହି ୫ଟି ରାଜ୍ୟକୁ କ୍ଷତିପୂରଣ ରାଶି ଦିଆଯାଇନାହିଁ। ଯେଉଁ ରାଜ୍ୟଗୁଡ଼ିକ ଋଣ ଜରିଆରେ ୧୧.୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ବିକଳ୍ପକୁ ଚୟନ କରିଛନ୍ତି ସେମାନଙ୍କୁ ମୋଟ ଘରୋଇ ଉତ୍ପାଦର ୦.୫% ଅତିରିକ୍ତ ଋଣ ନେବା ଲାଗି ଅନୁମତି ଦିଆଯାଇଛି। ସେହି ଅନୁସାରେ ଓଡ଼ିଶା ପାଇଁ ୨୮୫୮ କୋଟି ଟଙ୍କା ଋଣ କରିବାର ସୁଯୋଗ ରହିଛି। ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଭିତରେ ମୁଲଚାଲ ଚାଲିଥିବା ବେଳେ ଯେଉଁ ରାଜ୍ୟ ପ୍ରଥମ ପ୍ରସ୍ତାବ (୧.୧୦ ଲକ୍ଷ କୋଟି ଟଙ୍କାର ଋଣ) ଗ୍ରହଣ କରିବେ ସେମାନଙ୍କୁ ଜିଡିପିର ଅତିରିକ୍ତ ୦.୫% ଋଣ କରିବାର ଅନୁମତି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର