ଓଡ଼ିଶା ଆପଣାଇଲା ଏଆଇ: ‘ଏଆଇ ପାଇଁ ଓଡ଼ିଶା, ଯୁବବର୍ଗଙ୍କ ପାଇଁ ଏଆଇ’ର ଶୁଭାରମ୍ଭ

ଲୋକଙ୍କ ଜୀବନରେ ଉନ୍ନତି ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ବର ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଓଡ଼ିଶା ସରକାର ଆପଣାଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇ’ ର ଶୁଭାରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ କମ୍ପାନି ଇଣ୍ଟେଲ୍‌ ସହ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ ଓ କଟକରେ ଏହା କାର୍ଯ୍ୟକାରୀ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ବର ପ୍ରଗତି ପାଇଁ ଏଆଇର ଅବିଶ୍ବସନୀୟ ଦକ୍ଷତା ରହିଛି। ରାଜ୍ୟ ସରକାର ପ୍ରଯୁକ୍ତି ଭିତ୍ତିକ ରୂପାନ୍ତରଣ ଉପରେ ଗୁରୁତ୍ବ ଦେଉଛନ୍ତି। ଯାହାକି ୫-ଟିର ଅନ୍ୟତମ ପ୍ରମୁଖ ଉପାଦାନ। ଏହି ପଦକ୍ଷେପ ରାଜ୍ୟର ଜନସାଧାରଣଙ୍କ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ କରିବାରେ ସହାୟକ ହୋଇପାରିବ। ଗବେଷଣା, ନବସୃଜନ ଓ କ୍ଷେତ୍ର ସ୍ତରରେ ପ୍ରୟୋଗ ଲାଗି ଏହା ବ୍ୟବସ୍ଥା ବିକାଶ କରିବ। ଜନସାଧାରଣଙ୍କ ଆର୍ଥିକ ଅଭିବୃଦ୍ଧି, ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଓ ଲୋକଙ୍କ ଜୀବନର ଉନ୍ନତି ଆଣିବାରେ ଏଆଇ ସହାୟକ ହେବ। ସବୁ ବିଭାଗ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ‌ବେହେରା ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ପରିବର୍ତନ କରୁଥିବା ଟେକ୍‌ନୋଲୋଜିକୁ ନେଇ ରାଜ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏଆଇ ପଦକ୍ଷେପ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ ଭିତରେ ସାମିଲ କରିବାରେ ଏହା ସହାୟକ ହୋଇପାରିବ। ବୋଲି ସେ କହିଛନ୍ତି। ଏହି ଅବସରରେ ଇଣ୍ଟେଲ ଇଣ୍ଡିଆର ମୁଖ୍ୟ ନିଭୃତି ରାଏ, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଉନ୍ନୟନ କମିସନର ଅନୁ ଗର୍ଗ, ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର