ଓଡ଼ିଶାର ଜିଏସ୍‌ଟି ଆଦାୟ ୪୩% ବଢ଼ିଲା: ମଦ ‌ଓ ପେଟ୍ରୋଲରୁ ୭୬୦ କୋଟି ଭାଟ୍‌, ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ

ଜିଏସଟି ପରିସରକୁ ଆସିଲେ ୩୭୨୭ ଜଣ

ଭୁବନେଶ୍ବର: ଡିସେମ୍ବରରେ ରାଜ୍ୟର ଜିଏସଟି ରାଶି ୪୦୮୦.୧୪ କୋଟି ଟଙ୍କା ରହିଥିବାବେଳେ ପେଟ୍ରୋଲିୟମ ଏବଂ ମଦରୁ ଭାଟ୍ ବାବଦରେ ୭୫୯.୭୨ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦ ଡିସେମ୍ବର ତୁଳନାରେ ଏଥିରେ ୯.୮୭% ବୃଦ୍ଧି ଘଟିଛି। ପେଟ୍ରୋଲିୟମ ଉତ୍ପାଦ ଉପରୁ  ୫୫୮.୮୫ କୋଟି ଏବଂ ମଦରୁ ୧୭୦.୬୭ କୋଟିର ଭାଟ୍ ଆଦାୟ ହୋଇଛି। ୨୦୨୦ ଡିସେମ୍ବରରେ ଏ ବାବଦରେ ଯଥାକ୍ରମେ ୫୫୮.୮୫ କୋଟି ଓ ୧୩୨.୬୧ କୋଟି ଆଦାୟ ହୋଇଥିଲା। ଅର୍ଥାତ ଉପରୋକ୍ତ ଦୁଇ କ୍ଷେତ୍ରର ଭାଟ୍ ଆଦାୟରେ ଯଥାକ୍ରମେ ୫.୪୦% ଓ ୨୮.୭୦% ବୃଦ୍ଧି ଦେଖିବାକୁ ମିଳିଛି। ଓଡ଼ିଶାର ଜିଏସ୍‌ଟି ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ୨୦୨୦ ଡିସେମ୍ବର ତୁଳନାରେ ଜିଏସଟି ରାଶିରେ ୪୩% ବୃଦ୍ଧି ଘଟିଛି। ରାଜ୍ୟରେ ମୋଟ ୪୦୮୦.୧୪ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି। ଦେଶର ପ୍ରମୁଖ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଆଦାୟ ଗତ ୪ ମାସ ହେଲା ସର୍ବାଧିକ ରହିଛି। କେବଳ ସେତିକି ନୁହେଁ, ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହେବାଠାରୁ ଗତମାସର ଜିଏସ୍‌ଟି ରାଶି ଦ୍ବିତୀୟ ସର୍ବାଧିକ ରହିଛି।
୨୦୨୧ ବର୍ଷରେ ଡିସେମ୍ବର ସୁଦ୍ଧା ରାଜ୍ୟର ଜିଏସ୍‌ଟି ଆଦାୟ ୩୨୧୩୩ କୋଟିରେ ପହଞ୍ଚିଛି, ଯାହାକି ୨୦୨୦ ବର୍ଷରେ ଡିସେମ୍ବର ସୁଦ୍ଧା ୨୦୦୮୯ କୋଟି ଟଙ୍କା ରହିଥିଲା। ଅର୍ଥାତ୍ ଉକ୍ତ ସମୟ ମଧ୍ୟରେ ରାଜ୍ୟର ଜିଏସ୍‌ଟି ଆଦାୟରେ ୬୦% ବୃଦ୍ଧି ଘଟିଛି। ଡିସେମ୍ବରରେ ଓଜିଏସଟି ଆଦାୟ ରାଶିରେ ୪୬.୧୮% ବୃଦ୍ଧି ଘଟି ୧୧୧୮.୬୫ କୋଟି ଟଙ୍କା ରହିଛି। ୨୦୨୦ ଡିସେମ୍ବରରେ ଏହି ରାଶି ୭୬୫.୨୬ କୋଟି ଟଙ୍କା ରହିଥିଲା। ଦେଶରେ ଜିଏସଟି କାର୍ଯ୍ୟକାରୀ ହେବା ଦିନଠାରୁ ଗତ ଡିସେମ୍ବର ମାସର ଓଜିଏସଟି ଆଦାୟ ତୃତୀୟ ସର୍ବାଧିକ ରହିଛି। ଏଥିସହିତ ସିଜିଏସଟି ଆଦାୟ ରାଶି ୯୭୩.୭୦ କୋଟି, ଆଇଜିଏସଟି ୧୨୬୭.୬୩ କୋଟି ଏବଂ ସେସ୍ ରାଶି ୭୨୦.୦୭ କୋଟି ଟଙ୍କା ରହିଛି। ଡିସେମ୍ବରରେ ଇ-ୱେଲ ସୃଷ୍ଟି କ୍ଷେତ୍ରରେ ୧୫ ପ୍ରତିଶତ ବୃଦ୍ଧି ଘଟି ଏହା ୧୬.୨୧ ଲକ୍ଷ ରହିଛି। ଜିଏସଟି ଆଦାୟରେ ଯେଉଁ ଉଚ୍ଚବୃଦ୍ଧି ଦେଖାଦେଇଛି ତାହା ମୁଖ୍ୟତଃ ଖଣି ଏବଂ ଉତ୍ପାଦନ କ୍ଷେତ୍ର ଯୋଗୁ ହୋଇଛି। ବିଭିନ୍ନ କ୍ଷେତ୍ରର ଶୀର୍ଷ ୧୦୦ ଜିଏସଟି ପ୍ରଦାନକାରୀଙ୍କ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି ଖଣି କ୍ଷେତ୍ରରୁ ୮୫୯୫ କୋଟି ଟଙ୍କାର ମୋଟ ରାଜସ୍ବ (ସିଜିଏସଟି, ଏସଜିଏସଟି, ଆଇଜିଏସଟି ଏବଂ ସେସ୍‌) ଆଦାୟ ହୋଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ଜିଏସଟି ପ୍ରଦାନକାରୀଙ୍କ ଠାରୁ ୪୭୧୪ କୋଟି ଟଙ୍କାର ଟିକସ ଆଦାୟ ହୋଇଥିଲା। ଅର୍ଥାତ୍ ଖଣି କ୍ଷେତ୍ରର ଟିକସ ଆଦାୟରେ ୮୩% ବୃଦ୍ଧି ଘଟିଛି। ଗତବର୍ଷ ଲୁହାପଥର ଖଣି ନିଲାମ ସଫଳତାର ସହ ହେବା ଦ୍ବାରା ରାଜସ୍ବରେ ଏହି ବୃଦ୍ଧି ଦେଖାଦେଇଛି। ସେହିଭଳି ଉତ୍ପାଦନ ବା ମାନୁଫାକଚରିଂ ‌କ୍ଷେତ୍ରର ୧୦୦ ଜଣ ବଡ଼ ଟିକସଦାତାଙ୍କ ବିଶ୍ଳେଷଣରୁ ଜଣାଯାଇଛି ଯେ  ଚଳିତ ଆର୍ଥିକବର୍ଷରେ ଏହି କ୍ଷେତ୍ରର ରାଜସ୍ବ ଆଦାୟ ପୂର୍ବବର୍ଷ ତୁଳନାରେ ୧୪୨% ବଢ଼ି ୮୧୫୭.୯୩ କୋଟି ଟଙ୍କାରେ ପହଞ୍ଚିଛି। ଇସ୍ପାତ ଓ ଅନ୍ୟ ଧାତୁ ମୂଲ୍ୟରେ ହୋଇଥିବା ବୃଦ୍ଧି ଯୋଗୁ ଟିକସ ଆଦାୟରେ ବୃଦ୍ଧି ଘଟିଛି। ସେହିଭଳି ସେବା, ଟ୍ରେଡିଂ ଏବଂ ୱାର୍କସ କଣ୍ଟ୍ରାକ୍ଟ କ୍ଷେତ୍ରରେ ଡିସେମ୍ବରରେ ଜିଏସଟି ଆଦାୟ ରାଶି ଯଥାକ୍ରମେ ୭୨%, ୮୯% ଓ ୪୬% ରହିଛି।

ଜିଏସଟି ପରିସରକୁ ଆସିଲେ ୩୭୨୭ ଜଣ
ସମ୍ଭାବ୍ୟ ଟିକସଦାତାଙ୍କୁ ଜିଏସଟି ଓ ପେସାଦାର ଟିକସଦାତା ପରିସରଭୁକ୍ତ କରିବା ପାଇଁ ରାଜ୍ୟରେ ଦୁଇମାସିଆ ସ୍ବତନ୍ତ୍ର ଅଭିଯାନ ହୋଇଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ଟିକସ ଅଧିକାରୀମାନେ ପାଖାପାଖି ୧୯୦୦୦ ଲୋକଙ୍କୁ ଯୋଗାଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୩୭୨୭ ଜଣ ଜିଏସଟି ପରିସରକୁ ଏବଂ ୩୩୦୫ ଜଣଙ୍କୁ ପେସାଦାର ଟିକସ ପରିସରକୁ ଆସିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫,୭୨୪ ଜଣ ନୂଆ ଟିକସଦାତାଙ୍କୁ ଜିଏସ୍‌ଟି ପରିସରକୁ ଅଣାଯାଇଛି। ଏଥିସହିତ ରିଟର୍ଣ୍ଣ ଦାଖଲ କରୁ ନଥିବାରୁ ଚଳିତ ଆର୍ଥିକ ବର୍ଷରେ ୧୧୪୮୨ ଜଣଙ୍କ ବିରୋଧରେ ବିଭାଗୀୟ ଆକଳନ ଆରମ୍ଭ ହୋଇଛି। ବାଣିଜ୍ୟିକ ଟିକସ ଏବଂ ଜିଏସଟି କମିସନର ସୁଶୀଲ କୁମାର ଲୋହାନି ରାଜ୍ୟରେ ଅତିକମ୍‌ରେ ୯୦ ପ୍ରତିଶତ ରିଟର୍ଣ୍ଣ ଦାଖଲକୁ ନିଶ୍ଚିତ କରିବା ସହିତ ଟିକସ ପ୍ରଦାନରେ ଖିଲାପ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର