ଇସ୍ପାତ ଶିଳ୍ପର ସ୍ଥିତି, ଚାହିଦା, କଂପାନିର ସମ୍ପ୍ରସାରଣ ଯୋଜନା ଓ କଞ୍ଚାମାଲ ସୁରକ୍ଷା ସମ୍ପର୍କରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସ୍ପି)ର ପରିଚାଳନା ନିର୍ଦେଶକ ବିମଳେନ୍ଦ୍ର ଝା’ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି
ଭାରତରେ ଇସ୍ପାତ ଶିଳ୍ପର ସ୍ଥିତି କ’ଣ ରହିଛି?
ବିଶ୍ବ ସ୍ତରରେ ମୁଣ୍ଡପିଛା ଇସ୍ପାତ ବ୍ୟବହାର ୨୩୩ କେଜି ଥିବା ବେଳେ ଭାରତରେ ତାହା ୭୬ କେଜି ରହିଛି। ତେଣୁ ଭାରତୀୟ ଇସ୍ପାତ ଶିଳ୍ପ ପାଇଁ ଆଗାମୀ ଦିନରେ ଅଭିବୃଦ୍ଧିର ବ୍ୟାପକ ସୁଯୋଗ ରହିଛି। ଇସ୍ପାତ ବ୍ୟବହାର ଲାଗି ଉପଯୁକ୍ତ ଯୋଗାଣ ବ୍ୟବସ୍ଥାର ଅଭାବ ଯୋଗୁ ଭାରତରେ ଏହି ଧାତବର ବ୍ୟବହାର ଏତେ କମ୍ ରହିଛି। ଏହା ଉପରେ ଜୋର ଦେଲେ ଇସ୍ପାତ ବ୍ୟବହାର ନିଶ୍ଚିତ ବଢ଼ିବ। ଓଡ଼ିଶା ସରକାର ଇସ୍ପାତ ଉପଯୋଗିତା କିମ୍ବା ଉତ୍ପାଦନକୁ ଅଗ୍ରାଧିକାର କ୍ଷେତ୍ର ଭାବେ ବିଚାର କରୁଛନ୍ତି। ତାହା ଇସ୍ପାତ ଉପଯୋଗିତାକୁ ବଢ଼ାଇବ ବୋଲି ମୁଁ ଭାବୁଛି। ଭାରତରେ ଇସ୍ପାତ ଉପଯୋଗିତାରେ ଉନ୍ନତି ଆଣିବାରେ ଓଡ଼ିଶା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା ରହିଛି।
ଭାରତ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ସେଥିପ୍ରତି ଜେଏସ୍ପିର କ’ଣ ଯୋଗଦାନ ରହିବ?
ଭାରତରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେବାକୁ ଯାଉଥିବା ବେଳେ ମୁଁ ଭାବୁଛି ଯେ ଭାରତରେ ଏବେ ଯେତିକି ଇସ୍ପାତ ଉତ୍ପାଦନ ହେଉଛି ଓଡ଼ିଶାରେ ସେତିକି ଇସ୍ପାତ ଉତ୍ପାଦନ ହୋଇପାରିବ। ୨୦୩୦ କିମ୍ବା ୨୦୩୫ ସୁଦ୍ଧା ଓଡ଼ିଶାରେ ୧୦୦ ନିୟୁତ ଟନ୍ରୁ ଅଧିକ ଇସ୍ପାତ ଉତ୍ପାଦନ ହେବ। ଜେଏସ୍ପିରେ ଆମେ ଅନୁଗୁଳରେ ବାର୍ଷିକ ୨୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଗୋଟିଏ ସ୍ଥାନରେ ଦୁନିଆର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଚାହୁଛୁ।
ଟିକସରେ ହୋଇଥିବା ହ୍ରାସ ଇସ୍ପାତ ଚାହିଦା ବୃଦ୍ଧିରେ ସହାୟକ ହେବ କି?
ବ୍ୟବସାୟ ଲାଗି ସମାନ ସୁଯୋଗ ଦେବା ପାଇଁ ଟିକସ ହ୍ରାସ କରାଯାଇଛି। ଆନ୍ତର୍ଜାତିକ ବଜାରରେ ଇସ୍ପାତ ଦାମ୍ ଅଧିକ ଥିବା ବେଳେ ରପ୍ତାନିକୁ ରୋକାଯାଇଥିଲା। ଯେତେବେଳେ ବିଦେଶରେ ଇସ୍ପାତ ଦାମ୍ ହ୍ରାସ ପାଇଲା, ବିପୁଳ ପରିମାଣର ଇସ୍ପାତ ଆମଦାନି ହେଲା। ସରକାର ଏବେ ରପ୍ତାନି ଟିକସ ହଟାଇଥିବାରୁ ଭାରତୀୟ ଇସ୍ପାତ କଂପାନି ଲାଗି ବ୍ୟବସାୟ ନିମନ୍ତେ ସମାନ ସୁଯୋଗ ସୃଷ୍ଟି ହୋଇଛି। ଅନେକ ସମୟରେ କଂପାନିଙ୍କ ପାଖରେ ବହୁତ ପରିମାଣର ଇସ୍ପାତ ରହିଯାଏ ଯାହାକୁ ଦେଶ ଭିତରେ ବ୍ୟବହାର କରିବା ସମ୍ଭବ ହୁଏ ନାହିଁ। ସେହି ଇସ୍ପାତକୁ ଏବେ ରପ୍ତାନି କରାଯାଇପାରିବ।
ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ଅଧିଗ୍ରହଣ ଜରିଆରେ ଉତ୍ପାଦନ କ୍ଷମତା ବଢ଼ାଉଥିବା ବେଳେ ଉତ୍ପାଦ ପୋର୍ଟଫୋଲିଓର ବିସ୍ତାର କରୁଛନ୍ତି? ଆପଣ ସେହି ସ୍ଥିତିର କିଭଳି ମୁକାବିଲା କରୁଛନ୍ତି?
ଜେଏସ୍ପି ଏହାର ଅନୁଗୁଳ କାରଖାନାର ଗ୍ରିନ୍ଫିଲ୍ଡ ସମ୍ପ୍ରସାରଣ ଉପରେ ଗୁରୁତ୍ବ ଦେଉଛି। ଆମ ପାଖରେ ଯଥେଷ୍ଟ ପରିମାଣର ଜମି ଅଛି। କୋଇଲା ଖଣି ପାଖରେ ଆମ କାରଖାନା ରହିଛି। ଆମେ ଏକ ୨୦୦ କିଲୋମିଟରର ସ୍ଲରି ପାଇପ୍ଲାଇନ୍ ସ୍ଥାପନ କରୁଛୁ। ତେଣୁ ଆମେ କାହିଁକି ଓଡ଼ିଶାରେ କୌଣସି ଅଧିଗ୍ରହଣ ସୁଯୋଗ ଉପରେ ଧ୍ୟାନ ଦେବୁ। ଆମେ ନିଜର ଏବଂ ବିଶ୍ବସ୍ତରୀୟ କିଛି ଗଠନ କରିବାକୁ ଉଚିତ ଭାବୁଛୁ।
କୋଇଲା ଓ କଞ୍ଚାମାଲ ସୁରକ୍ଷା ପାଇଁ ଜେଏସ୍ପି କ’ଣ କରୁଛି?
ଆମେ ଉତ୍କଳ ସି ବି୧ ଓ ବି୨ କୋଇଲା ଖଣିର ସମୀକ୍ଷା କରିଛୁ। ଆମର ବର୍ତ୍ତମାନ ଥିବା ଡିଆର୍ଆଇ ୟୁନିଟ୍ ଏବଂ କୋଲ୍ ଗ୍ୟାସିଫିକେସନ ପାଇଁ ଆମାଗୀ ଦିନରେ ସ୍ଥାପନ କରିବାକୁ ଯୋଜନା ରଖିଥିବା ୟୁନିଟ୍ ପାଇଁ ସେଥିରୁ କୋଇଲା ମିଳିବ ଏବଂ ଏହି କୋଇଲା ଜରିଆରେ ପାୱାର ପ୍ଲାଣ୍ଟ୍ ମଧ୍ୟ ଉଚ୍ଚ ଦକ୍ଷତାରେ ପରିଚାଳିତ ହେବ। ଆମେ ବଡ଼ବିଲ ଅଞ୍ଚଳରୁ ଲୁହାପଥର ଆଣୁଛୁ। ତିଆରି ହେଉଥିବା ସ୍ଲରି ପାଇପ୍ଲାଇନ୍ ଦ୍ବାରା ଆମେ ପେଲେଟ୍ ତିଆରି କରିପାରିବୁ ଯାହା ଆମର ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଓ ଡିଆର୍ଆଇ ୟୁନିଟ୍ର ଉତ୍ପାଦନରେ ଉନ୍ନତି ଆଣିବ।
ଓଡ଼ିଶାରେ ଅଧିକ ନିବେଶ କରିବାର କିଛି ଯୋଜନା ଅଛି କି?
ଓଡ଼ିଶାରେ ଜେଏସ୍ପି ୫୦ ହଜାର କୋଟି ଟଙ୍କା ନିବେଶ କରିସାରିଛି। ବିଶ୍ବର ସର୍ବବୃହତ କାରଖାନା ନିର୍ମାଣ କରିବା ଲାଗି କଂପାନି ଆଉ ୧.୨୫ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି।
ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ବିଷୟରେ ଆପଣଙ୍କ ମତ କ’ଣ?
ଓଡ଼ିଶା ହେଉଛି ଅର୍ଥନୈତିକ ଦୃଷ୍ଟିରୁ ଏକ ଉନ୍ନତ ରାଜ୍ୟ ଯାହା ପୂର୍ବୋଦୟ ଭାରତର ନେତୃତ୍ବ ନେଉଛି। ରାଜ୍ୟର ବ୍ୟବସାୟ ଓ ଉଦ୍ୟମିତାରେ ସଫଳତାର ପ୍ରସାର ଓ ପ୍ରଶଂସା କରିବା ଲାଗି ସମ୍ବାଦ ଗ୍ରୁପ୍ର ଏହି ଅଭିଯାନ ବେଶ ପ୍ରଶଂସନୀୟ। ଏହା ନିଶ୍ଚିତ ରୂପେ ଆବଶ୍ୟକ ମାନ୍ୟତା ଜରିଆରେ ସ୍ଥାନୀୟ ଶିଳ୍ପ ଓ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ଏବଂ ଭାରତ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ। ଏହା ଓଡ଼ିଶା ବ୍ରାଣ୍ଡ୍କୁ ସୁଦୃଢ଼ ଓ ଉପସ୍ଥାପିତ କରିବାର ଏକ ଅଭିନବ ପଦକ୍ଷେପ।