ଭୁବନେଶ୍ବର: ରାଜ୍ୟର ଷ୍ଟାର୍ଟଅପ୍ ବନ୍‌ଭି ଏରୋ ଆମେରିକାକୁ ପ୍ରତିରକ୍ଷା ଡ୍ରୋନ୍ ପଠାଇବ। ଆମେରିକାର ପ୍ରତିରକ୍ଷା ଓ ଆକାଶ ମାର୍ଗ ପରିବହନ ବଜାରରେ ପ୍ରବେଶ କରିବା ଲାଗି କମ୍ପାନିକୁ ଚୟନ କରାଯାଇଛି। ଭାରତରୁ ଆମେରିକା ଲଞ୍ଚ୍‌ପ୍ୟାଡ୍‌ ଅଧୀନରେ କମ୍ପାନି ସହାୟତା ପାଇଛି। ଆମେରିକାର ପ୍ରତିରକ୍ଷା ବିଭାଗ ଓ ହୋମ୍‌ଲ୍ୟାଣ୍ଡ୍‌ ସିକ୍ୟୁରିଟି ବିଭାଗ ସହିତ କମ୍ପାନି ସହଯୋଗିତା କରିବ। ଏ ସମ୍ପର୍କରେ ବନ୍‌ଭି ଏରୋର ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି ଯେ ବୁଝାମଣାପତ୍ର ସ୍ବାକ୍ଷର କରିବା ଲାଗି ଚଳିତ ବର୍ଷ ମେ’ରେ ଆମେ ଆମେରିକା ଯାତ୍ରା କରିବୁ।

Advertisment

 ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ। ଆମ ମାଟିରୁ ବିଶ୍ବସ୍ତରୀୟ ନବସୃଜନ ସୃଷ୍ଟି ହୋଇପାରିବ ବୋଲି ଆମେ ପ୍ରମାଣ କରି ଦେଖାଇଛୁ। କମ୍ପାନି ହିମାଳୟରେ ଏହାର ଲଜି‌ଷ୍ଟିକ୍ସ ଡ୍ରୋନ୍‌କୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ୧୯,୦୨୪ ଫୁଟ୍‌ ଉଚ୍ଚତାରେ ୩୦ କେଜି ପର୍ଯ୍ୟନ୍ତ ଭାର ବହନ କରୁଛି। ଭାରତୀୟ ସେନା ପାଇଁ ତାହା ବେଶ୍ ସହାୟକ ହୋଇଛି। ଆମେରିକାର ଗ୍ରିନ୍ ୟୁଏଏସ୍ ଓ ବ୍ଲୁ ୟୁଏଏସ୍ କାର୍ଯ୍ୟକ୍ରମ ଅଧୀନରେ ସାର୍ଟିଫିକେସନ୍ ହାସଲ କରିବା ଲାଗି ଏହି ପ୍ରଯୁକ୍ତି ପ୍ରସ୍ତୁତ ହେଉଛି।