ଭୁବନେଶ୍ବର: ରାଜ୍ୟ ସରକାର ପ୍ରତିଭୂତି ନିଲାମ କରି ୧୫୦୦ କୋଟି ଟଙ୍କା ସଂଗ୍ରହ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସ‌ାରେ ଓଡ଼ିଶା ସରକାର ୩ ବର୍ଷିଆ ଅବଧିର ୫୦୦ କୋଟି ଟଙ୍କା ଏବଂ ୧୨ ବର୍ଷିଆ ଅବଧିର ୧୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିବେ। ଦେଶର ଯେଉଁ ୧୨ଟି ରାଜ୍ୟ ପ୍ରତିଭୂତି ନିଲାମ କରିବାକୁ ପ୍ରସ୍ତାବ ଦେଇଛନ୍ତି, ସେଥିରେ ଓଡ଼ିଶା ନାମ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ଜମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ। ଏହି ସମସ୍ତ ରାଜ୍ୟ ମିଳିତ ଭାବେ ୨୬,୯୦୦ କୋଟି ଟଙ୍କାର ପ୍ରତିଭୂତି ଉପଲବ୍ଧ କରାଇବେ।

Advertisment

ରିଜର୍ଭ ବ୍ୟାଙ୍କର ଇ-କୁବେର ବ୍ୟବସ୍ଥାରେ ଏହି ନିଲାମ ଚଳିତ ମାସ ୧୨ରେ ହେବ। ଉଭୟ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ଏଥିପାଇଁ ବିଡ୍‌ ଦାଖଲ କରିପାରିବେ। ସାଧାରଣ ନିବେଶକମାନେ ରିଟେଲ୍‌ ଡାଇରେକ୍ଟ ପୋର୍ଟାଲ୍‌ରେ ବିଡ୍‌ ଦାଖଲ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ନିବେଶକମାନେ ସର୍ବନିମ୍ନ ୧୦ ହଜାର ଟଙ୍କାର ବିଡ୍ ଦାଖଲ କରିପାରିବେ ଏବଂ ଏହାପରେ ସେଥିରେ ୧୦ ହଜାର ଟଙ୍କା ଲେଖାଏଁ ଯୋଡ଼ିପାରିବେ। ନିଲାମ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରତିଭୂତିର ସୁଧ ନିର୍ଧାରଣ କରାଯିବ। ନୂଆ ଷ୍ଟକ୍‌ର ସୁଧକୁ ବର୍ଷରେ ଦୁଇ ଥର ଜାନୁଆରି ୧୬ ଓ ଜୁଲାଇ ୧୬ରେ ମାଚ୍ୟୁରିଟି ହେବା ପର୍ଯ୍ୟନ୍ତ ପ୍ରଦାନ କରାଯିବ। 
ରିଜର୍ଭ ବ୍ୟାଙ୍କ ଜାରି କରିଥିବା କ୍ୟାଲେଣ୍ଡର ଅନୁସାରେ ଓଡ଼ିଶା ସରକାର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୭୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିବାକୁ ଯୋଜନା ରଖିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଏହି ନିଲାମ ହେବ। ସାତ ଥରରେ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କା ଲେଖାଏଁ ହିସାବରେ ୭୦୦୦ କୋଟି ଟଙ୍କା ସଂଗ୍ରହ କରିବେ।