ଭୁବନେଶ୍ବର: ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି ବୋଲି ଗ୍ରିଡ୍‌କୋ ଓ ‘ଆଇଫରେଷ୍ଟ’ର ମିଳିତ ସହଯୋଗରେ ଭୁବନେଶ୍ବରରେ ଆଜି ଆୟୋଜିତ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ମତପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ପ୍ରତିଶ୍ରୁତିବଦ୍ଧ। ଅକ୍ଷୟ ଶକ୍ତିରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ପରିଗଣିତ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ଅନୁକୂଳ ହୋଇଥିବା ବେ‌ଳେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆମେ ପ୍ରସ୍ତୁତ ରହିଛୁ। ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି; ତାହା ଆମକୁ ପ୍ରେରିତ କରିଛି ବୋଲି ସେ କହିଥିଲେ।

Advertisment

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ କହିଥିଲେ ଯେ ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦିଗରେ ଆଗଉଛି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ସୁଲଭ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦିଆଯାଉ। ମୋଟ ୨,୯୩୮ ମେଗାୱାଟ୍‌ର ଅକ୍ଷୟ ଶକ୍ତିରୁ ୨୧% କେବଳ ସୌରଶକ୍ତିରୁ ମିଳୁଛି। ଯେଉଁଥିରେ ୫୦୮ ମେଗାୱାଟ ଗ୍ରାଉଣ୍ଡ-ମାଉଣ୍ଟେଡ୍‌, ୫୮ ମେଗାୱାଟ୍‌ ରୁଫ୍‌ଟପ୍ ଓ ୪୨ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଅଫ୍ ଗ୍ରିଡ ସୌରଶକ୍ତି ଅନ୍ତର୍ଭୁକ୍ତ। ୧,୩୪୩ ମେଗାୱାଟ୍‌ ଅକ୍ଷୟ ଶକ୍ତିରୁ ୨୮% କାର୍ଯ୍ୟର ଅଗ୍ରଗତି ଜାରି ରହିଛି। ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡ଼ା ଓ ଢେଙ୍କାନାଳଜିଲ୍ଲା ଏକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏକାଠି ହେଲେ ଉତ୍ପାଦକ, ନିବେଶକ, ସରକାର
ସବୁଜ ଶକ୍ତି ପ୍ରକଳ୍ପ ପାଇଁ ୩୦୦୦ କୋଟି ମଞ୍ଜୁର କରିଛି ଇରେଡା

ଇଣ୍ଡିଆନ୍ ରିନିୱେବଲ୍ ଏନର୍ଜି ଏଜେନ୍ସି ଲିମିଟେଡ୍(ଇରେଡା) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଯୋଗଦେଇ କହିଲେ, ୨୦୩୦ ସୁଦ୍ଧା ୧୦ ଗିଗାଵାଟ୍‌ କ୍ଷମତା ହାସଲ କରିବାକୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଇରେଡା ସେଥିରେ ନିଜର ପ୍ରତିବଦ୍ଧତା ଜଣାଉଛି। ସୌର, ଜଳ, ଇଥାନଲ ଓ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ୩ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିସାରିଛି। ଏକ ଅଗ୍ରଣୀ ସୌର ଶକ୍ତି ଉତ୍ପାଦନକାରୀ ଓ ସୌର ଉପକରଣ ଉତ୍ପାଦନର ହବ୍ ଭାବେ ଉଭା ହେବାକୁ ଓଡ଼ିଶାରେ ସମ୍ଭାବନା ରହିଛି। ଇରେଡା ଦେଶରେ ୨.୦୮ ଲକ୍ଷ କୋଟିରୁ ଅଧିକ ମଞ୍ଜୁର କରିଛି। ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ୧.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ଅକ୍ଷୟ ଶକ୍ତି ଋଣ ଅର୍ଥ ଯୋଗାଣ କ୍ଷେତ୍ରରେ ୧୦-୧୫% ଅବଦାନ ସହ ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଇରେଡା ପ୍ରତିବଦ୍ଧ ରହିଥିବା ସେ କହିଥିଲେ।

ଗ୍ରିଡକୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା କହିଲେ ଯେ ୨୦୨୫ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଦୃଷ୍ଟିରୁ ଆଜିର ବୈଠକ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟରେ ୨୦୦ ଗିଗାୱାଟ୍‌ର ସମ୍ଭାବନା ରହିଛି। ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆହୁରି ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ। ‘ଆଇଫରେଷ୍ଟ’ ସିଇଓ ତଥା ସଭାପତି ଚନ୍ଦ୍ରଭୂଷଣ ଏକ ସବୁଜ ଅର୍ଥନୀତି ଗଠନ ଦିଗରେ ସବୁଜ ପରିବେଶର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ଚାହିଦା ବୃଦ୍ଧି ପାଇବ ବୋଲି କହିଛନ୍ତି। ଏହି ନିବେଶକ ସମ୍ମିଳନୀରେ ୧୫୦ରୁ ଅଧିକ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା, ୪୦୦ ଜଣ ଯୋଗଦେଇ ଓଡ଼ିଶାକୁ ସୌରଶକ୍ତିର ହବ୍‌ରେ ପରିଣତ କରିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ।