ଭୁବନେଶ୍ବର: ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ‌ମାସକୁ ହାରାହାରି ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍‌ ସେମାନେ କଥା ହେଉଛନ୍ତି। ରାଜ୍ୟଗୁଡ଼ିକୁ ତୁଳନା‌ କଲେ ଦେଶରେ ଓଡ଼ିଶା ଗ୍ରାହକମାନେ ମୋବାଇଲରେ କଥାହେବା କ୍ଷେତ୍ରରେ ୪ର୍ଥ ସ୍ଥାନରେ ରହିଛନ୍ତି। ବିହାରର ମୋବାଇଲ ଫୋନ ଗ୍ରାହକମାନେ ସବୁଠୁ ଅଧିକ ଅର୍ଥାତ୍‌ ମାସକୁ ୧୩୮୦ ମିନିଟ୍ ବା ୨୩ ଘଣ୍ଟା କଥା ହେଉଛନ୍ତି। ବିହାର ପଛକୁ ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶ (ପୂର୍ବ) ସର୍କଲ ରହିଛି। ଏହି ସର୍କଲର ଗ୍ରାହକମାନେ ମାସିକ ହାରାହାରି ୧୨୭୫ ମିନିଟ ବା ୨୧ ଘଣ୍ଟା ୧୫ ମିନିଟ୍‌ କଥା ହେଉଛନ୍ତି। ତୃତୀୟ ସ୍ଥାନରେ ଜମ୍ମୁ କାଶ୍ମୀର ରହିଛି। ଏଠାକାର ଗ୍ରାହକମାନେ ମାସିକ ହାରାହାରି ୧୨୧୪ ମିନିଟ୍ ବା ୨୦ ଘଣ୍ଟା ୧୪ ମିନିଟ୍‌ କଥା ହେଉଛନ୍ତି। ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇର ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି। ରିପୋର୍ଟରୁ ଏହା ଜଣାଯାଇଛି ଯେ ଓଡ଼ିଶାର ଗ୍ରାହକମାନେ ମାସିକ ଯେଉଁ ୧୨୧୧ ମିନିଟ୍ କଥା ହେଉଛନ୍ତି ସେଥିରୁ ସେମାନଙ୍କର ଆଉଟଗୋଇଂ କଲ୍‌ ସମୟ ୬୦୦ ମିନିଟ୍ (୧୦ ଘଣ୍ଟା) ରହିଥିବାବେଳେ ଇନକମିଂ କଲ୍‌ ସମୟ ୬୧୧ ମିନିଟ୍ (୧୦ ଘଣ୍ଟା ୧୧ ମିନିଟ୍‌) ରହିଛି।

Advertisment

ଅନ୍ୟପକ୍ଷରେ କେରଳର ଗ୍ରାହକମାନେ ଦେଶରେ ସବୁଠୁ କମ୍‌ ସମୟ ଅର୍ଥାତ ମାସିକ ହାରାହାରି ୬୧୧ ମିନିଟ୍  ବା ୧୦ ଘଣ୍ଟା ୧୧ ମିନିଟ୍‌ ମୋବାଇଲ ‌ଫୋନରେ କଥା ହେଉଛନ୍ତି। ସବୁଠୁ କମ୍‌ ସମୟ କଥା ହେଉଥିବା ‌ରାଜ୍ୟ ବା ଟେଲିକମ୍‌ ସର୍କଲର ‌ମୋବାଇଲ ଗ୍ରାହକଙ୍କ ମଧ୍ୟରେ କେରଳ ବ୍ୟତୀତ ମୁମ୍ବାଇ, ଗୁଜରାଟ, ପଞ୍ଜାବ ଏବଂ ହରିୟାଣାର ଗ୍ରାହକମାନେ ଯଥାକ୍ରମେ ରହିଛନ୍ତି। ମୁମ୍ବାଇର ଗ୍ରାହକମାନେ ୮୪୦ ମିନିଟ୍ ବା ୧୪ ଘଣ୍ଟା, ଗୁଜରାଟର ଗ୍ରାହକମାନେ ୮୫୧ ମିନିଟ୍ ବା ୧୪ ଘଣ୍ଟା ୧୧ ମିନିଟ, ପଞ୍ଜାବର ଗ୍ରାହକମାନେ ୮୫୯ ମିନିଟ୍ ବା ୧୪ ଘଣ୍ଟା ୧୯ ମିନିଟ୍ ଏବଂ ହରିୟାଣାର ଗ୍ରାହକମାନେ ମାସିକ ହାରାହାରି ୮୮୨ ମିନିଟ୍ ବା ୧୪ ଘଣ୍ଟା ୪୨ ମିନିଟ୍‌ କଥା ହେଉଛନ୍ତି।

ଜାତୀୟ ସ୍ତରରେ ମୋବାଇଲ ଗ୍ରାହକମାନେ ମାସକୁ ହାରାହାରି ୧୦୨୬ ମିନିଟ୍‌ ବା ୧୭ ଘଣ୍ଟା ୬ ମିନିଟ୍ କଥା ହେଉଛନ୍ତି। ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଉପଭୋକ୍ତା ତଥ୍ୟ ଅନୁଯାୟୀ ଓଡ଼ିଶାରେ ମେ ମାସ ଶେଷ ସୁଦ୍ଧା ମୋଟ ୩ କୋଟି ୫୨ ଲକ୍ଷ ୪୭ ହଜାର ୯୯୬ ଜଣ ମୋବାଇଲ ଗ୍ରାହକ ରହିଛନ୍ତି । ଏଥି ମଧ୍ୟରୁ ରିଲାଏନ୍ସ ଜିଓର ସର୍ବାଧିକ ୧,୬୨,୬୩,୮୭୩ ମୋବାଇଲ ଗ୍ରାହକ ଥିବାବେଳେ ଏହା ପଛକୁ ଏୟାରଟେଲର ୧,୨୦,୦୩,୭୪୪, ବିଏସ୍ଏନ୍‌ଏଲ୍‌ର ୫୫,୫୬,୯୦୬ ଏବଂ ଭୋଡାଫୋନ ଆଇଡିଆର ୧୪,୨୩,୪୭୩ ମୋବାଇଲ ଗ୍ରାହକ ରହିଛନ୍ତି ।