ଭୁବନେଶ୍ବର: ରାଜ୍ୟକୁ ଡାଟା ସେଣ୍ଟର୍ର ଏକ ହବ୍ରେ ପରିଣତ କରିବା ଲାଗି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି। ୨୦୩୬ ସୁଦ୍ଧା ଡାଟା ସେଣ୍ଟର ପାଇଁ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ଆର୍ଥିକ କ୍ଷେତ୍ରରେ ୫୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଚାହୁଛନ୍ତି। ଆଇଟି ବିଭାଗ ପକ୍ଷରୁ ‘ଓଡ଼ିଶାର ଆଇଟି/ଆଇଟିଇଏସ୍ ରୋଡ୍ମ୍ୟାପ୍’ ପ୍ରସ୍ତୁ୍ତି କର୍ମଶାଳାରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। କର୍ମଶାଳାରେ ଅଧ୍ୟକ୍ଷତା କରି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ ଏଆଇ ନୀତି ଓ ଆଇଟି ନୀତି ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଆଇ ନୀତି ଆଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଏହାଦ୍ବାରା ରାଜ୍ୟରେ ବ୍ୟାପକ ଏଆଇ ଷ୍ଟାର୍ଟଅପ୍ ବିକାଶ ହେବ ବୋଲି ସେ କହିଛନ୍ତି।
୨୦୩୬ ସୁଦ୍ଧା ୧୦ହଜାର କୋଟି ନିବେଶ ଲକ୍ଷ୍ୟ
ଭୁବନେଶ୍ବର, କଟକରେ ହେବ ଆଇଟି ପାର୍କ
ଭୁବନେଶ୍ୱର-କଟକ-ପୁରୀ କରିଡର୍ରେ ଜିସିସି ହବ୍
କର୍ମଶାଳାରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟରେ ୮ଟି ଟେକ୍ ଟାୱାର ବିକାଶ କରାଯିବ। ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଆଇଟି ପାର୍କ ବିକାଶ ପାଇଁ ଆବଶ୍ୟକ ମୁତାବକ ଜମି ଅଧିଗ୍ରହଣ କରାଯାଉଛି। ସିଙ୍ଗାପୁର ସହଯୋଗରେ ପୁରୀରେ କେବୁଲ୍ ଲାଣ୍ଡିଂ ଷ୍ଟେସନ ତଥା ଏକ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ଟେଣ୍ଡର କରାଯାଇଛି। ଓଡ଼ିଶାର ଭିଜନ ୨୦୩୬ ଏବଂ ୨୦୪୭ ଅନୁଯାୟୀ ସ୍ଥିର କରାଯାଇଥିବା ଲକ୍ଷ୍ୟ ଅନୁସାରେ ଭୁବନେଶ୍ୱର-କଟକ-ପୁରୀ କରିଡର୍ରେ ବିଶ୍ୱସ୍ତରୀୟ ଜିସିସି ହବ୍ ବିକାଶ କରାଯିବ। ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ କ୍ଷମତାର ବିସ୍ତାର ଏବଂ ଫିନଟେକ୍ ଓ ଡାଟା ସେଣ୍ଟର୍ର ବିକାଶ କରାଯିବ।
ଓଡ଼ିଶା ଡିଜିଟାଲ୍ ଅର୍ଥନୀତି ମିସନ ଅନୁସାରେ ୭ ହଜାର କୋଟି ଟଙ୍କାରୁ ଅଧିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି କରିବା ଓ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଉଟ୍ସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଓ ପରୀକ୍ଷଣ, ମାର୍କିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ଉପରେ ଜୋର ଦିଆଯାଉଛି। ଶିକ୍ଷାନୁଷ୍ଠାନ ପାଇଁ ଚିପ୍ସ-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ବର ବାହାରେ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଉଛି। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ୫୦ରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେଇଥିଲେ। ଗେମିଂ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା, ସାଇବର ସୁରକ୍ଷା ନୀତି ଆଣିବା, ବାହାରେ ଉଦ୍ୟୋଗ ସ୍ଥାପନ କରିଥିବା ଓଡ଼ିଆଙ୍କୁ ରାଜ୍ୟରେ ୟୁନିଟ୍ ଗଢ଼ିବାକୁ ପ୍ରୋତ୍ସାହିତ କରିବା ଆଦି ପ୍ରସ୍ତାବ ଆସିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ନୀତିରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ମନ୍ତ୍ରୀ ଓ ପ୍ରମୁଖ ସଚିବ ପ୍ରତିଶ୍ରୁତି ଦେଇଥିଲେ।