ଭୁବନେଶ୍ବର: ଓଡ଼ିଶାକୁ ଦେଶର ଶିଳ୍ପାୟନ ହବ୍‌ରେ ପରିଣତ କରିବା ଲାଗି କରାଯାଉଥିବା କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୫ ଶିଳ୍ପୋନ୍ନତ ରାଜ୍ୟ ମଧ୍ୟରେ ସାମିଲ କରିବାକୁ ଆମର ଲକ୍ଷ୍ୟ ରହିଛି। ଆସନ୍ତା ପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ବୋଲି ଆମେ ଦୃଢ଼ ନିଶ୍ଚିତ। ଟାଇମ୍‌ସ ଅଫ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶା ବାଇଟ୍‌ସ ସହଯୋଗରେ ଆୟୋଜିତ ଟାଇମ୍‌ସ ବିଜ୍‌ନେସ୍‌ ଆୱାର୍ଡସ୍‌ର ପଞ୍ଚମ ସଂସ୍କରଣ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଆମେ ନିବେଶକମାନଙ୍କ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଚାହୁଛୁ।  ନିତି ଆୟୋଗ ସହ ମିଶି ସରକାର ଦୁଇଟି ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ୍ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ସ୍ବର୍ଗତ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ଶିଳ୍ପସଂସ୍ଥାଗୁଡ଼ିକରେ କିଭଳି ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ, ସେ ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଷ୍ଟାର୍ଟଅପ୍, ବିଜନେସ୍ ଲିଡର୍‌ ଓ ସିଏସ୍‌ଆର୍‌ ଭଳି ୧୫ଟି ବର୍ଗରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ସମାରୋହରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ଆଲାଏନ୍ସ ଫ୍ରାଙ୍କାଇଜ୍‌ ଡୁ ବେଙ୍ଗାଲେର ନ‌ିର୍ଦ୍ଦେଶକ ନିକୋଲାସ ଫାସିନୋ, ଟାଇମ୍‌ସ ଅଫ୍ ଇଣ୍ଡିଆର ଚିଫ୍ ବିଜନେସ୍ ଅଫିସର ରୋହିତ ଧର୍‌, ଉତ୍ତର ଓ ପୂର୍ବର ମୁଖ୍ୟ ଅଭିନବ ଗୁପ୍ତା, ଓଏମ୍‌ଏସ୍‌ ଡିଭିଜନ୍‌ର ବ୍ୟବସାୟ ମୁଖ୍ୟ ମନୋଜ ଦାଶ, ଓଡ଼ିଶା ବାଇଟ୍‌ସର ଗ୍ରୁପ୍ ଏଡିଟର ସନ୍ଦୀପ ମିଶ୍ର ଓ ଟାଟା ମୋଟର୍ସର ଜୋନାଲ୍ ହେଡ୍‌ ଏନ୍ ଶର୍ମା ଉପସ୍ଥିତ ଥିଲେ।