ଭୁବନେଶ୍ବର: ଦୀର୍ଘଦିନ ଧରି ଲଗାତାର ଭାବେ ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ହୋଇରହିଛି। ବିଶେଷ କରି ଖୁଚୁରା ବଜାର ଦର ଖାଉଟିମାନଙ୍କୁ ପ୍ରବଳ ବାଧୁଛି। ସେଥିପାଇଁ ଦେଶର କିଛି ପ୍ରମୁଖ ମହଙ୍ଗା ବଜାର ତାଲିକାରେ ଓଡ଼ିଶା ନାମ ସବୁବେଳେ ରହୁଛି। ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଦରଦାମ୍‌ ଉପରେ ଲଗାମ କଷିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ସଚିବ ସୌରଭ ଗର୍ଗ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ କହିଛନ୍ତି। ମୁଦ୍ରାସ୍ଫୀତି ହ୍ରାସ କରିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଗତବର୍ଷ ନଭେମ୍ବର ମାସର ମୁଦ୍ରାସ୍ଫୀତି ତଥ୍ୟକୁ ଆଧାର କରି କେନ୍ଦ୍ର ସଚିବ ଶ୍ରୀ ଗର୍ଗ ଓଡ଼ିଶାକୁ ମନେ ପକାଇ ଦେଇଛନ୍ତି ଯେ ରାଜ୍ୟରେ ପନିପରିବା, ଶସ୍ୟ, ତେଲ ଓ ଫଳ ଦାମ୍‌ ଅଧିକ ରହୁଛି। ଉଚ୍ଚ ଦରଦାମ୍‌ ରାଜ୍ୟର ଅର୍ଥନୀତି ସମେତ ଦେଶର ଅର୍ଥନୀତିର ଗତିକୁ ପ୍ରଭାବିତ କରୁଛି।‌ ତେଣୁ ଏହି ସମସ୍ୟାର ତ୍ବରିତ ସମାଧାନ ଲାଗି ଉଦ୍ୟମ କରିବାକୁ ସେ ଓଡ଼ିଶା ସରକାରଙ୍କୁ କହିଛନ୍ତି। 

Advertisment

ନିକଟରେ ଜାରି ହୋଇଥିବା ଜାନୁଆରି ମାସର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁସାରେ ଓଡ଼ିଶା ଦେଶର ତୃତୀୟ ମହଙ୍ଗା ବଜାର ରହିଛି। ଏହାର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୫ ପ୍ରତିଶତ ରହିଛି ଯାହା ଜାତୀୟ ହାର ୪.୩୧ ପ୍ରତିଶତଠାରୁ ଅଧିକ। ଓଡ଼ିଶାରେ ଦରଦାମ୍‌କୁ ନେଇ ରହିଥିବା ସବୁଠୁ ବଡ଼ ଚିନ୍ତା ହେଉଛି, ଏଠାରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ସ୍ଥିତି ଅସମ୍ଭାଳ ରହିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ୬.୭୯ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ତାହା ୪.୦୭ ପ୍ରତିଶତ ରହିଛି। ୨୦୨୪ ନଭେମ୍ବରରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୬.୭୮ ପ୍ରତିଶତ ଓ ଡିସେମ୍ବରରେ ୬.୯୬ ପ୍ରତିଶତ ଥିଲା। ଗ୍ରାମୀଣ ବଜାର ମୁଖ୍ୟତଃ କୃଷିଜାତ ସାମଗ୍ରୀ ଉପରେ ନିର୍ଭରଶୀଳ। ସେଠାରେ ବିଭିନ୍ନ ଜିନିଷର ଦାମ୍‌ ଅଧିକ ରହିବାର ଅର୍ଥ କୃଷି କ୍ଷେତ୍ର ଚାପରେ ରହିଥିବା ବୁଝିବାକୁ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। 
୨୦୨୩ରୁ ୨୦୨୪ ମଧ୍ୟରେ ଲଗାତାର ଆଠ ମାସ ପର୍ଯ୍ୟନ୍ତ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତରୁ ଅଧିକ ଥିଲା। ଶେଷ ଥର ପାଇଁ ୨୦୨୩ ଜୁନ୍‌ରେ ତାହା ୩.୭୫ ପ୍ରତିଶତକୁ ଖସିଥିଲା। କିନ୍ତୁ କିଛି ମାସ ପରେ ସେହିବର୍ଷ ଡିସେମ୍ବର ସୁଦ୍ଧା ତାହା ୮.୭୩ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଉଥିଲା। 

ଓଡ଼ିଶାର ପଡ଼ୋଶୀ ରାଜ୍ୟ ଯଥା ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ଖୁଚୁରା ବଜାର ନିୟନ୍ତ୍ରଣରେ ଥିବା ବେଳେ ଆଳୁଠାରୁ ଆରମ୍ଭ କରି ମାଛ ପର୍ଯ୍ୟନ୍ତ ଅନେକ ସାମଗ୍ରୀ ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ରହୁଥିବାରୁ ଓଡ଼ିଶାରେ ଦରଦାମ୍‌ ଅଧିକ ରହୁଛି। ଦର କମାଇବା ଲାଗି ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ଖାଦ୍ୟସାମଗ୍ରୀରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଗତ କିଛି ମାସ ଧରି ରାଜ୍ୟର ଆଳୁ ଓ ପିଆଜ ଦାମ୍‌ ଉଚ୍ଚା ରହିଛି।