ଭୁବନେଶ୍ବର: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନର ଆତଙ୍କବାଦୀ ଆଡା ଉପରେ ଅପରେସନ୍ ସିନ୍ଦୂର ଅଧୀନରେ ଭାରତୀୟ ସେନା ଜୋରଦାର ଆକ୍ରମଣ କରି ସେଗୁଡ଼ିକୁ ଝାରଖାର କରିଦେଇଥିଲା। ଏଥର ଆକ୍ରମଣ କିନ୍ତୁ ହାଇଟେକ୍ ଥିଲା। ସେହି ଲଢ଼େଇର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଥିଲା ଡ୍ରୋନ୍ ଆକ୍ରମଣ। ଭାରତୀୟ ସେନାର ଶକ୍ତି ବଢ଼ାଇବାରେ ଓଡ଼ିଶାର ଷ୍ଟାର୍ଟଅପ୍ ନିର୍ମାଣ କରୁଥିବା ଡ୍ରୋନ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ଆଇଜି ଡ୍ରୋନ୍ସ, ବନ୍ଭି ଏରୋ ଓ ଆନାଡ୍ରୋନ୍ ସିଷ୍ଟମ୍ସ ଭଳି ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଷ୍ଟାର୍ଟଅପ୍ ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଶକ୍ତିଶାଳୀ ଡ୍ରୋନ୍ ଯୋଗାଇବାରେ ଆଗରେ ରହିଛନ୍ତି।
ଆଇଜି ଡ୍ରୋନ୍ସ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା ଭର୍ଟିକାଲ୍ ଟେକ୍ ଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ (ଭିଟିଓଏଲ୍) ଓ ଫାଷ୍ଟ ପର୍ସନ୍ ଭିଉ (ଏଫ୍ପିଭି) ଡ୍ରୋନ୍ ଭାରତୀୟ ସେନାକୁ ଯୋଗାଇ ଦିଆଯାଉଛି। ମେଡ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ କରି ଭାରତୀୟ ସେନା ବିଦେଶୀ ଡ୍ରୋନ୍, ବିଶେଷ କରି ଚୀନ୍ରେ ତିଆରି ହେଉଥିବା ଡ୍ରୋନ୍ ବଦଳରେ ଦେଶ ଭିତରେ ନିର୍ମାଣ କରାଯାଉଥିବା ଡ୍ରୋନ୍ ମଗାଇବାକୁ ନିଷ୍ପତ୍ତି ନେଇଥିଲା। ଏହି ଡ୍ରୋନ୍ଗୁଡ଼ିକ ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ଠିକ୍ ଭାବେ କାମ କରୁଥିବା ବେଳେ ଅଧିକ ଭାର ବୋହିବା, ନିରୀକ୍ଷଣ କରିବା ଓ ସୀମାରେ ସୁରକ୍ଷା ବଢ଼ାଇବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ଏ ସମ୍ପର୍କରେ ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ବୋଦ୍ଧିସତ୍ତ୍ବ ସଂଘପ୍ରିୟ କହିଛନ୍ତି ଯେ ଜାତୀୟ ସେବା ପାଇଁ ଆଇଜି ଡ୍ରୋନ୍ସ ପ୍ରତିବଦ୍ଧ ରହିଛି। ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ଅଂଶୀଦାରଙ୍କ ସହ ଆମେ ଯୋଡ଼ିହୋଇ ରହିଛୁ ଏବଂ ସେମାନଙ୍କୁ ତ୍ବରିତ ଡ୍ରୋନ୍ ସହାୟତା ପ୍ରଦାନ କରୁଛୁ। ଅନ୍ୟ ପକ୍ଷରେ, ବନ୍ଭି ଏରୋର ପ୍ରତିଷ୍ଠାତା ସତ୍ୟବ୍ରତ ଶତପଥୀ କହିଛନ୍ତି ଯେ ଆମେ ସେନାକୁ ଯୋଗାଉଥିବା ଡ୍ରୋନ୍ ଅତ୍ୟଧିକ ଉଚ୍ଚତାରେ ଅତି ପାରଦର୍ଶିତାର ସହ କାର୍ଯ୍ୟ କରିବାକୁ ସକ୍ଷମ। ବିଶେଷ କରି ସେଗୁଡ଼ିକ ହେଉଛି ଲଜିଷ୍ଟିକ୍ସ ଡ୍ରୋନ୍। ଏବେ ଆମେ ‘ଏୟାର ପ୍ରହାର’ ନାମରେ ଏକ ଡ୍ରୋନ୍ ବିକାଶ କରୁଛୁ ଯାହା ସେନାକୁ ବିଭିନ୍ନ ଅପରେସନ୍ରେ ସାହାଯ୍ୟ କରିବ। ଏହା ୧୦ କିଲୋମିଟର ପରିସୀମା ଭିତରେ ଆକ୍ରମଣ ଭଳି କାର୍ଯ୍ୟରେ ନିୟୋଜିତ ହୋଇପାରିବ ବୋଲି ସେ କହିଛନ୍ତି।
‘ବନ୍ଭି ଏରୋ’ ସେନା ପାଇଁ ପ୍ରସ୍ତୁତ କରୁଛି ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଓ ଲ୍ୟାଣ୍ଡିଂ (ଇଭିଟିଓଏଲ୍) ଡ୍ରୋନ୍ ଯାହା ୧୫ ହଜାର ଫୁଟ୍ ଭଳି ଉଚ୍ଚତାରେ କାମ କରିବାର କ୍ଷମତା ରଖିଛି। କମ୍ପାନି ପକ୍ଷରୁ ଏହି ଡ୍ରୋନ୍ ଉପରେ ବେଙ୍ଗାଲୁରୁରେ ଥିବା ଆର୍ମିତ ସର୍ଭିସ୍ କର୍ପସ୍ର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଓଡ଼ିଶାର ଅନ୍ୟତମ ଡ୍ରୋନ୍ ଷ୍ଟାର୍ଟଅପ୍ ଆନାଡ୍ରୋନ୍ ସିଷ୍ଟମ୍ସ ମଧ୍ୟ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାକୁ ମାନୁଭରେବଲ୍ ଏକ୍ସପାଣ୍ଡେବଲ୍ ଆରିଏଲ୍ ଟାର୍ଗେଟ୍ (ଏମ୍ଇଏଟି) ଯୋଗାଇବା ଲାଗି ବରାଦ ହାସଲ କରିଥିଲା। କମ୍ପାନି ଯେଉଁ ଡ୍ରୋନ୍ ଯୋଗାଉଛି, ସେହି ଧରଣର ଡ୍ରୋନ୍କୁ ପୂର୍ବରୁ ଆମଦାନି କରିବାକୁ ପଡ଼ୁଥିଲା।