ଭୁବନେଶ୍ୱର: ବିକଶିତ ଭାରତର ମେରୁଦଣ୍ଡ ଓଡ଼ିଶାର ଖଣିଜ ସମ୍ପଦ। ବିଶେଷକରି ବକ୍ସାଇଟ୍, ଲୁହାପଥର ଓ କୋଇଲା ପ୍ରଭୃତି ଖଣିଜ ସମ୍ପଦର ସଦ୍ବିନିଯୋଗ ଓଡ଼ିଶାରେ ପୁଞ୍ଜିନିବେଶ, ନିଯୁକ୍ତି, ଭିତ୍ତିଭୂମି ଏବଂ ବିଶ୍ୱ ପ୍ରତିଯୋଗିତାକୁ ଆଗେଇ ନେଇପାରିବ। ଓଡ଼ିଶାର ଆତ୍ମନିର୍ଭରତା ଏବଂ ସମୃଦ୍ଧି ହିଁ ଭାରତର ବିକଶିତ ଯାତ୍ରାକୁ ଶକ୍ତି ପ୍ରଦାନ କରୁଛି ବୋଲି ଏଆଇଡିଇଏନ୍ଟିର ଶ୍ୱେତପତ୍ର ଉନ୍ମୋଚନ ସମାରୋହରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ମତ ରଖିଛନ୍ତି।
ଲୋକକୈନ୍ଦ୍ରିକ ଅଭିବୃଦ୍ଧିରେ ପରିବର୍ତ୍ତନ କରିପାରିଲେ ଆଗାମୀ ପିଢ଼ିର ଓଡ଼ିଆମାନେ କେବଳ ସମୃଦ୍ଧ ମାଟିର ଐତିହ୍ୟ ନୁହେଁ, ବରଂ ଅନ୍ତର୍ଭୁକ୍ତିମୂଳକ ପ୍ରଗତି, ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଏବଂ ସ୍ଥାୟୀ ସମୃଦ୍ଧିର ଐତିହ୍ୟ ପାଇବେ। ଓଡ଼ିଶାର ଖଣିଜ ସମ୍ପଦ ଶିଳ୍ପାୟନ ଏବଂ ଆଞ୍ଚଳିକ ଉନ୍ନତି ପାଇଁ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି ବୋଲି ମୁଖ୍ୟ ଅତିଥି ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଡକ୍ଟର ଜୟଦେବ ଷଡ଼ଙ୍ଗୀ ଏଆଇଡିଇଏନଟି( ଆନ୍ ଇନିସିଏଟିଭ୍ ଫର୍ ଡେଭଲପ୍ମେଣ୍ଟ୍ ଆଣ୍ଡ୍ ଏମ୍ପଏମେଣ୍ଟ) ଦ୍ୱାରା ପ୍ରସ୍ତୁତ ଶ୍ୱେତପତ୍ର ଉନ୍ମୋଚନ କରି କହିଥିଲେ। ସେ କହିଥିଲେ, ନିୟାମକ ସଂସ୍କାର, ଖଣିଜ କରିଡର ଏବଂ ଉତ୍ପାଦନ କ୍ଲଷ୍ଟରରେ ମଧ୍ୟକାଳୀନ ନିବେଶ ଏବଂ ସବୁଜ ଆଲୁମିନିୟମ, ଇସ୍ପାତ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଏକ କେନ୍ଦ୍ର ଭାବରେ ଦୀର୍ଘକାଳୀନ ସମୃଦ୍ଧି ସୁପାରିସ କରାଯାଇଛି।
ଶେତ୍ବପତ୍ରରେ କୁହାଯାଇଛି, ବକ୍ସାଇଟ୍ର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଉନ୍ମୋଚନ କରିବା ଦ୍ୱାରା ୧୦ ହଜାରରୁ ଅଧିକ କ୍ଷୁଦ୍ରଶିଳ୍ପ ସଶକ୍ତ ହୋଇପାରିବ। ୨.୪ ନିୟୁତ ନିଯୁକ୍ତି ସୃଷ୍ଟି ହୋଇପାରିବ। ରାଜ୍ୟକୁ ବହୁ-ବିଲିଅନ ଡଲାରର ନିବେଶ ଆସିପାରିବ। ରିପୋର୍ଟର ସୁପାରିସଗୁଡ଼ିକ ଓଡ଼ିଶାକୁ ଶିଳ୍ପ ବିପ୍ଳବର କେନ୍ଦ୍ରସ୍ଥଳ କରିପାରିବ ବୋଲି ଏଆଇଡିଇଏନ୍ଟିର ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ସଂଜୀବ କେ ସିଂହ କହିଥିଲେ। କାର୍ଯ୍ୟକ୍ରମରେ ଏଆଇଡିଇଏନ୍ଟିର ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ସଞ୍ଜୀବ ସିଂହ, କର୍ତ୍ତବ୍ୟ( ସେଣ୍ଟର ଫର୍ ସୋସିଆଲ ଇନୋଭେସନ୍) ପ୍ରତିଷ୍ଠାତା ଡକ୍ଟର ପ୍ରଭାସ ରଞ୍ଜନ ମିଶ୍ର, ଆଇଆଇଟି ଭୁବନେଶ୍ୱର ଅର୍ଥନୀତିରେ ସହଯୋଗୀ ପ୍ରଫେସର ଡକ୍ଟର ଦୁଃଖବନ୍ଧୁ ସାହୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନର ସହାୟକ ପ୍ରଫେସର ଡକ୍ଟର ସିପ୍ରା ସାଗରିକା ଓ ଖଣି ପୂର୍ବତନ ସହକାରୀ ନିର୍ଦେଶକ ଉମେଶ ଜେନା ନିଜ ମତ ରଖିଥିଲେ।