ଇ-ଶ୍ରମ ପୋର୍ଟାଲ୍‌ ପଞ୍ଜୀକରଣରେ ଓଡ଼ିଶା ଶୀର୍ଷରେ

ନୂଆଦିଲ୍ଲୀ: ଇ-ଶ୍ରମ ପୋର୍ଟାଲ୍‌ରେ ଶ୍ରମିକ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଶୀର୍ଷ ସ୍ଥାନରେ ରହିଛି। ଦୁଇ ମାସ ମଧ୍ୟରେ ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି। ଓଡ଼ିଶା ପଛକୁ ପଶ୍ଚିମବଙ୍ଗ ଦ୍ବିତୀୟ, ଉତ୍ତରପ୍ରଦେଶ ତୃତୀୟ, ବିହାର ଚତୁର୍ଥ ଓ ମଧ୍ୟପ୍ରଦେଶ ପଞ୍ଚମ ସ୍ଥାନରେ ରହିଛନ୍ତି। ସାରା ଦେଶରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ମହିଳା ହୋଇଥିବା ୪୯.୯୮ ପ୍ରତିଶତ ହେଉଛନ୍ତି ପୁରୁଷ ଶ୍ରମିକ।

ଏ ସମ୍ପର୍କରେ ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଯେ ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନେ ସହଜରେ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇପାରିବେ। ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ଅଣସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ। କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ମିଳିଥାଏ। ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ଯ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି।

ପଞ୍ଜୀକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ରହିଛି। ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଇ-ଶ୍ରମ ମୋବାଇଲ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଶ୍ରମିକମାନେ ନିଜେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ସେମାନେ ମଧ୍ୟ ଜନ ସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମ ସୁବିଧା କେନ୍ଦ୍ର, ନିର୍ଦ୍ଦିଷ୍ଟ ଡାକ ଘରେ ଥିବା ଡାକ ବିଭାଗର ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ଏହି ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇପାରିବେ।ସେମାନଙ୍କୁ ଇ-ଶ୍ରମ କାର୍ଡ ଉପରେ ଗୋଟିଏ ଏକକ ପରିଚୟ ସଂଖ୍ୟା ମିଳିବ। ସାରା ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏହା ଗ୍ରହଣୀୟ ହେବ। ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ତାଙ୍କର ନିକଟ ସମ୍ପର୍କୀୟମାନେ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବେ। ଆଂଶିକ ଦିବ୍ୟାଙ୍ଗ କ୍ଷେତ୍ରରେ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ।

ସମ୍ବନ୍ଧିତ ଖବର