ନୂଆଦିଲ୍ଲୀ: ୟୁ‌ରୋପୀୟ ସଂଘ (ଇୟୁ) ସହଯୋଗରେ କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ପକ୍ଷରୁ ୭ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିରୁ ଓଡ଼ିଶା ସମେତ ୯ଟି ରାଜ୍ୟ ଉପକୃତ ହେବେ। ପ୍ରକଳ୍ପ ଲାଗି ଇୟୁ ୮୫.୫ କୋଟି ଟଙ୍କା ପ୍ରଦାନ କରିଛି। ପ୍ରକଳ୍ପଗୁଡ଼ିକ ଦ୍ବାରା ୩୫ ହଜାର ଲୋକ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ଏହା ସହିତ ଆସନ୍ତା ୩-୫ ବର୍ଷ ମଧ୍ୟରେ ଏହାର ଲାଭ ୧୫ ହଜାର ଏମ୍ଏସ୍‌ଏମ୍‌ଇ, ୫୦୦୦ କାରିଗର, ୧୫ହଜାର ଚାଷୀ-ଉତ୍ପାଦନକାରୀମାନଙ୍କୁ ମିଳିବ ବୋଲି ଇୟୁ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ଓ ପ୍ରସାର, ବାଉଁଶ କଳା, ହସ୍ତତନ୍ତ, ଶାଲ, ପାରମ୍ପରିକ ହସ୍ତକଳା ଆଦିର ପ୍ରସାର କରାଯିବ। ଏହି ପ୍ରକଳ୍ପରେ ସ୍ଥାନୀୟ ଗୋଷ୍ଠୀ ଓ ଶିଳ୍ପଗୁଡ଼ିକୁ ସହଯୋଗ କରାଯିବ। 

Advertisment

ତାହାର ପ୍ରଭାବରେ ୨ ଲକ୍ଷ ମହିଳା ସଶକ୍ତ ହୋଇ ଏକ ସ୍ଥାୟୀ ବୟନ ଶିଳ୍ପ ପ୍ରତି ଅଧିକ ଯୋଗଦାନ ଦେଇପାରିବେ। ସ୍ଥାୟିତ୍ବ ଓ ସର୍କୁଲାର ଇକୋନମିକୁ ନେଇ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ରାଜିନାମାର ଏହା ଏକ ଅଂଶ। ସରକାରୀ ଏଜେନ୍ସି ଓ ଘରୋଇ ସଂସ୍ଥା ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ବୟନ କ୍ଷେତ୍ରରେ ଭାରତର ରହିଥିବା ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରାଯିବ। ଏଥି ସହିତ ଏହି କ୍ଷେତ୍ରରେ ନବସୃଜନ, ପ୍ରତିଯୋଗିତା ଓ ବଜାର ଲିଙ୍କେଜ୍ ପ୍ରଦାନ କରି ଅର୍ଥନୈତିକ ସ୍ବାଧୀନତାର ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତରେ ୪.୫ କୋଟିରୁ ଅଧିକ ଲୋକ ବୟନ ଶିଳ୍ପରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ମହିଳା।