ଏମ୍ଏସ୍‌ଏମ୍ଇ ବିଶ୍ବବିଦ୍ୟାଳୟ ଖୋଲିବାକୁ ଓଡ଼ିଶାର ପ୍ରସ୍ତାବ, କେନ୍ଦ୍ରର ୩ ସଚିବଙ୍କୁ ଭେଟିଲେ ରାଜ୍ୟ ଏମ୍ଏସ୍‌ଏମ୍ଇ ସଚିବ

ଭୁବନେଶ୍ବର ଓଡ଼ିଶାରେ ଏକ ଏମ୍ଏସ୍ଏମ୍‌ଇ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ଏମ୍ଏସ୍‌ଏମ୍ଇ ସଚିବ ବି ବି ସ୍ବାଇଁଙ୍କ ସହ ଆଲୋଚନା ବେଳେ ରାଜ୍ୟ ଏମ୍ଏସ୍‌ଏମ୍ଇ ସଚିବ ସତ୍ୟବ୍ରତ ସାହୁ ଏହି ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ସିଟିଟିସି ଭଳି ଆଉ ୫ଟି ବୈଷୟିକ କେନ୍ଦ୍ର ସ୍ଥାପନ କରିବା, ପ୍ରତି ଶିଳ୍ପାଞ୍ଚଳ ପାଇଁ ୫୦ କୋଟି ଟଙ୍କା ଲେଖାଏଁ ପାଣ୍ଠି ମଞ୍ଜୁର କରିବା ଏବଂ ଓଡ଼ିଶାରେ ୫୦ଟି ସ୍ଫୁର୍ତ୍ତି କ୍ଲଷ୍ଟର ଖୋଲିବା ଲାଗି ସେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ସ୍ଫୁର୍ତ୍ତି କ୍ଲଷ୍ଟରଗୁଡ଼ିକ ରାଜ୍ୟର ପାରମ୍ପରିକ ଶିଳ୍ପ ଓ ଶିଳ୍ପୀମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବ। ପ୍ରତି କ୍ଲଷ୍ଟର (ପୁଞ୍ଜ)କୁ ୨ରୁ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ।

ଏହି ଅବସରରେ ଶ୍ରୀ ସାହୁ କେନ୍ଦ୍ର ବ୍ୟାଙ୍କିଙ୍ଗ୍‌ ସଚିବ ଡକ୍ଟର ଦେବାଶିଷ ପଣ୍ଡାଙ୍କୁ ଭେଟି ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଯୋଜନା ଓ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା ଅଧୀନରେ ରାଜ୍ୟରେ ଅଧିକ ଋଣ ଦେବା ନିମନ୍ତେ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେବା ଲାଗି ଅନୁରୋଧ କରିଛନ୍ତି। ଧାନ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ଏଠାରୁ ଧାନ ଆସିଆନ୍ ରାଷ୍ଟ୍ରଗୁଡ଼ିକୁ ରପ୍ତାନି କରିବା ଲାଗି ସୁଯୋଗ ସୃଷ୍ଟି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ କଣ୍ଟେନର ନିଆଅଣା, ଜାହାଜ ଚଳାଚଳ ଓ କଣ୍ଟେନର ମନୋନୀତ ସୁବିଧା ଦିଆଗଲେ ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶାର ନିର୍ଭରଶୀଳତା କମିବ ବୋଲି ସେ କହିଛନ୍ତି। ଭୁବନେଶ୍ବର ଠାରେ ଥିବା ରାଜ୍ୟର ଏକମାତ୍ର ଏୟାର କାର୍ଗୋକୁ ରପ୍ତାନି ଉଦ୍ଦେଶ୍ୟରେ ଯୋଡ଼ିବା ଲାଗି ଶ୍ରୀ ସାହୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଜଣେ ଅଭିଜ୍ଞ ବିଦେଶ ବାଣିଜ୍ୟ ଅଧିକାରୀଙ୍କୁ ଓଡ଼ିଶା ପାଇଁ ନିଯୁକ୍ତ କରିବାକୁ ସେ କହିଛନ୍ତି।

ସେହିପରି, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ସଚିବ ପୁଷ୍ପା ସୁବ୍ରମଣ୍ୟମ୍‌ଙ୍କୁ ସାକ୍ଷାତ କରି ଶ୍ରୀ ସାହୁ କହିଛନ୍ତି ଯେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ପିଏମ୍ଏଫ୍ଏମ୍‌ଇ ଋଣ ଦେବା ବେଳେ ଜମି ପଟ୍ଟାର ଯେଉଁ ନିୟମ ରହିଛି ତାହା କୋହଳ ହେବା ଦରକାର। କାରଣ ଗୋଷ୍ଠୀ ନାମରେ ଜମି ପଟ୍ଟା ନଥିବାରୁ ସେମାନେ ଏହି ଋଣ ପାଇବାରେ ସମସ୍ୟା ଭୋଗୁଛନ୍ତି। ଝାରସୁଗୁଡ଼ା ସ୍ଥିତ ବଜରଙ୍ଗ କୃଷକ ଉତ୍ପାଦକ ସଂଘ କ୍ଷେତ୍ରରେ ରିହାତି ଲାଭ ପାଇଁ ଯୋଗ୍ୟତା କୋହଳ କରିବାକୁ ମଧ୍ୟ ‌ଶ୍ରୀ ସାହୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମତୀ ସୁବ୍ରମଣ୍ୟମ୍ ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିବା ସହ ପିଏମ୍ଏଫ୍‌ଏମଇରେ ଓଡ଼ିଶାର ଅଗ୍ରଗତିକୁ ପ୍ରଶଂସା ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର