ଭୁବନେଶ୍ବର: ଖଣିଜ ଓ ଧାତବ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଥିବା ରାଜ୍ୟ ଓଡ଼ିଶା ଶିଳ୍ପାୟନରେ ବିବିଧତା ଆଣିବା ଉପରେ ଗୁରୁତ୍ବ ଦେଉଛି। ଅକ୍ଷୟ ଶକ୍ତି, ପେଟ୍ରୋରସାୟନ, ସେମିକଣ୍ଡକ୍ଟର ଭଳି ନୂଆ ନୂଆ କ୍ଷେତ୍ରରେ ପୁଞ୍ଜିନିବେଶ ହାସଲ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶାକୁ ପେଟ୍ରୋରସାୟନର ପେଣ୍ଠସ୍ଥଳରେ ପରିଣତ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ଆସନ୍ତା ୧୦ ବର୍ଷରେ ଏହି କ୍ଷେତ୍ର ପ୍ରତି ୧.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।
‘ବ୍ଲୁମ୍ବର୍ଗ’ ସହ ଏ ସମ୍ପର୍କରେ ଆଲୋଚନା କରି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଏକ ନାପ୍ଥା କ୍ରାକର ୟୁନିଟ୍ ନିର୍ମାଣ ଲାଗି ନିବେଶ ଘୋଷଣା କରାଯାଇଛି। ଆମେ ଯେଉଁ ପେଟ୍ରୋରସାୟନ୍ ହବ୍ ପରିକଳ୍ପନା କରିଛୁ ତାହାର ଅଧା ନିବେଶ ଏହା ଜରିଆରେ ଆସିଛି। ସେହିଠାରେ ଆଗ୍ରୋକେମିକାଲ୍ସ ଓ ଫାର୍ମାସ୍ୟୁଟିକାଲ୍ସ ଭଳି ମାଧ୍ୟମିକ ଉତ୍ପାଦ ପାଇଁ ଆନୁଷଙ୍ଗିକ ବଜାର ବିକାଶ କରାଯିବ। ଏହି ହବ୍ ଭାରତକୁ ପେଟ୍ରୋରସାୟନ ଆମଦାନି କମ୍ କରିବାରେ ସହାୟକ ହେବ ଏବଂ ଓଡ଼ିଶାକୁ ଏକ ନୂଆ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଉପସ୍ଥାପନ କରିବ ବୋଲି ସେ କହିଛନ୍ତି। ଶ୍ରୀ ଶର୍ମାଙ୍କ ମତରେ ବିଶ୍ବସ୍ତରରେ ବାଣିଜ୍ୟକୁ ନେଇ ଦେଖାଦେଇଥିବା ଉତ୍ତେଜନା ନୂତନ ନିବେଶ ହାସଲ କରିବାର ସୁଯୋଗ ସୃଷ୍ଟି କରିଛି। ଆକର୍ଷଣୀୟ ପ୍ରୋତ୍ସାହନ ଜରିଆରେ ନିବେଶକମାନଙ୍କୁ ଆକୃଷ୍ଟ କରିବା ଉପରେ ଧ୍ୟାନ ଦିଆଯାଉଛି। ନିବେଶକମାନଙ୍କୁ ବନ୍ଦର ନିକଟରେ ଜମି ଯୋଗଇଦେବା, କମ୍ ମୂଲ୍ୟରେ ବିଦ୍ୟୁତ୍, ପୁଞ୍ଜିନିବେଶ ସବ୍ସିଡି ଏବଂ ଆବଶ୍ୟକ ଜଳ ଯୋଗାଣ ସୁବିଧା ପ୍ରଦାନ କରି ଓଡ଼ିଶା ନିବେଶକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି।
ପାରାଦୀପରେ ଇଣ୍ଡିଆନ ଅଏଲ୍ ୬୧ ହଜାର କୋଟି ଟଙ୍କା ନିବେଶରେ ଡୁଆଲ୍ ଫିଡ୍ କ୍ରାକର୍ ୟୁନିଟ୍ ବସାଇବାକୁ ଗତମାସରେ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ପୂର୍ବରୁ ସେହି ଅଞ୍ଚଳରେ କମ୍ପାନିର ଏକ ଦୈନିକ ୩,୦୦,୦୦୦ ବ୍ୟାରେଲ୍ କ୍ଷମତା ବିଶିଷ୍ଟ ତୈଳ ବିଶୋଧନାଗାର ରହିଛି। ଆଗାମୀ ଦିନରେ ଏହି ଅଞ୍ଚଳରେ ବହୁ ସଂସ୍ଥା ସେମାନଙ୍କ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହୀ ଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଚୀନ୍ ଓ ଦକ୍ଷିଣ ପୂର୍ବ ଏସିଆରେ ନିବେଶକମାନଙ୍କୁ ଉପଲବ୍ଧ କରାଯାଉଥିବା ମାନର ଭିତ୍ତିଭୂମି ଉପଲବ୍ଧ କରାଇ ଓଡ଼ିଶା ସେମାନଙ୍କୁ ଆକୃଷ୍ଟ କରିବାକୁ ଚାହୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।