ଓଡ଼ିଶା ହରାଇବ ୭୦ କୋଟି ରାଜସ୍ବ, କୋଲ୍‌ ଇଣ୍ଡିଆ ଶ୍ରମିକଙ୍କ ଧର୍ମଘଟ

ନୂଆଦିଲ୍ଲୀ: ‌କୋଇଲାର ବାଣିଜ୍ୟିକ ଖନନ ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି କୋଲ୍‌ ଇଣ୍ଡିଆ ଶ୍ରମିକ ସଂଗଠନ ପକ୍ଷରୁ ତିନି ଦିନିଆ ଧର୍ମଘଟ ଆରମ୍ଭ କରାଯାଇଛି। ଏହା ଦ୍ବାରା କୋଇଲା ଖଣି ଥିବା ରାଜ୍ୟଗୁଡ଼ିକୁ ୩୧୯ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିବ। ଓଡ଼ିଶା ସର୍ବାଧିକ ୭୦ କୋଟି ଟଙ୍କାର ରାଜସ୍ବ ହରାଇବ। ଏହା ବ୍ୟତୀତ ଛତିଶଗଡ଼ ୬୬ କୋଟି ଟଙ୍କା, ମଧ୍ୟପ୍ରଦେଶ ୬୧ କୋଟି ଟଙ୍କା, ଝାଡ଼ଖଣ୍ଡ ୬୧ କୋଟି ଟଙ୍କା, ମହାରାଷ୍ଟ୍ର ୨୭ କୋଟି ଟଙ୍କା, ପଶ୍ଚିମବଙ୍ଗ ୨୩ କୋଟି ଟଙ୍କା ଓ ଉତ୍ତରପ୍ରଦେଶ ୧୧ କୋଟି ଟଙ୍କାର କ୍ଷତି ସହିବ ବୋଲି ଜଣାପଡ଼ିଛି।

କୋଲ୍‌ ଇଣ୍ଡିଆ ଶ୍ରମିକ ସଂଗଠନର ତିନିଦିନିଆ ଧର୍ମଘଟ ଯୋଗୁଁ ୪ ନିୟୁତ ଟନ୍ କୋଇଲା ଉତ୍ପାଦନ ପ୍ରଭାବିତ ହେବ। ସାଧାରଣ ଦିନଗୁଡ଼ିକରେ କୋଲ୍‌ ଇଣ୍ଡିଆ ଦିନକୁ ୧.୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥାଏ। ତେଣୁ, ରାଜ୍ୟଗୁଡ଼ିକର ରାଜକୋଷକୁ ଦୈନିକ ୧୦୬ କୋଟି ଟଙ୍କାର ରାଜସ୍ବ ମିଳୁଥିଲା। ଦେଶରେ କୋଇଲା ଉତ୍ପାଦନ ହେଉଥିବା ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ଆସାମ, ଛତିଶଗଡ଼, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ। ୨୦୧୩-୧୪ରୁ ୨୦୧୮-୧୯ ମଧ୍ୟରେ କୋଲ୍‌ ଇଣ୍ଡିଆ ସରକାରଙ୍କୁ ୨.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଦେଇଥିଲା ବୋଲି ସଂସଦରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଥିଲେ। କୋଲ୍‌ ଇଣ୍ଡିଆ ପକ୍ଷରୁ ୨୦୧୩-୧୪ରେ ୧୯,୭୧୩ କୋଟି ଟଙ୍କା,  ୨୦୧୪-୧୫ରେ ୨୧,୪୮୨ କୋଟି ଟଙ୍କା, ୨୦୧୫-୧୬ରେ ୨୯,୦୮୪ କୋଟି ଟଙ୍କା, ୨୦୧୭-୧୮ରେ ୪୪,୦୪୬ କୋଟି ଟଙ୍କା ଓ ୨୦୧୮-୧୯ରେ ୪୪,୮୨୬ କୋଟି ଟଙ୍କାର ରାଜସ୍ବ ସରକାରଙ୍କୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର