ଭୁବନେଶ୍ବର: ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିବାରେ ଓଡ଼ିଶା ଦେଶର ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକୁ ପଛରେ ପକାଇ ଦେଇଛି। ରେଟିଂ ଏଜେନ୍ସି ‘ଇକ୍ରା’ ଜାରି କରିଥିବା ଏକ ରିପୋର୍ଟ ଅନୁସା‌ରେ ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଚକ୍ରବୃଦ୍ଧି ହାର ବାର୍ଷିକ ୧୦ ପ୍ରତିଶତ ରହିଛି ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ। ଗ୍ରସ୍‌ ଷ୍ଟେଟ୍‌ ଭାଲ୍ୟୁ ଆଡେଡ୍‌ (ଭିଏସ୍‌ଭିଏ) ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ଅର୍ଥନୀତିକୁ ଶିଳ୍ପର ଅବଦାନ ବଢ଼ୁଥିବା ବେ‌ଳେ ତା’ପଛକୁ ରହିଛି ସେବା ଓ କୃଷି କ୍ଷେତ୍ର। 

Advertisment

ରାଜ୍ୟର ଏଭଳି ପ୍ରଦର୍ଶନକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ‘ଏକ୍ସ’ (ପୂର୍ବରୁ ଟ୍ବିଟର୍‌)ରେ ସେ ଲେଖିଛନ୍ତି ଇକ୍ରା ଲିମିଟେଡ୍‌ ରିପୋର୍ଟ ଅନୁସାରେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ଜିଭିଏରେ ଚକ୍ରବୃଦ୍ଧି ହାରରେ ୧୦ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାଇ ଖୁସି ଲାଗୁଛି। ମାନୁଫାକ୍‌ଚରିଂ (ବିନିର୍ମାଣ)ର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଲାଗି ଶିଳ୍ପରେ ଏହି ବିକାଶ ହୋଇଛି। ମେକ୍ ଇନ୍ ଓଡ଼ିଶା ଜରିଆରେ ପୁଞ୍ଜିନିବେଶ ହାସଲ କରିବାକୁ ଉଦ୍ୟମ ଶିଳ୍ପ ପରିବେଶକୁ ସମୃଦ୍ଧ କରାଯାଇଥିବାରୁ ରାଜ୍ୟର ମୋଟ୍‌ ଜିଭିଏରେ ଶିଳ୍ପର ଭାଗ ୨୦୨୪ରେ ୫୧ ପ୍ରତିଶତକୁ ବୃଦ୍ଧି ପାଇଛି।

୧୦ ବର୍ଷରେ ଅଭିବୃଦ୍ଧି ସର୍ବୋଚ୍ଚ ୧୦%
ଅର୍ଥନୀତିକୁ ଶିଳ୍ପର ଅବଦାନ ୫୧%

ତାହା ହେଉଛି ସମଗ୍ର ଦେଶରେ ସର୍ବାଧିକ। ସ୍ଥିର ମୂଲ୍ୟରେ ଓଡ଼ିଶାର ଜିଏସ୍‌ଭିଏ ଅଭିବୃଦ୍ଧି ଦ୍ବିତୀୟ ସର୍ବାଧିକ ୭ ପ୍ରତିଶତ ରହିଛି ଯାହା ଜାତୀୟ ଅର୍ଥନୀତି ହାସଲ କରିଥିବା ୫.୮ ପ୍ରତିଶତ ତୁଳନାରେ ଅଧିକ। ଲୋକମାନଙ୍କ ସହଯୋଗରୁ ଏହି ବିକାଶ ସମ୍ଭବ ହୋଇଥିବା ଦର୍ଶାଇ ସେ ରାଜ୍ୟର ୪.୫ କୋଟି ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇକ୍ରା ରିପୋର୍ଟ ଅନୁସା‌ରେ, ଅର୍ଥନୀତିର ବିଭିନ୍ନ ମାନଦଣ୍ଡରେ ଶ୍ରେ‌ଷ୍ଠ ପ୍ରଦର୍ଶନ କରିଥିବା ତିନିଟି ରାଜ୍ୟ ହେଉଛନ୍ତି କର୍ଣ୍ଣାଟକ, ଓଡ଼ିଶା ଓ ତେଲେଙ୍ଗାନା।

ସର୍ବଭାରତୀୟ ସ୍ତରରେ ଅର୍ଥନୀତିକୁ ସେବା କ୍ଷେତ୍ରର ଅବଦାନ ସର୍ବାଧିକ ୫୫ ପ୍ରତିଶତ ଥିବା ବେଳେ ତା’ ପଛକୁ ରହିଛନ୍ତି ଶିଳ୍ପ (୩୧%) ଓ କୃଷି (୧୫%)। ରାଜ୍ୟ ଜିଭିଏକୁ କୃଷିର ଅବଦାନ ସର୍ବ‌ାଧିକ ୩୩ ପ୍ରତିଶତ ମଧ୍ୟପ୍ରଦେଶରେ ଥିବା ବେଳେ ସେବାର ଅବଦାନ କର୍ଣ୍ଣାଟକରେ ସର୍ବାଧିକ ୬୬ ପ୍ରତିଶତ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ଜିଭିଏକୁ ଶିଳ୍ପ ଅବଦାନ କ୍ଷେତ୍ରରେ ୫୧ ପ୍ରତିଶତ ସହ ଗୁଜରାଟ ଓ ଓଡ଼ିଶା ଯୁଗ୍ମ ଶୀର୍ଷରେ ରହିଛନ୍ତି। କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିବାରେ ଆନ୍ଧ୍ରପ୍ରଦେଶ ଆଗରେ ଥିବା ବେଳେ ସେବା କ୍ଷେତ୍ରରେ କର୍ଣ୍ଣାଟକ ଆଗୁଆ ରହିଛି।