ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ଆରମ୍ଭ

ଭୁବନେଶ୍ୱର: ଏଆଇସି-ନାଳନ୍ଦା, ଷ୍ଟାର୍ଟଅପ୍ ଓଡ଼ିଶା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ୟୁସିସିଆଇଏଲ୍) ଓ ଫ୍ଲୁଇଡ୍ ଭେଞ୍ଚର୍ସ ସହଯୋଗିତାରେ ଦି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି କକ୍ଷରେ ୧୩ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ଯୋଗଦେଇ କହିଛନ୍ତି ଯେ ଷ୍ଟାର୍ଟଅପ୍‌କୁ ସହଯୋଗ କରିବା ପାଇଁ ବହୁ ମଞ୍ଜୁରି ଏବେ ସହଜରେ ମିଳୁଛି। ରାଜ୍ୟରେ ବ୍ୟବସାୟ ବାତାବରଣ ବେଶ ସହଜ ହୋଇପାରିଛି। ପୂର୍ବରୁ ଅନୁମୋଦନ ଲାଗି ଲାଗୁଥିବା ସମୟ ହ୍ରାସ ପାଇଛି। ବର୍ତ୍ତମାନ ରହିଥିବା ସୁଯୋଗ ହାସଲ କରିବା ଲାଗି ଉଦ୍ୟୋଗୀମାନେ ଆଗେଇ ଆସିବା ଦରକାର। ଏକ୍ଷେତ୍ରରେ ସଫଳତା ପାଇଁ ନବସୃଜନ ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବେଦାନ୍ତର ସଭାପତି ଡ. ତପନ କୁମାର ଚାନ୍ଦ କହିଲେ, ନିଜ ବ୍ୟବସାୟକୁ ବ୍ୟାପକ କରିବା ଲାଗି ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ପ୍ରଯୁକ୍ତିର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଷ୍ଟାର୍ଟଅପ୍ ଗୁଡ଼ିକ ସେଭଳି ଚିନ୍ତାଧାରା ଉପରେ କାମ କରିବା ଦରକାର ଯାହା ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ସହ ସେମାନଙ୍କୁ ଲାଭ ପ୍ରଦାନ କରିବ। ଏହା ସହ ସଠିକ୍ ସମୟରେ ପାଣ୍ଠି ଓ ବଜାର ହାସଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏସାର ମିନ୍‌ମେଟ୍‌ ଲିମିଟେଡ୍‌ର ନିର୍ଦେଶକ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାରୁ ଓୟୋର ରିତେଶ ଅଗ୍ରୱାଲ୍‌ଙ୍କ ଭଳି ବହୁ ସଫଳ ଉଦ୍ୟୋଗୀ ବାହାରିବେ। ଲୁମିନସ୍ ଇନଫୋୱେଜ୍‌ର ପ୍ରେସିଡେଣ୍ଟ୍‌ ଜୟଶ୍ରୀ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ବହୁ ଷ୍ଟାର୍ଟଅପ୍ ମହିଳାମାନଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ୟୁସିସିଆଇଏଲର ସଭାପତି ଅଶୋକ କୁମାର ସାରଦା ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର