କୋଭିଡ୍-୧୯‌ ପ୍ରଭାବ: ଓଡ଼ିଶା ୬୮,୩୦୬ କୋଟି କ୍ଷତି ସହିବ, ଏସ‌୍‌ବିଆଇ ଇକୋରାପ୍ ରିପୋର୍ଟ

ମୁଣ୍ଡପିଛା ଆୟ ୧୪,୭୪୫ ଟଙ୍କା କମିବ

ନୂଆଦିଲ୍ଲୀ: କରୋନା ମହାମାରୀ ଓଡ଼ିଶା ସମେତ ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବ। କୌଣସି ନିର୍ଦିଷ୍ଟ ଯୋଜନା ବିନା ଲକ୍‌ଡାଉନ୍ ଲାଗୁ କରିବା ଓ ହଟାଯିବା ଯୋଗୁଁ ଲୋକମାନଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଦେଶର ଅର୍ଥନୀତି ବଡ଼ ଧରଣର କ୍ଷତି ସହିବ। କରୋନା ପ୍ରଭାବରେ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ମୁଣ୍ଡପିଛା ଆୟ ଳ୧୪,୭୪୫ ଟଙ୍କା ହ୍ରାସ ପାଇବ ବୋଲି ଏସ୍‌ବିଆଇ ପକ୍ଷରୁ ଆକଳନ କରାଯାଇଛି। ଦେଶର ଅର୍ଥନୀତିରେ ଏହି ବର୍ଷ ୧୬.୫ ପ୍ରତିଶତ ହ୍ରାସ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ପ୍ରକାଶ ପାଇଥିବା ଏସ୍‌ବିଆଇ ଇକୋରାପ୍ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ପ୍ରଭାବରେ ଓଡ଼ିଶାର ଅର୍ଥନୀତି ୬୮,୩୦୬ କୋଟି ଟଙ୍କାର କ୍ଷତି ସହିବ। ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ୧୧.୯ ପ୍ରତିଶତର ହ୍ରାସ ହେବ।

କ୍ଷତି ସହିବାକୁ ଥିବା ରାଜ୍ୟଗୁଡ଼ିକ ତାଲିକାରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି। ସର୍ବାଧିକ କ୍ଷତି ମହାରାଷ୍ଟ୍ର ସହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଓଡ଼ିଶା ଠାରୁ ଅଧିକ କ୍ଷତି ସହିବାକୁ ଥିବା ରାଜ୍ୟଗୁଡ଼ିକ ତାଲିକାରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, କେରଳ, ହରିୟାନା, ମଧ୍ୟପ୍ରଦେଶ, ପଞ୍ଜାବ ଓ ବିହାର ରହିଛନ୍ତି। ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରାଖଣ୍ଡ, ଆସାମ, ଜାମ୍ମୁ ଓ କାଶ୍ମୀର, ‌ହିମାଚଳ ପ୍ରଦେଶ ଓ ଗୋଆ ଓଡ଼ିଶା ଠାରୁ କମ୍ କ୍ଷତି ସହିବେ। କରୋନା ପ୍ରଭାବରେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟରେ ୨୭ ହଜାର ଟଙ୍କା ହ୍ରାସ ହେବ। ତେବେ ତାମିଲନାଡୁ, ଗୁଜରାଟ, ତେଲେଙ୍ଗାନା, ଦିଲ୍ଲୀ, ହରିୟାନା ଓ ଗୋଆ ଭଳି ରାଜ୍ୟର ମୁଣ୍ଡପିଛା ଆୟରେ ୪୦ ହଜାର ଟଙ୍କାରୁ ଅଧିକ ହ୍ରାସ ଘଟିବ। ସବୁ ରାଜ୍ୟଗୁଡ଼ିକର ଅର୍ଥନୀତି ସାମଗ୍ରିକ ଭାବେ ୩୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବେ। କେବଳ ମହାରାଷ୍ଟ୍ର ୫.୩୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ଏସ୍‌ବିଆଇ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ କୁହାଯାଇଛି, ଗ୍ରାମାଞ୍ଚଳ ତୁଳନା‌େରେ ସହରାଞ୍ଚଳରେ ମୁଣ୍ଡପିଛା ବ୍ୟୟ ୧.୮ ଗୁଣା ଅଧିକ ରହିଛି।

ସମ୍ବନ୍ଧିତ ଖବର