ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଓଡ଼ିଶାରେ ୧ ଲକ୍ଷ ୮୭ ହଜାର ୯୬୭ ଜଣ ମୋବାଇଲ ଫୋନ ଗ୍ରାହକ ଯୋଡ଼ି ହୋଇଛନ୍ତି। ଅଗଷ୍ଟ ମାସରେ ‌ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ୩୪ ହଜାର ୧୨୬ ଥିବାବେଳେ ସେପ୍ଟେମ୍ବରରେ ଏମାନଙ୍କ ସଂଖ୍ୟା ୩ କୋଟି ୫୮ଲକ୍ଷ ୨୨ ହଜାର ୯୩କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍‌ ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟରୁ ଜଣାଯାଇଛି।

Advertisment

ଟ୍ରାଇ ତଥ୍ୟକୁ ବିଶ୍ଳେଷଣ କରିବାରୁ ଜଣାଯାଇଛି ଯେ ରାଜ୍ୟରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଦୁଇଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିଥିବାବେଳେ ୨ଟିର ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ରାଜ୍ୟରେ ଯେଉଁ ଦୁଇ କମ୍ପାନି ମୋବାଇଲ ଫୋନ୍‌ ଗ୍ରାହକ ସେପ୍ଟେମ୍ବରରେ ଯୋଡ଼ିଛନ୍ତି ‌ସେମାନଙ୍କ ମଧ୍ୟରେ ରିଲାଏନ୍ସ ଜିଓ ବହୁ ଆଗରେ ରହିଛି। ଏହି କମ୍ପାନି ୧ ଲକ୍ଷ ୯୬ ହଜାର ୪୫୯ ଗ୍ରାହକଙ୍କୁ ନିଜ ନେଟୱର୍କରେ ଯୋଡ଼ିଛି। ଫଳରେ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧ କୋଟି ୬୭ ଲକ୍ଷ ୬୫ ହଜାର ୯୧୬ରେ ପହଞ୍ଚିଛି। ‌ସେହିଭଳି ଭୋଡାଫୋନ ଆଇଡିଆ ସେପ୍ଟେମ୍ବର ମାସରେ ୭୯୮୦ ଜଣ ମୋବାଇଲ ଗ୍ରାହକଙ୍କୁ ନିଜ ନେଟୱର୍କରେ ସାମିଲ କରିବା ଦ୍ବାରା ଏହାର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୪୭ ଲକ୍ଷ ୨ ହଜାର ୭୦୧ରେ ପହଞ୍ଚିଛି।

ସେପ୍ଟେମ୍ବରରେ ଉପରୋକ୍ତ ଦୁଇଟି କମ୍ପାନିର ମୋବାଇଲ ଗ୍ରାହକ ବଢ଼ିଥିବାବେଳେ ଅନ୍ୟ ଦୁଇ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଏବଂ ଭାରତୀ ଏୟାରଟେଲର ଗ୍ରାହକ ସଂଖ୍ୟା ହ୍ରାସ ପାଇଛି। ଟ୍ରାଇ ସୂଚନା ଅନୁଯାୟୀ ଭାରତୀ ଏୟାରଟେଲର ୮୧୭୬ ଜଣ ମୋବାଇଲ ଫୋନ ଗ୍ରାହକ କମିଛନ୍ତି। ଏହାଦ୍ବାରା ‌ରାଜ୍ୟରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୩ ହଜାର ୪କୁ ହ୍ରାସ ପାଇଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ଫୋନ ଗ୍ରାହକ ସଂଖ୍ୟା ୮୨୯୬ କମିବା ଫଳରେ ଏହାର ମୋଟ ମୋବାଇଲ ‌ଫୋନ ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୫୦ ହଜାର ୪୭୨କୁ ହ୍ରାସ ପାଇଛି।