ଭୁବନେଶ୍ବର: ବୟନ କ୍ଷେତ୍ରର ବର୍ଜ୍ୟକୁ ଅଭିନବ ଢଙ୍ଗରେ ପରିଚାଳନା କରିବା ସହ ପରିବେଶ ଆହ୍ବାନର ସ୍ଥାୟୀ ସମାଧାନ କରିବା ଲାଗି ଆଗେଇ ଆସିଛି ଓଡ଼ିଶା ଟେକ୍ସଟାଇଲ୍ ମାନୁଫାକ୍ଚରିଂ (ଓଟିଏମ୍) ପ୍ରାଇଭେଟ୍ ଲିମିଟେଡ୍। ଖୋର୍ଦ୍ଧାରେ ୫୧.୮୦ କୋଟି ଟଙ୍କା ନିବେଶ କରି ଏହା ଅତ୍ୟାଧୁନିକ ସୂତାକଳ ସ୍ଥାପନ କରିବ। ସେଥିରେ ମୁନିସପାଲିଟିର ବୟନ ବର୍ଜ୍ୟ ଓ ବୟନ ଶିଳ୍ପରୁ ସୃଷ୍ଟି ହେଉଥିବା ବର୍ଜ୍ୟକୁ ବ୍ୟବହାର କରି ସେଥିରୁ ରିସାଇକଲ୍ଡ ସୂତା ତିଆରି କରାଯିବ। ଏହି ପ୍ରକଳ୍ପ ଦ୍ବାରା ୫୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନିକଟରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି।
ଖୋର୍ଦ୍ଧାରେ ବସାଇବ ସୂତାକଳ
ନିବେଶ କରିବ ୫୧.୮୦ କୋଟି
ଓଟିଏମ୍ର ଏହି ପ୍ରକଳ୍ପ ହେଉଛି ଦଶନ୍ଧି ମଧ୍ୟରେ ଓଡ଼ିଶାର ପ୍ରଥମ ନୂଆ ସୂତାକଳ। ଏହି ଅତ୍ୟାଧୁନିକ ସୂତାକଳରେ ଉନ୍ନତ ରିସାଇକଲିଂ ପ୍ରଯୁକ୍ତି ବ୍ୟବହାର କରାଯିବ। ଜର୍ମାନୀର ଟ୍ରୁଜସ୍ଲର ଓ ତୁର୍କୀର ବଲ୍କାନ୍ ଟେକ୍ସଟାଇଲ୍ ମେସିନାରିରୁ ଓଟିଏମ୍ ଏହି ପ୍ରଯୁକ୍ତି ଆଣିବ। ସୂତାକଳ ପାଇଁ କମ୍ପାନି ସ୍ବିଜରଲ୍ୟାଣ୍ଡର ସୌରର୍ ଏଜି ସହ କଥାବାର୍ତ୍ତା କରୁଛି। ସେଠାରୁ ଏହା ରୋଟର୍ ଓ ରିଙ୍ଗ୍ ସ୍ପିନିଂ ପ୍ରଯୁକ୍ତି ଆଣିବ।
ଖୋର୍ଦ୍ଧାରେ ସ୍ଥାପନ ହେବାକୁ ଯାଉଥିବା ଏହି ସୂତାକଳ ଦ୍ବାରା ରାଜ୍ୟର କପାଚାଷୀମାନେ ମଧ୍ୟ ବିଶେଷ ଭାବେ ଉପକୃତ ହେବେ। ଫଳରେ ଠିକ୍ ଭାବେ ଉପଯୋଗ ହୋଇପାରୁନଥିବା ରାଜ୍ୟର ଏହି ସମ୍ବଳର ଚାହିଦା ବଢ଼ିବ। କମ୍ପାନି ସ୍ଥାନୀୟ ଚାଷୀଙ୍କଠାରୁ ସିଧାସଳଖ କପା ସଂଗ୍ରହ କରିବ। ଫଳରେ ଉଭୟ ଚାଷୀକୂଳ ଓ ବୟନ କ୍ଷେତ୍ର ଉପକୃତ ହେବେ। ବୟନ ବର୍ଜ୍ୟ ସମସ୍ୟା ମୁକାବିଲା ଲାଗି ସଂଘର୍ଷ କରୁଥିବା ମୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏହି ପ୍ରକଳ୍ପ ଆଶ୍ବସ୍ତି ପ୍ରଦାନ କରିବ। ଏହା ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇ ରୋଜଗାରର ମାଧ୍ୟମ ସୃଷ୍ଟି କରିବ।