ଓଡ଼ିଶାରେ ହେବ ପ୍ରୋ-କବାଡ଼ି ଲିଗ୍‌!

କଟକ: ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରୋ-କବାଡ଼ି ଲିଗ୍‌ର କୌଣସି ସଂସ୍କରଣ ଖେଳାଯିବ। ପ୍ରୋ-କବାଡ଼ି ଲିଗ୍‌ର ଫ୍ରାଞ୍ଚାଇଜି ଓ କିଛି ଦଳର ପ୍ରଶିକ୍ଷକ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମକୁ ବୁଧବାର ପରିଦର୍ଶନରେ ଆସିଥିଲା ବେଳେ ଏଭଳି ସଙ୍କେତ ଦେଇଛନ୍ତି। ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ଷ୍ଟାର୍‌ ସ୍ପୋର୍ଟ୍ସ ପକ୍ଷରୁ ଅର୍ମାନ୍‌ ଛରନା ଓ ସିଦ୍ଧାନ୍ତ ଗୌତମ ଦିନ ତମାମ୍‌ ଷ୍ଟାଡିୟମର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଷୟରେ ଯାଞ୍ଚ କରିଥିଲେ। ପରେ ରାଜ୍ୟ କବାଡ଼ି ସଂଘ ଓ ଭାରତୀୟ ମହାଂସଘର ବୈଷୟିକ ଅଧିକାରୀଙ୍କ ସହିତ ଏବିଷୟରେ ଆଲୋଚନା ମଧ୍ୟ କରିଛନ୍ତି। ଏଠାରେ ୪ଟି କୋର୍ଟରେ ମ୍ୟାଚ୍‌ ହେଉଥିବା ବେଳେ ପ୍ରୋ-କବାଡ଼ି ପାଇଁ ଯାହା ଆବଶ୍ୟକ ସବୁ ସୁବିଧା ଉପଲବ୍ଧ ଅଛି। କିନ୍ତୁ ଅନ୍ୟାନ୍ୟ ବାହ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍‌ଠାକ୍‌ ରହୁଥିଲେ, ଏଠାରେ ଏହି ପେଶାଦାର ପ୍ରତିଯୋଗିତା ଆୟୋଜନରେ କୌଣସି ସମସ୍ୟା ନାହିଁ ବୋଲି ପ୍ରୋ-କବାଡ଼ିର ବୈଷୟିକ ନିର୍ଦେଶକ ପ୍ରସାଦ ରାଓ କହିଛନ୍ତି। ଅନ୍ୟପକ୍ଷରେ ସଂଧ୍ୟାବେଳେ ୟୁପି ୟୋଦ୍ଧାର ମାଲିକ ତଥା ଜିଏମ୍‌ଆର୍‌ ସିଇଓ କର୍ଣ୍ଣେଲ ବିନୋଦ ବିସ୍ତ, ପ୍ରଶିକ୍ଷକ ଅର୍ଜୁନ ସିଂହ, ହରିଆନା ଷ୍ଟିଲର୍ସର ପ୍ରଶିକ୍ଷକ ଶ୍ରୀନିବାସ ରେଡ୍ଡୀ, ରାମବୀର ଖୋକର୍‌ ଇନ୍‌ଡୋର ପରିଦର୍ଶନ କରିଛନ୍ତି। ଏଥିସହିତ ଏଠାରୁ ଖେଳାଳି ଚୟନ କରିବା ପାଇଁ ପ୍ରତ୍ୟେକ ମ୍ୟାଚ୍‌କୁ ମଧ୍ୟ ନୀରିକ୍ଷଣ କରୁଛନ୍ତି। ଏଠାରେ ଥିବା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଦେଖିଲେ ପ୍ରୋ-କବାଡ଼ି ଆୟୋଜନ ହେବା ନେଇ କୌଣସି ସମସ୍ୟା ନଥିବା ହରିଆନା ଷ୍ଟିଲର୍ସର ପ୍ରଶିକ୍ଷକ ଶ୍ରୀନିବାସ ରେଡ୍ଡୀ କହିଛନ୍ତି। ତଥାପି ଓଡ଼ିଶାରେ କୌଣସି ପ୍ରାଞ୍ଚାଇଜି ଆଗକୁ ଆସିଲେ ଏଠାରୁ ମଧ୍ୟ ଗୋଟିଏ ଦଳ ବାହାରିପାରିବ। ଆଗକୁ ସବୁ ଫ୍ରାଞ୍ଚାଇଜିମାନଙ୍କର ବୈଠକ ବସିଲେ ଓଡ଼ିଶା ବିଷୟରେ ଆଲୋଚନା କରାଯିବ ବୋଲି ଜିଏମ୍‌ଆର୍‌ ସିଇଓ କର୍ଣ୍ଣେଲ ବିସ୍ତ କହିଛନ୍ତି।

ସମ୍ବନ୍ଧିତ ଖବର