ଦେଶକୁ ଅକ୍ସିଜେନ୍ ଯୋଗାଉଛି ଓଡ଼ିଶା, ରାଜ୍ୟର ୫ଟି କାରଖାନରେ ଉତ୍ପାଦନ

ଅନ୍ୟ୨ଟି କାରଖାନାରୁ ଉତ୍ପାଦନ ଶୀଘ୍ର, ଦିନକୁ ୩୭୫ ଟନ୍ ଉତ୍ପାଦନ ହେଉଛି

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଯାହା ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି ତାହା ହେଉଛି ଅକ୍ସିଜେନ୍‌ର ଅଭାବ। ସେହି ଅଭାବ ଦୂର କରିବା ଲାଗି ଦେଶରେ ଥିବା ଇସ୍ପାତ କଂପାନିଗୁଡ଼ିକ ଆଗେଇ ଆସିଛନ୍ତି। ଓଡ଼ିଶାରେ ଥିବା ଇସ୍ପାତ କାରଖାନା ଏଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଦେଶର ରାଷ୍ଟ୍ରାୟତ୍ତ ଓ ଘରୋଇ ଇସ୍ପାତ କଂପାନିଗୁଡ଼ିକ ପାଖରେ ମୋଟ ୩୩ଟି ଅକ୍ସିଜେନ୍ ପ୍ଲାଣ୍ଟ୍‌ ରହିଛି। ସେଗୁଡ଼ିକର ଦୈନିକ ଉତ୍ପାଦନ କ୍ଷମତା ହେଉଛି ୨୮୩୪ ଟନ୍। ଓଡ଼ିଶାର ପାଞ୍ଚଟି କାରଖାନା ନିଜର ଅକ୍ସିଜେନ୍ ଉତ୍ପାଦନ କ୍ଷମତା ଇତି ମଧ୍ୟରେ ବୃଦ୍ଧି କରିଛନ୍ତି। ଦୁଇଟି ସିଫ୍ଟରେ ଉତ୍ପାଦନ ଚାଲିଛି। ଚାହିଦା ବଢ଼ିଲେ ଏହି କାରଖାନାଗୁଡ଼ିକରେ ଦିନକୁ ତିନିଟି ସିଫ୍‌ଟରେ ଉତ୍ପାଦନ କରାଯାଇପାରିବ। ସପ୍ତାହକ ପୂର୍ବରୁ ଓଡ଼ିଶାରେ ଦୈନିକ ୩୨୫ ଟନ୍ ଅକ୍ସିଜେନ୍ ଉତ୍ପାଦନ ହେଉଥଲା।

ଏବେ ତାହା ଦୈନିକ ୩୭୫ ଟନ୍‌ରେ ପହଞ୍ଚିଛି। ରାଜ୍ୟର ରାଉରକେଲା, କଳିଙ୍ଗନଗର, ଢେଙ୍କାନାଳ ଓ ଅନୁଗୁଳରୁ ଅକ୍ସିଜେନ୍ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଆଜି ଦିନ ୧୨ ଟା ସୁଦ୍ଧା ୪୯ଟି ଟ୍ୟାଙ୍କର ଓ କଣ୍ଟେନରରେ ୮୬୯ ଟନ୍ ଅକ୍ସିଜେନ୍ ପଠାଯାଇଥିବା ଜଣାପଡ଼ିଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍‌ଏସ୍‌ପି), ଅନୁଗୁଳର ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍), ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଓ ଢେଙ୍କାନାଳରେ ଥିବା ଟାଟା ବିଏସ୍‌ଏଲ୍‌ କାରଖାନାରୁ ତରଳ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି। ଖୁବ୍‌ଶୀଘ୍ର ସୁନ୍ଦରଗଡ଼ରେ ଥିବା ଆଧୁନିକ ଷ୍ଟିଲ୍‌ର କାରଖାନାରୁ ଓ କଳିଙ୍ଗନଗରରେ ଥିବା ଏନ୍‌ଆଇଏନ୍‌ଏଲ୍‌ରୁ ଅକ୍ସିଜେନ୍ ଉତ୍ପାଦନ ଆରମ୍ଭ କରିବା ଲାଗି ରାଜ୍ୟ ସରକାର ଯୋଜନା ରଖିଛନ୍ତି।

ଓଡ଼ିଶା ଯଦିଓ ଅଧିକ ଅକ୍ସିଜେନ୍ ଉତ୍ପାଦନ କରୁଛି କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ତାହାକୁ ‌ନେବାରେ ଅସୁବିଧା ସାମ୍ନା କରୁଛନ୍ତି। ଦିଲ୍ଲୀକୁ ଓଡ଼ିଶା ଅଧିକ ଅକ୍ସିଜେନ୍ ପଠାଇବାକୁ ଚାହୁଛି, କିନ୍ତୁ ସେଥିପାଇଁ ପରିବହନ ହେଉଛି ବଡ଼ ସମସ୍ୟା। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ନିୟମିତ ଭାବେ ଓଡ଼ିଶାରୁ ଅକ୍ସିଜେନ୍ ନେଉଛନ୍ତି। ବିହାରକୁ ଅକ୍ସିଜେନ୍ ଯୋଗାଇବା ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ଅନୁରୋଧ କରିଛନ୍ତି। ଖୁବଶୀଘ୍ର ଓଡ଼ିଶା ଉତ୍ପାଦିତ ଅକ୍ସିଜେନ୍ ବିହାରରେ ପହଞ୍ଚିବ।

କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନକ୍ରମେ ସର୍ବଭାରତୀୟ ସ୍ତରରେ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ଇସ୍ପାତ କଂପାନିଗୁଡ଼ିକ ମେଡିକାଲ୍ ଅକ୍ସିଜେନ୍ ଯୋଗାଣରେ ତତ୍ପରତା‌ ଦେଖାଇଛନ୍ତି। ସେଲ୍‌ର ଭିଲାଇ, ବୋକାରୋ, ରାଉରକେଲା, ଦୁର୍ଗାପୁର ଓ ବର୍ଣ୍ଣପୁରରେ ଥିବା କାରଖାନାରେ ତରଳ ମେଡିକାଲ୍ ଅକ୍ସିଜେନ୍‌ର ଦୈନିକ ଯୋଗାଣକୁ ୮୦୦ ଟନ୍‌କୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ (ଆର୍‌ଆଇଏନ୍‌ଏଲ୍‌) ମଧ୍ୟ ବିଗତ ତିନି ଦିନରେ ଯୋଗାଣକୁ ୧୪୦ ଟନ୍‌ରେ ପହଞ୍ଚାଇଛି।

ଇସ୍ପାତ କାରଖାନାରେ ବିଭିନ୍ନ କାର୍ଯ୍ୟ ପାଇଁ ଅକ୍ସିଜେନ୍ ବ୍ୟବହାର କରାଯାଏ। କେବଳ ଅକ୍ସିଜେନ୍ ନୁହେଁ କାରଖାନାଗୁଡ଼ିକରେ ନାଇଟ୍ରୋଜେନ୍ ଓ ଆର୍ଗନ ଉତ୍ପାଦନ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଇସ୍ପାତ କାରଖାନା‌ଗୁଡ଼ିକ ମୁଖ୍ୟତଃ ଗ୍ୟାସୀୟ ଅକ୍ସିଜେନ୍ ଉତ୍ପାଦନ କରନ୍ତି ଯାହାକୁ ବ୍ଲାଷ୍ଟ୍‌ ଫର୍ଣ୍ଣାସ୍‌ରେ ବ୍ୟବହାର କରାଯାଇଥାଏ। ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପୂର୍ଣ୍ଣ କ୍ଷମତାରେ ପରିଚାଳିତ ହେଲେ ଅତି ବେଶିରେ ୫-୬% ତରଳ ଅକ୍ସିଜେନ୍ ଉତ୍ପାଦନ ହୋଇପାରିବ ଯାହାକୁ କରୋନା ରୋଗୀଙ୍କ ବ୍ୟବହାରକାରୀ ବିଭିନ୍ନ ମେଡିକାଲ୍‌ରେ ବ୍ୟବହାର କରାଯାଉଛି।

‘କ୍ରାୟୋଜେନିକ୍ ଟ୍ୟାଙ୍କର’ ଅଭାବ
ନୂଆଦିଲ୍ଲୀ: ମେଡିକାଲ୍‌ରେ ବ୍ୟବହାର କରାଯାଉଥିବା ତରଳ ଅକ୍ସିଜେନ୍‌ ଯୋଗାଣରେ ସବୁଠୁ ବଡ଼ ଅସୁବିଧା ହେଉଛି ଟ୍ୟାଙ୍କର ଅଭାବ। କ୍ରାୟୋଜେନିକ୍ ଟ୍ୟାଙ୍କର ଜରିଆରେ ତରଳ ଅକ୍ସିଜେନ୍ ପରିବହନ କରାଯାଏ। ଏହା ବାହାରୁ ଦେଖିବାକୁ ଯେକୌଣସି ସାଧାରଣ ଟ୍ୟାଙ୍କର ଭଳି। କିନ୍ତୁ ଏହାର ବିଶେଷତା ହେଉଛି ଏଥିରେ -୧୮୫ ଡିଗ୍ରି ଭଳି ଅତ୍ୟଧିକ ଥଣ୍ଡା ଜିନିଷ ପରିବହନ କରାଯାଏ। ନିକଟରେ ଜର୍ମାନିରୁ ଏଭଳି ୨୪ଟି ଟ୍ୟାଙ୍କର ଆମଦାନି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ‌ଏହି ଟ୍ୟାଙ୍କରଗୁଡ଼ିକ ଜରିଆରେ ତରଳ ଅକ୍ସିଜେନ୍ ଓ ହାଇଡ୍ରୋଜେନ୍ ଆଦି ପରିବହନ କରାଯାଏ। ଏହାକୁ ଭାକ୍ୟୁମ୍ ବଟଲ୍‌ ସିନ୍ଧାନ୍ତରେ ତିଆରି କରାଯାଇଛି। ଏଥିରେ ଦୁଇଟି ପରସ୍ତ ଥାଏ। ଭିତର ପାର୍ଶ୍ବରେ ଥିବା ପରସ୍ତରେ ତରଳ ଅକ୍ସିଜେନ୍ ଭର୍ତ୍ତି କରାଯାଏ। ବାହାର ପରସ୍ତଟି ଭିତର ପରସ୍ତ ଠାରୁ ଟିକେ ଦୂରରେ ରହିଥାଏ। ଦୁଇ ପରସ୍ତ ଭିତରେ ଥିବା ଫାଙ୍କା ସ୍ଥାନରୁ ବାୟୁ ବାହାର କରିଦିଆଯାଏ ଓ ଭାକ୍ୟୁମ୍ ଭଳି ସ୍ଥିତି ସୃଷ୍ଟି କରାଯାଏ ଫଳରେ ବାହାର ତାପମାତ୍ରା ଭିତରେ ଥିବା ଅକ୍ସିଜେନ୍‌କୁ ପ୍ରଭାବିତ କରିପାରେ ନାହିଁ।

ସମ୍ବନ୍ଧିତ ଖବର