ଓଡ଼ିଶା ଆଣିବ କୃଷି ରପ୍ତାନି ନୀତି: ଅନୁମୋଦନ ପାଇଁ ଏପେଡା ନିକଟରେ ଚିଠା ନୀତି ଦାଖଲ

ଚାଷୀଙ୍କୁ ମିଳିବ ବଡ଼ ବଜାର, ବାଧକ ସାଜିଛି ଭିତ୍ତିଭୂମି

ଭୁବନେଶ୍ବର: ଖୁବ୍ ଶୀଘ୍ର ଓଡ଼ିଶା ଆଣିବ ସ୍ବତନ୍ତ୍ର କୃଷି ରପ୍ତାନି ନୀତି। ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ହୋଇ ଭାରତ ସରକାରଙ୍କ ଏପେଡା (କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନି ବିକାଶ କର୍ତ୍ତୃପକ୍ଷ)ଙ୍କୁ ପଠାଯାଇଛି। ଆପିକଲ ପରିଚାଳନା ନିର୍ଦେଶକ ପ୍ରଭାତ ରାଉଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଚିଠା ପ୍ରସ୍ତୁତ କରିଛି। ଚାଷୀଙ୍କ ଆୟ ଦୁଇ ଗୁଣର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ରପ୍ତାନି ନୀତି-୨୦୧୮ ପ୍ରସ୍ତୁତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟମାନେ ମଧ୍ୟ ନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଗତ ଫେବ୍ରୁଆରି ମାସରେ ମହାରାଷ୍ଟ୍ର କୃଷି ରପ୍ତାନି ନୀତିକୁ କାର୍ଯ୍ୟକାରୀ କରିଛି।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ସ୍ବତନ୍ତ୍ର ରପ୍ତାନି ନୀତି ରହିଛି କିନ୍ତୁ ସ୍ବତନ୍ତ୍ର କୃଷି ରପ୍ତାନି ନୀତି ନାହିଁ। ଖଣିଜ ସାମଗ୍ରୀ ଏବଂ ଚିଙ୍ଗୁଡ଼ି ସମେତ କାଁଭାଁ କିଛି ସାମଗ୍ରୀ ବ୍ୟତୀତ ରାଜ୍ୟରେ ଉତ୍ପାଦିତ ଅନ୍ୟ କୌଣସି ସାମଗ୍ରୀ ସିଧାସଳଖ ରପ୍ତାନି ହୋଇପାରୁ ନାହିଁ। କିଛି ବର୍ଷ ପୂର୍ବରୁ ଓଡ଼ିଶା ୭୦୦ କୋଟି ଟଙ୍କାର ବାସ୍ନା ଚାଉଳ ସାଉଦି ଆରବ ସମେତ ବିଭିନ୍ନ ଦେଶକୁ ପଠାଇଥିଲା। ମାତ୍ର ଏହା ନିୟମିତ ହୋଇପାରୁ ନାହିଁ। ରାଜ୍ୟରେ ଉତ୍ପାଦିତ ଉନ୍ନତ ମାନର ହଳଦୀ, କାଜୁ ଓ ମହୁ ଦେଶ, ବିଦେଶରେ ଭଲ ବ୍ୟବସାୟ କରୁଥିଲେ ମଧ୍ୟ ଏହାର ଲାଭ କିମ୍ବା ଶ୍ରେୟ ଓଡ଼ିଆ ଚାଷୀଙ୍କୁ ମିଳେନାହିଁ। ବରଂ ବିଭିନ୍ନ କମ୍ପାନିଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ଠାରୁ ଏହି କ୍ରୟ କରି ବିଦେଶରେ ବ୍ୟବସାୟ କରନ୍ତି। ଓଡ଼ିଶାର ଯେଉଁ ସାମଗ୍ରୀ ରପ୍ତାନି ହେଉଛି ତାହା ମଧ୍ୟ ସିଧାସଳଖ ଓଡ଼ିଶାରୁ ନଯାଇ ବିଶାଖାପାଟଣା, କୋଲକାତା ଦେଇ ଯାଉଛି। ରାଜ୍ୟର କେହି ଏଥିପାଇଁ ପଞ୍ଜୀକୃତ ନୁହନ୍ତି। ତେଣୁ ରାଜ୍ୟର ସାମଗ୍ରୀର ଚାହିଦା ବଢିଲେ ମଧ୍ୟ ଓଡ଼ିଶାର ବିଶେଷ ଲାଭ ହେଉନାହିଁ।

ସ୍ବତନ୍ତ୍ର କୃଷି ନୀତି କାର୍ଯ୍ୟକାରୀ ହୋଇ ପାରିଲେ ସ୍ଥାନୀୟ ଚାଷୀମାନେ ସିଧାସଳଖ ବଡ଼ ବଜାର ପାଇପାରିବେ ଏବଂ ସେମାନଙ୍କୁ ଲାଭ ମଧ୍ୟ ମିଳିବ। ରପ୍ତାନିଜନିତ ରିହାତିର ଲାଭ ମିଳିବ। ଏଥିପାଇଁ ରାଜ୍ୟ କୃଷି ରପ୍ତାନି ନୀତିରେ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ଏହାକୁ ଅନୁମୋଦନ ପାଇଁ କେନ୍ଦ୍ରର କୃଷି ରପ୍ତାନି ନୀତି କାର୍ଯ୍ୟକାରୀ କରୁଥିବା ନୋଡାଲ ଏଜେନ୍ସି ଏପେଡାକୁ ପଠାଯାଇଛି। ଓଡ଼ିଶାରେ ରପ୍ତାନି ହେବାକୁ ଥିବା କୃଷିଜାତ ସାମଗ୍ରୀର ଟେଷ୍ଟିଂ ଲାବ୍‌ ନାହିଁ। ଲାବ ସାର୍ଟିଫାଏଡ ପରେ ଏହା ବାହାରକୁ ପଠାଯାଇ ପାରେ। ତେଣୁ ଓଡ଼ିଶା କୃଷି ରପ୍ତାନି ନୀତି ଅନୁମୋଦିତ ହେଲେ ଦେଶର ଅନ୍ୟ ସ୍ଥାନରେ ଥିବା ଟେଷ୍ଟିଂ ଲାବ୍‌ ଓଡ଼ିଶାକୁ ଭଡ଼ାରେ କେମିତି ମିଳିପାରିବ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ବୃହତ୍ କ‌ାର୍ଗୋ କଣ୍ଟେନର ନାହିଁ। ଏଥିଯୋଗୁଁ ରପ୍ତାନି ବାଧାପ୍ରାପ୍ତ ହେବ। ଏଥିପ୍ରତି ମଧ୍ୟ ଦୃଷ୍ଟିଦେବାକୁ ପ୍ରସ୍ତାବ ରହିଛି। ଏଥିସହିତ ବିଭିନ୍ନ ପ୍ରକାର ଭିତ୍ତିଭୂମିର ଅଭାବ ରହିଛି। ରପ୍ତାନି ପାଇଁ ଯେତେ ପରିମାଣର ଉତ୍ପାଦନ ଆବଶ୍ୟକ ସେହି ହିସାବରେ ମଧ୍ୟ ଓଡ଼ିଶା ଚାଷୀଙ୍କ ପାଇଁ ଆର୍ଥିକ କ୍ଷମତା ନାହିଁ। ସେହିପରି ରପ୍ତାନି ପାଇଁ ସ୍ଥାନୀୟ ଚାଷୀ ଏବଂ ଉତ୍ପାଦ ଗ୍ରୁପକୁ ବ୍ୟାପକ ପ୍ରଶିକ୍ଷଣ ଆବଶ୍ୟକ। ରାଜ୍ୟର କୃଷି ରପ୍ତାନି ନୀତି ଅନୁମୋଦନକୁ ଆଉ କେତେ ଦିନ ଲାଗିବ ଏହା ବାସ୍ତବପକ୍ଷରେ ଚାଷୀଙ୍କୁ ହିତରେ କେତେ ଲାଗିପାରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର