ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ସରକାର କେନ୍ଦ୍ରଠାରୁ କମ୍ ପରିମାଣର ଅନୁଦାନ ପାଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି।
୨୦୧୭-୧୮ରେ ଓଡ଼ିଶା କେନ୍ଦ୍ରୀୟ ଅନୁଦାନ ବାବଦରେ ୨୧,୨୦୯.୮୫ କୋଟି ଟଙ୍କା ହାସଲ କରିବାକୁ ଆଶା ରଖିଛି। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାକୁ ୮୧୮୨.୮୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଛି ଯାହା ପୂର୍ବବର୍ଷ ତୁଳନାରେ କମ୍। ୨୦୧୬ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ସରକାର ୮୮୩୭ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଶି ପାଇଥିଲେ। ଚଳିତ ବର୍ଷ ତା’ଠାରୁ ୬୫୫ କୋଟି ଟଙ୍କା କମ୍ ପାଇଛନ୍ତି। ଏହା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
ଚଳିତ ବର୍ଷ ବଜେଟ୍ରେ ରାଜ୍ୟ ସରକାର ଯେଉଁ ସବୁ ପ୍ରସ୍ତାବ ରଖିଛନ୍ତି ସେ ସବୁକୁ ପୂରଣ କରିବାକୁ ହେଲେ ପାଣ୍ଠି ନିହାତି ଦରକାର। ଯଦି କେନ୍ଦ୍ରୀୟ ଅନୁଦାନ ଏଭଳି ଭାବେ କମ୍ ହେବ ତେବେ ବଜେଟ୍ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଓଡ଼ିଶା ପାଇଁ କଷ୍ଟକର ହୋଇପଡ଼ିବ। ବାଧ୍ୟ ହୋଇ ରାଜ୍ୟ ସରକାରଙ୍କୁ ଖୋଲା ବଜାରରୁ ଋଣ ଉଠାଇବାକୁ ପଡ଼ିବ।
ସମସ୍ତ ଉତ୍ସବରୁ ଚଳିତ ଆର୍ଥିକ ବର୍ଷରେ ୮୮୯୩୧.୫୨ କୋଟି ଟଙ୍କାର ରାଜସ୍ୱ ହାସଲ କରିବାକୁ ରାଜ୍ୟ ସରକାର ବଜେଟ୍ରେ ଘୋଷଣା କରିଛନ୍ତି। ୨୦୧୬-୧୭ରେ ତାହା ୭୪,୨୯୯.୩୯ କୋଟି ଟଙ୍କା ଥିଲା। ନିଜସ୍ୱ ଉତ୍ସବରୁ ସରକାର ୩୬୭୪୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥି ମଧ୍ୟରୁ ୨୭୨୦୦ କୋଟି ଟଙ୍କା ନିଜସ୍ୱ ରାଜସ୍ୱ ବାବଦରେ ଏବଂ ୯୫୪୦ କୋଟି ଟଙ୍କା ନିଜସ୍ୱ ଅଣ-ଟିକସ ରାଜସ୍ୱ ବାବଦରେ ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ସରକାର ୧୩,୮୪୪.୭୩ କୋଟି ଟଙ୍କାର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ କରିସାରିଲେଣି। ଓଡ଼ିଶା ୩୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ୧୩୮୭.୬୩ କୋଟି ଟଙ୍କା ସଂଗ୍ରହ କରିଛି। ଖଣି କ୍ଷେତ୍ରରୁ ଅଣ ଟିକସ ରାଜସ୍ୱ ସଂଗ୍ରହରେ ୪୧ ପ୍ରତିଶତ ବୃଦ୍ଧି ହୋଇଛି। ସେପ୍ଟେମ୍ବର ସୁଦ୍ଧା ଖଣି କ୍ଷେତ୍ରରୁ ୨୭୨୯.୩୩ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp