ଡିସେମ୍ବର ଭିତରେ ଋଣ କରିବନି ଓଡ଼ିଶା, ବିଭିନ୍ନ ରାଜ୍ୟ ୨ ଲକ୍ଷ କୋଟିରୁ ଅଧିକ ଋଣ କରିବେ

ରିଜର୍ଭ ବ୍ୟାଙ୍କ ବଣ୍ଡ୍‌ ନିଲାମ କରିବ, କେନ୍ଦ୍ର ବି ଅଧିକ ଋଣ ଆଣିବନି

ଭୁବନେଶ୍ବର, : ଆସନ୍ତା ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ବଣ୍ଡ୍‌ ଜରିଆରେ ବଜାରରୁ ଋଣ ଉଠାଇବା ଲାଗି ଓଡ଼ିଶାର କୌଣସି ଯୋଜନା ନଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଗୁଡ଼ିକ ଋଣ କରିବାକୁ ରଖିଥିବା ଯୋଜନା ସମ୍ପର୍କିତ ତଥ୍ୟ ଜାରି କରାଯାଇଛି। ସେଥିରେ ଓଡ଼ିଶାର ନାମ ନାହିଁ। ଡିସେମ୍ବର ମଧ୍ୟରେ ବିଭିନ୍ନ ରାଜ୍ୟ ବଜାରରୁ ୨ ଲକ୍ଷ ୨ ହଜାର ୨୪୨ କୋଟି ଟଙ୍କାର ଋଣ କରିବେ। ପ୍ରତି ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଣ୍ଡ୍ ନିଲାମ କରାଯିବ।

ଅକ୍ଟୋବର ମାସରେ ୬, ୧୩, ୨୦ ଓ ୨୭ ତାରିଖରେ ବିଭିନ୍ନ ରାଜ୍ୟ ୬୬ ହଜାର ୫୩୧ କୋଟି ଟଙ୍କାର ଋଣ କରିବେ। ଆନ୍ଧ୍ର, ଛତିଶଗଡ଼, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ କେରଳ ବିଭିନ୍ନ ପର୍ଯ୍ୟାୟରେ ବଜାରରୁ ଋଣ ହାସଲ କରିବେ। ନଭେମ୍ବର ମାସରେ ୩, ୧୦, ୧୭ ଓ ୨୪ ତାରିଖରେ ରାଜ୍ୟଗୁଡ଼ିକ ୬୬,୦୮୩ କୋଟି ଟଙ୍କାର ଋଣ କରିବେ। ଏହି ମାସରେ ମଧ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାନା, ପଞ୍ଜାବ, ରାଜସ୍ଥାନ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ବଜାରରୁ ଋଣ କରିବେ। ଡିସେମ୍ବର ମାସରେ ୧, ୮, ୧୫, ୨୨ ଓ ୨୯ ତାରିଖରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ୬୯,୬୨୮ କୋଟି ଟଙ୍କାର ଋଣ କରିବେ ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ଡିସେମ୍ବରରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନା ଭଳି ରାଜ୍ୟ ଋଣ କରିବେ।

ବିତ୍ତୀୟ ନିଅଣ୍ଟ ବେଲଗାମ, କେନ୍ଦ୍ର ବି ଅଧିକ ଋଣ ଆଣିବନି
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୦-୨୧) ପାଇଁ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁସାରେ କେନ୍ଦ୍ର ସରକାର ୧୨ ଲକ୍ଷ କୋଟି ଟଙ୍କାର ଋଣ କରିବେ। ବଜେଟ୍‌ ଲକ୍ଷ୍ୟ ଠାରୁ ଅଧିକ ଋଣ ଆଣିବାର କୌଣସି ଯୋଜନା ନାହିଁ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ୭.୬୬ ଲକ୍ଷ କୋଟି ଟଙ୍କାର ଋଣ କରିସାରିଛି ଯାହା ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୬୬% ସହ ସମାନ। ତେବେ ଚଳିତ ବର୍ଷ ଲାଗି ପୁଞ୍ଜିପ୍ରତ୍ୟାହାର ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ହାସଲ ହୋଇପାରିବ ନାହିଁ ବୋଲି ସେ ସ୍ବୀକାର କରିଛନ୍ତି। ଏହି ଲକ୍ଷ୍ୟ ବଦଳାଇବା ଲାଗି ସେ ପୁଞ୍ଜିପ୍ରତ୍ୟାହାର ସଚିବଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଚଳିତ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧିରେ ସ୍ବଳ୍ପ ସଞ୍ଚୟ ଜମାଗୁଡ଼ିକର ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଶ୍ରୀ ବଜାଜ କହିଛନ୍ତି।

ତେବେ କଣ୍ଟ୍ରୋଲର ଜେନେରାଲ୍ ଅଫ୍‌ ଆକାଉଣ୍ଟସ୍‌ ଜାରି କରିଥିବା ତଥ୍ୟ ଅନୁସାରେ ଅଗଷ୍ଟରେ ଦେଶର ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ିଛି। ଏହା ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୧୦୯.୩ ପ୍ରତିଶତ ସ୍ତରରେ ପହଞ୍ଚିଯାଇଛି। ଟଙ୍କା ମୂଲ୍ୟ ହିସାବରେ ବିତ୍ତୀୟ ନିଅଣ୍ଟ ୮,୭୦,୩୪୭ କୋଟି ଟଙ୍କା ହୋଇଛି। ଯେତେବେଳେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଥାଏ ସେହି ସମୟରେ ବିତ୍ତୀୟ ନିଅଣ୍ଟ ସୃଷ୍ଟି ହୁଏ। ସରକାର ଯେତିକି ଟଙ୍କାର ଆୟ କରିଛନ୍ତି ତା’ଠାରୁ ୮.୭ ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ସାରାରେ ବିତ୍ତୀୟ ନିଅଣ୍ଟକୁ ୭.୯୬ ଲକ୍ଷ କୋଟି ଟଙ୍କା ଭିତରେ ରଖିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାରଛି। ଆସନ୍ତାବର୍ଷ ମାର୍ଚ୍ଚରେ ଆର୍ଥିକ ବର୍ଷ ଶେଷ ହେବାକୁ ଥିବା ବେଳେ ତାହାର ବହୁ ପୂର୍ବରୁ ବଜେଟ୍ ଲକ୍ଷ୍ୟ ବିଗିଡ଼ିଗଲାଣି।

ସମ୍ବନ୍ଧିତ ଖବର