ଓଡ଼ିଶାର ମୁଦ୍ରାସ୍ଫୀତି ମୁକାବିଲା ପ୍ରଶଂସନୀୟ: ପିଡବ୍ଲୁସି

ଭୁବନେଶ୍ବରରେ ଖୋଲିଲା କାର୍ଯ୍ୟାଳୟ

ଭୁବନେଶ୍ବର: ଓଡ଼ିଶାର ଅର୍ଥନୀତି ପ୍ରତି ଖଣି ଓ ମାନୁଫାକ୍‌ଚରିଂ କ୍ଷେତ୍ରର ଅବଦାନ ଅଧିକ ରହୁଥିବା ବେଳେ ସେବା କ୍ଷେତ୍ର ସାମାନ୍ୟ ପଛୁଆ ରହିଛି। ଏହି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି ବୋଲି ପ୍ରାଇସ୍‌ ୱାଟର୍‌ହାଉସ କୁପର୍ସ (ପିଡବ୍ଲୁସି) ଇଣ୍ଡିଆର ଅଧ୍ୟକ୍ଷ ସଞ୍ଜୀବ କ୍ରିଷ୍ଣନ କହିଛନ୍ତି। ଭୁବନେଶ୍ବରରେ ପିଡବ୍ଲୁସିର ନୂତନ କାର୍ଯ୍ୟାଳୟ ଖୋଲଯାଇଥିବା ବିଷୟରେ ଘୋଷଣା କରିବାକୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟର ଅର୍ଥନୀତି ଉପରେ ନିଜ ମତ ରଖିଥିଲେ। ସେ କହିଲେ, ଜାତୀୟ ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ଅଧିକ ରହୁଥିବା ବେଳେ ତାହା ଦୁଇ ଅଙ୍କ ସ୍ତରରେ ମଧ୍ୟ ରହୁଛି। ସାରା ଦେଶରେ ଦରଦାମ୍ ସ୍ଥିତି ବେଲଗାମ ରହିଥିବା ବେଳେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଓଡ଼ିଶାର ଉଦ୍ୟମ କିନ୍ତୁ ବେଶ ପ୍ରଶଂସନୀୟ। ଏହି ରାଜ୍ୟର ବିତ୍ତୀୟ ଶୃଙ୍ଖଳା ଉନ୍ନତ ସ୍ଥିତିରେ ରହିଛି। ଖଣି ଏକ ପ୍ରମୁଖ କ୍ଷେତ୍ର ହୋଇଥିଲେ ମଧ୍ୟ ଷ୍ଟାର୍ଟଅପ୍, ସବୁଜ ଶକ୍ତି ଓ ଇଲେକ୍ଟ୍ରିକ୍ ଯାନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସବୁଜ ଶକ୍ତି ଲାଗି ରାଜ୍ୟ ପ୍ରସ୍ତୁତ କରିଥିବା ନୀତି ଯୋଗୁଁ ଏହା ଜାତୀୟ ସ୍ତରରେ ଅନ୍ୟତମ ପ୍ରମୁଖ ଭୂମିକା ନିର୍ବାହ କରିବା ଭଳି ସ୍ଥିତିରେ ରହିବ ବୋଲି ଶ୍ରୀ କ୍ରିଷ୍ଣନ କହିଛନ୍ତି।

ଓଡ଼ିଶାର ପ୍ରତିଭା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ ବହୁ ପ୍ରତିଭାବାନ ଓଡ଼ିଆ ବେଙ୍ଗାଲୁରୁରେ କାର୍ଯ୍ୟ କରୁଛନ୍ତି। ଏହା ଦ୍ବାରା କର୍ଣ୍ଣାଟକ ଅର୍ଥନୀତି ଉପକୃତ ହେଉଛି। ସେଭଳି ପ୍ରତିଭାଙ୍କୁ କିଭଳି ଓଡ଼ିଶା ଫେରାଇ ଅଣାଯାଇପାରିବ ଓ ନୂଆ ପ୍ରତିଭାମାନଙ୍କୁ କିଭଳି ରାଜ୍ୟ ଭିତରେ ସୁଯୋଗ ମିଳିବ ତାହା ଉପରେ ଗୁରୁତ୍ବ‌ ଦେଇ ପିଡବ୍ଲୁସି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ରାଜ୍ୟ ପାଇଁ ଘରୋଇ ନିବେଶର ଆବଶ୍ୟକତା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ ମାନୁଫାକ୍‌ଚରିଂ କ୍ଷେତ୍ରରେ ବହୁ ବଡ଼ ବଡ଼ କଂପାନି ଓଡ଼ିଶାରେ ଶିଳ୍ପ କାରଖାନା ପ୍ରତିଷ୍ଠା କରିଛନ୍ତି। ଏଠାରେ ଅଧିକାଂଶ ନିବେଶ ପ୍ରାଥମିକ ସ୍ତରରେ ହେଉଛି। ରାଜ୍ୟ ଆହୁରି ଆଗକୁ ବଢ଼ିବାକୁ ହେଲେ ମାଧ୍ୟମିକ ନିବେଶ ଜରୁରୀ ବୋଲି ସେ କହିଛନ୍ତି। ରାଜ୍ୟରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରାଜ୍ୟ ଭିତରେ ମୂଲ୍ୟ ଯୋଗ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଜ୍ୟରେ କଂପାନି ଆସନ୍ତା ତିନି ବର୍ଷରେ ୫୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ପିଡବ୍ଲୁସି ଇଣ୍ଡିଆର ଅଫିସ୍ ମ୍ୟ‌ାନେଜିଂ ପାର୍ଟନର ଅମୂଲ୍ୟ ପଟ୍ଟନାୟକ ଓ ଚିଫ୍‌ କମ୍ୟୁନିକେସନ ଅଫିସର ନନ୍ଦିନୀ ଚାଟାର୍ଜୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର