ଜାପାନ ନିବେଶକଙ୍କୁ ସହଯୋଗ କରିବ ଓଡ଼ିଶା

ଭୁବନେଶ୍ୱର: ଜାପାନର ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ‌କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ସକ୍ରିୟତାର ସହ‌ ଯୋଗାଇ ଦିଆଯିବ। ଏଥିସହିତ ଜାପାନ ଓ ଓଡ଼ିଶା ମଧ୍ୟରେ ସହଯୋଗିତା ଯେଭଳି ଚିରସ୍ଥାୟୀ ହେବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି।

ଲୋକସେବା ଭବନ ପରିସରରେ ଉଭୟ ଆଭାସୀ ଓ ଫିଜିକାଲ ମାଧ୍ୟମରେ ଆୟୋଜିତ ଜାପାନ-ଓଡ଼ିଶ ପୁଞ୍ଜିନିବେଶ ଆଲୋଚନାଚକ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଆଲୋଚନା ଚକ୍ରରେ ରାଜ୍ୟ ଶିଳ୍ପ, କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜାପାନ ଓଡ଼ିଶାର ଏକ ସମ୍ମାନିତ ବ୍ୟବସାୟିକ ଭାଗିଦାରର ସ୍ଥାନ ହାସଲ କରିଛି । ଆଗାମୀ ଦିନରେ ଏହି ସହଭାଗିତା ଦୃଢ଼ ଓ ଚିରସ୍ଥାୟୀ ହେବ। ସେହିଭଳି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶାରେ ପୁଞ୍ଜିନିବେଶ ଏବଂ ବ୍ୟବସାୟ ଅନୁକୂଳ ବାତାବରଣ ବହୁଭାବେ ବିକଶିତ ହୋଇଛି। ବିଗତ ବର୍ଷମାନଙ୍କରେ ଅନେକ ଜାପାନୀ ଶିଳ୍ପ ସଂସ୍ଥା ଓଡ଼ିଶାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁମୋଦିତ ପୁଞ୍ଜିନିବେଶ ପ୍ରକଳ୍ପଗୁଡିକୁ ସକ୍ରିୟ ସହଯୋଗ ଯୋଗାଇବା ନିମନ୍ତେ ରାଜ୍ୟ ପ୍ରଶାସନ ସବୁ ସମୟରେ ପ୍ରସ୍ତୁତ ଅଛି। ଜାପାନର ପୁଞ୍ଜିନିବେଶକାରୀମାନଙ୍କୁ ପ୍ରକଳ୍ପ ପ୍ରସ୍ତାବ ଅନୁମୋଦନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ଅବ୍ୟାହତ ଉତ୍ପାଦନ ଆଦି ନିମନ୍ତେ ସବୁ ପ୍ରକାରର ସହଯୋଗ ନିଶ୍ଚିତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଭାରତର ବୈଦେଶିକ ଶାସନ ସଚିବ ହର୍ଷବର୍ଦ୍ଧନ ଶ୍ରୀଂଗଲା କହିଥିଲେ​‌ ଯେ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି । ବ୍ୟାପକ ଶିଳ୍ପ ଭିତ୍ତିଭୂମି, ରାଜନୈତିକ ଇଚ୍ଛାଶକ୍ତି, ଏକ ସକ୍ରିୟ ପ୍ରଶାସନିକ ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଓଡ଼ିଶାରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିଛି । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ଶ୍ରୀଂଗଲା କହିଥିଲେ।

ଇସ୍ପାତ, ଇସ୍ପାତ- ପ୍ରକ୍ରିୟାକରଣ, ଆଲୁମିନିଅମ୍‌, ଆଲୁମିନିଅମ୍‌-ପ୍ରକ୍ରିୟାକରଣ, ପେଟ୍ରୋରସାୟନ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଯନ୍ତ୍ରପାତି ଓ ଉପକରଣ ଏବଂ ମଟରଯାନ ଉତ୍ପାଦନ ଆଦି କ୍ଷେତ୍ରରେ ଜାପାନୀ ପୁଞ୍ଜିନିବେଶର ବ୍ୟାପକ ସୁଯୋଗ ରହିଛି ବୋଲି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ। ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋସି ସୁଜ୍‌କୀଙ୍କ ନେତୃତ୍ୱରେ ଜାପାନର ଉଦ୍ୟୋଗପତିମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଓଡ଼ିଶାରେ ସୃଷ୍ଟି ହୋଇଥିବା ନୂଆ ଶିଳ୍ପ ଓ ବ୍ୟବସାୟିକ ବାତାବରଣ ଜାପାନୀ ପୁଞ୍ଜିନିବେଶକୁ ସଫଳ କରିବାରେ ଅନେକ ସହାୟକ ହେବ ବୋଲି ଶ୍ରୀ ସୁଜୁକୀ କହିଥିଲେ। ଆର୍ସେଲର ମିତ୍ତଲ୍‌, ନିପନ୍ ଷ୍ଟିଲ୍‌, ଟିଆର୍‌ଏଲ୍ କ୍ରୋସୋକି, ଟାଟା ଗ୍ରୁପ୍‌, ଆଦିତ୍ୟ ବିର୍ଲା ଗ୍ରୁପ୍‌, ଇଣ୍ଡୋ-ନିସିନ୍ ଫୁଡ୍‌ସ୍‌, ରିଲାଏନ୍‌ସ୍ ଏବଂ ମାଇଣ୍ଡ-ଟ୍ରି ଆଦି ଶିଳ୍ପ ସଂସ୍ଥାର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓଡ଼ିଶାରେ ନିଜ ନିଜ ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧିତ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଜାପାନର ପ୍ରାୟ ୧୦ ଜଣ ବଡ଼ ବଡ଼ ଶିଳ୍ପପତି ଏହି ଆଲୋଚନାଚକ୍ରରେ ଯୋଗଦେଇ ଥିଲେ। ଇପିକଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଆଲୋଚନାଚକ୍ରର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର