୨ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜଣାଇବ ଓଡ଼ିଶା

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ଅନ୍ତର୍ଗତ ଜରିମାନା ବାବଦରେ ଆଦାୟ କରାଯାଇଥିବା ୧୩,୦୯୭ କୋଟି ଟଙ୍କାକୁ ରାଜ୍ୟ ସରକାର କିଭଳି ତଥା କେଉଁସବୁ ଅଞ୍ଚଳରେ ଖର୍ଚ କରିବେ ସେ ନେଇ ଦୁଇ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜଣାଇବେ। ଚଳିତମାସ ୬ ତାରିଖରେ ଖଣି ଲିଜଧାରୀମାନଙ୍କ ଦ୍ବାରା ଯେଉଁସବୁ ଏକାଧିକ ପ୍ରସ୍ତାବ ଦିଆଯାଇଥିଲା ସେ ସମ୍ପର୍କରେ ନିର୍ଧାରିତ ସମୟ ଅବଧିରେ ରାଜ୍ୟ ସରକାର ତାଙ୍କର ମତାମତ କୋର୍ଟକୁ ଜଣାଇ ପାରି ନଥିଲେ। ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ହୋଇଥିଲା। ବେଆଇନ ଖଣି ଖନନ ଜରିମାନା ଆଦାୟ ଟଙ୍କା ପ୍ରଭାବିତ ଅଞ୍ଚଳରେ ଖର୍ଚ ପାଇଁ ରାଜ୍ୟ ସରକାରଙ୍କ ମତାମତ ସମ୍ପର୍କରେ ତଥା ସ୍ବତନ୍ତ୍ର କାର୍ଯ୍ୟ ତଦାରଖ ପାଇଁ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ଗଠନ କରାଯିବା କମିଟି ସମ୍ପର୍କରେ ଜାଣିବା ପାଇଁ ଚାହିଥିଲେ। ତେବେ ରାଜ୍ୟ ସରକାରଙ୍କ ଓକିଲଙ୍କ ଦ୍ବାରା ମତାମତ ସମ୍ପର୍କରେ ଅବଗତ କରାଇବା ପାଇଁ ଦୁଇ ସପ୍ତାହର ମହଲତ ଲୋଡ଼ା ଯାଇଥିଲା, ଯାହାକୁ ସୁପ୍ରିମକୋର୍ଟ ମଞ୍ଜୁର କରିଥିଲେ। ମାମଲାର ପରବର୍ତୀ ଶୁଣାଣି ଦୁଇ ସପ୍ତାହ ପରେ‌ ହେବ।

ସମ୍ବନ୍ଧିତ ଖବର