ଭୁବନେଶ୍ବର: କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆମେ କ’ଣ କରିବା ଦରକାର ସେ ନେଇ ବିଚଳିତ ହେବା ଉଚିତ୍ ନୁହେଁ। କୌଣସି ନୂଆ ନିବେଶକ ଶିଳ୍ପ ସଂସ୍ଥା ସ୍ଥାପନ କରିବା କ୍ଷେତ୍ରରେ ପ୍ରବେଶ କଲେ ବିଭିନ୍ନ ଆହ୍ବାନ ସାମ୍ନା କରିବାକୁ ପଡ଼ିଥାଏ। ଏହି ସମୟରେ ସବୁ ନୂଆ ଚିନ୍ତାଧାରାକୁ ଗ୍ରହଣ କରିବା ଆବଶ୍ୟକ। ତାହା ହେଲେ ଆମେ ସଫଳ ଉଦ୍ୟୋଗୀରେ ପରିଣତ ହୋଇପାରିବା। ସମସ୍ତଙ୍କର ପୂର୍ବ ଅଭିଜ୍ଞତାକୁ ଜାଣିବାକୁ ଚେଷ୍ଟା କଲେ ହିଁ ଆମେ ସଫଳ ଭାବେ ଆମ ବ୍ୟବସାୟକୁ ବଞ୍ଚାଇ ପାରିବା ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଇନ୍ଫୋସିଟି ସ୍ଥିତ ଓ ହବ୍ ଠାରେ ଏଆଇସି ନାଳନ୍ଦା, ଷ୍ଟାର୍ଟଅପ୍ ଓଡ଼ିଶା ଓ ୟୁସିସିଆଇଏଲ୍ ଓ ଫ୍ଲୁଇଡ୍ ଭେଞ୍ଚର୍ସ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୨ର ଅଂଶ ସ୍ବରୂପ ଆୟୋଜନ କରାଯାଇଥିବା ଷ୍ଟାର୍ଟଅପ୍ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଲେ, ବ୍ୟବସାୟ ମୁଖ୍ୟତଃ ଚାରିଟି ପିଢ଼ି ଦେଇ ଗତି କରିଥାଏ। ପ୍ରଥମ ପିଢ଼ି ହେଉଛି ଷ୍ଟାର୍ଟଅପ୍ ଯେଉଁଥିରେ ବହୁତ ସଂଘର୍ଷ କରିବାକୁ ପଡ଼େ। ଦ୍ବିତୀୟ ପିଢ଼ିରେ ବଞ୍ଚି ରହିବାକୁ ଚେଷ୍ଟା କରି ଭାଗ୍ୟବାନ ସାବ୍ୟସ୍ତ ହେବା। ତୃତୀୟ ପିଢ଼ିରେ ଏହାକୁ ଆମେ ଉପଭୋଗ କରିଥାଉ। ଚତୁର୍ଥ ପିଢ଼ିରେ ବାଣିଜ୍ୟଟି ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ, ଯେଉଁଥିରେ ଅନୁଷ୍ଠାନ ବନ୍ଦ ହେବା ପରିସ୍ଥିତିକୁ ଆସିଥାଏ। ତେଣୁ ଆମକୁ ସର୍ବଦା ପ୍ରଥମ ପିଢ଼ିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିବା ଦରକାର। କାର୍ଯ୍ୟକ୍ରମରେ ଲୋକପ୍ରିୟ ବଲିଉଡ୍ ଗାୟକ ସୁଖବୀର ସିଂ ଯୋଗ ଦେଇ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକ କିଭଳି ଆହ୍ବାନକୁ ମୁକାବିଲା କରିବେ ଏବଂ ସଫଳ ହୋଇପାରିବେ ସେଥିରେ ସହାୟତା କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ନାଳନ୍ଦା-ଏଆଇସିର ସିଇଓ ଦେବଜ୍ୟୋତି ମହାନ୍ତି ଓଡ଼ିଶାର ସମସ୍ତ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରଶଂସା କରଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍କାର ରାୟ ଷ୍ଟାର୍ଟଅପ୍ ଓଡ଼ିଶାର ନୀତିରେ ରହିଥିବା ସୁବିଧା ସୁଯୋଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଫ୍ଲୁଇଡ୍ ଭେଞ୍ଚର୍ସର ଫାଉଣ୍ଡିଂ ପାର୍ଟନର୍ ଅମିତ୍ ସିଂଘଲ୍ ନୂଆ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶା ସରକାର ଦେଉଥିବା ସୁବିଧା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଫ୍ଲୁଇଡ୍ ଭେଞ୍ଚର୍ସ, ଆଜିଲିଟି ଭେଞ୍ଚର୍ସ, ମୁମ୍ବାଇ ଆଞ୍ଜେଲ୍ସ, ଡେକ୍ସଟର ଆଞ୍ଜେଲ୍ସ, ସ୍ପାର୍କିନୋଭ ଓ ମାଇଣ୍ଡଫାୟାର ନିବେଶକ ମାନେ ଉପସ୍ଥିତ ଥିଲେ।
ଓଡ଼ିଶା ଷ୍ଟାର୍ଟଅପ୍ କାନିର୍ଭାଲ୍ ୨୦୨୨ ହେଉଛି ଏକ ୧୨ ଦିନ ବ୍ୟାପୀ କାର୍ଯ୍ୟକ୍ରମ। ଏଥିରେ ବିଭିନ୍ନ କ୍ଷେତ୍ରର ୪୦ରୁ ଅଧିକ ବିଶେଷଜ୍ଞ, ମେଣ୍ଟର ଓ ନିବେଶକ ଅଂଶଗ୍ରହଣ କରିଛନ୍ତି। ଜୁଲାଇ ୪ରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିରୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ୫୦ ଷ୍ଟାର୍ଟଅପ୍ଙ୍କ ପ୍ରିଭିଲେଜ୍ କ୍ଲବ୍ ବିଷୟରେ ଘୋଷଣା କରାଯାଇଥିଲା ଯେଉଁମାନଙ୍କୁ କନେକ୍ଟିଂ ଓ ନେଟ୍ୱର୍କିଂ ସୁବିଧା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ।