ଭୁବନେଶ୍ବର: କୃଷିଜାତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଆଉ ଏକ ବଡ଼ ଉପଲବ୍ଧି ମିଳିଛି। ରାଜ୍ୟର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଡ୍ରାଗନ ଫଳକୁ ଦୁବାଇ ରପ୍ତାନି କରାଯାଇଛି। ଢେଙ୍କାନାଳର ଆମ୍ବ, ବଲାଙ୍ଗୀରର ପୋଟଳ ପରେ ଏବେ ଡ୍ରାଗନ ଫଳ ବିଦେଶ ଯାଇଛି। ବୁଧବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲ୍ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପାତାକ ଦେଖାଇ ରପ୍ତାନି ଆରମ୍ଭ କରିଥିଲେ।
ଇଣ୍ଡିଗୋ କାର୍ଗୋ ଜରିଆରେ ୪ କ୍ବିଣ୍ଟାଲ ଡ୍ରାଗନ ଫଳ ଦୁବାଇ ରପ୍ତାନି କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଜୈବିକ ପଦ୍ଧତିରେ ଏହାକୁ ଚାଷ କରାଯାଇଛି ଯାହା ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ। ଏହା ସ୍ବାସ୍ଥ୍ୟପକ୍ଷେ ହିତକର। ଏହାକୁ ଖାଇଲେ କ୍ୟାନସର, ଡାଇବେଟିସ୍ ଓ କୋଷ୍ଠକାଠିନ୍ୟ ଭଳି ରୋଗର ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବିପୁଳ ପରିମାଣର କୃଷିଜାତ ସାମଗ୍ରୀ ରପ୍ତାନି କରିବା ଯୋଜନା ରହିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ଏହି ଅବସରରେ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ଆପେଡାର ସୀତାକାନ୍ତ ମଣ୍ଡଳ, ବିଶ୍ବଜିତ ବେହେରା, ଦେବରାତି ଘଟକଳ ସାର୍ଥକ ଦର୍ଶନ, ଶ୍ରୀତମ ପାଣିଗ୍ରାହୀ ଓ ବିଭୂତି ବିକାଶ ପିଲାଇ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୩-୨୪ରେ ରାଜ୍ୟରୁ ୩୯୫୪ କୋଟି ଟଙ୍କାର ମତ୍ସ୍ୟ ସମ୍ପଦ ରପ୍ତାନି ହୋଇଥିବା ନେଇ ବିଧାନସଭାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଜଣାଇଛନ୍ତି ଯେ ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଜାତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ଥିଲା। ରାଜ୍ୟରୁ ୨୦୨୧-୨୨ରେ ୪୬୨୭.୯୧ କୋଟି ଟଙ୍କା ଓ ୨୦୨୨-୨୩ରେ ୪୫୪୬.୪୭ କୋଟି ଟଙ୍କାର ମତ୍ସ୍ୟ ରପ୍ତାନି ହୋଇଥିଲା। ଗତ ତିନିଟି ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନରେ ବୃଦ୍ଧି ଘଟିଥିବା ମନ୍ତ୍ରୀ କହିଛନ୍ତି। ୨୦୨୧-୨୨ରେ ୯,୮୯,୮୪୨ ଟନ୍ ମାଛ ଉତ୍ପାଦନ ହୋଇଥିବା ବେଳେ ୨୦୨୨-୨୩ରେ ୧୦,୫୨,୧୦୨ ଟନ୍ ଓ ୨୦୨୩-୨୪ରେ ୧୧,୨୩,୫୦୪ ଟନ୍ ମାଛ ଉତ୍ପାଦନ ହୋଇଛି। ମୋଟ ମତ୍ସ୍ୟ ସମ୍ପଦ ଉତ୍ପାଦନରେ ସାମୁଦ୍ରିକ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଭାଗ ଅଧିକ ରହିଛି। ୨୦୨୩-୨୪ରେ ୨,୨୬,୯୫୩ ଟନ୍ ସାମୁଦ୍ରିକ ଜୀବ ଉତ୍ପାଦନ ହୋଇଥିଲା। ଭାରତୀୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍ପେଡା) ତଥ୍ୟ ଅନୁସାରେ ରାଜ୍ୟରୁ ୮୪,୨୩୧ ଟନ୍ ପ୍ରକ୍ରିୟାକରଣ ମାଛ ଜାପାନ, ଆମେରିକା, ୟୁରୋପ, ଚୀନ୍, ଦକ୍ଷିଣ ପୂର୍ବ ଏସିଆ ଓ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ପଠାଯାଇଛି।
ଆମ୍ବ ଉତ୍ପାଦନରେ କୋରାପୁଟ ଆଗରେ
ଭୁବନେଶ୍ବର: ରାଜ୍ୟରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ଆମ୍ବ ଉତ୍ପାଦନ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ତଥ୍ୟ ଅନୁସାରେ ୨୦୨୩-୨୪ରେ ରାଜ୍ୟରେ ୮,୮୮,୩୨୫.୯୯ ଟନ୍ ଆମ୍ବ ଉତ୍ପାଦନ ହୋଇଥିଲା। ସେଥିରୁ ସର୍ବାଧିକ ୧,୦୨,୮୦୨ ଟନ୍ ଆମ୍ବ କୋରାପୁଟରେ ଉତ୍ପାଦନ ହୋଇଛି। ଏହା ବ୍ୟତୀତ କଳାହାଣ୍ଡିରେ ୬୧,୦୦୩ ଟନ୍, ସୁନ୍ଦରଗଡ଼ରେ ୫୭,୬୫୨ ଟନ୍, କନ୍ଧମାଳରେ ୫୫,୬୭୯ ଟନ୍, ବଲାଙ୍ଗୀରରେ ୫୧,୧୮୧ ଟନ୍, ମୟୂରଭଞ୍ଜରେ ୫୩,୮୯୮ ଟନ୍, ଗଞ୍ଜାମରେ ୪୧୭୩୪ ଟନ୍ ଓ ଅନୁଗୁଳରେ ୩୫୨୯୮ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ରାଜ୍ୟରେ ଆମ୍ରପଲ୍ଲୀ, ଦଶେରୀ, ବେଙ୍ଗନପଲ୍ଲୀ, ଲେଙ୍ଗାରା, ତୋଟାପୁରୀ କିସମର ଆମ୍ବ ବ୍ୟାପକ ଭାବେ ଚାଷ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।