ଓଡ଼ିଶା ଦରଦାମ ସ୍ଥିତି ଜାତୀୟ ସ୍ତରଠୁ ଖରାପ: ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୮.୧%

ଯୁଦ୍ଧ ପାଇଁ ଦରଦାମ୍‌ରେ ୫୯% ବୃଦ୍ଧି: ଏସ୍‌ବିଆଇ

ନୂଆଦିଲ୍ଲୀ: ଦରଦାମ ସ୍ଥିତି ଏବେ ଏକ ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଥିବା ବେଳେ କିଛି ରାଜ୍ୟରେ ଏହି ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ଚାରିଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୯ ପ୍ରତିଶତରୁ ଅଧିକ ହୋଇଯାଇଛି। ଅନ୍ୟ ସାତଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୮%ରୁ ଅଧିକ ରହିଛି। ସେହି ତାଲିକାରେ ଓଡ଼ିଶାର ନାମ ରହିଛି। ଏପ୍ରିଲ୍‌ରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୮.୧% ରହିଛି ଯାହା ଜାତୀୟ ହାର ୭.୮ ପ୍ରତିଶତରୁ ଅଧିକ। ଏହି ରାଜ୍ୟଗୁଡ଼ିକୁ ଦରଦାମ୍ ସ୍ଥିତିର ମୁକାବିଲା ଲାଗି ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ସର୍ବୋଚ୍ଚ ସ୍ତର ୭.୮% ହୋଇଯିବାରୁ କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ଅଚାନକ ୦.୪% ବୃଦ୍ଧି କରିଥିଲା। ଜୁନ୍‌ ମାସରେ ହେବାକୁ ଥିବା ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ଆହୁରି ବଢ଼ିବ ବୋଲି କୁହାଯାଉଛି। ଉପଭୋକ୍ତା ମୂଲ୍ୟ ସୂଚୀ ବା ଖୁଚୁରା ମୁଦ୍ରାସ୍ଫାତି ହାର ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ହରିୟାଣା ଓ ତେଲେଙ୍ଗାନାରେ ୯%ରୁ ଅଧିକ ରହିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଥିବାରୁ ଏହି ସବୁ ରାଜ୍ୟଗୁଡ଼ିକରେ ବିଭିନ୍ନ ସାମଗ୍ରୀ ଦର ଏପ୍ରିଲ୍ ମାସରେ ବଢ଼ିଛି ବୋଲି କୁହାଯାଉଛି। ବହୁ ରାଜ୍ୟରେ ଦରଦାମ୍ ସ୍ଥିତି ବେଲଗାମ ହୋଇଥିବା ବେଳେ କେରଳ ଓ ତାମିଲନାଡୁରେ କିନ୍ତୁ ତାହା ୫% ଭଳି ନିମ୍ନ ସ୍ତରରେ ରହିଛି।

ଶେଷ ଥର ଲାଗି ୨୦୧୪ ମେ’ରେ ଦେଶର ମୁଦ୍ରାସ୍ଫୀତି ହାର ୮.୩୩% ଭଳି ଉଚ୍ଚ ସ୍ତରରେ ଥିଲା। ଆଠ ବର୍ଷ ପରେ ତାହା ପୁଣି ସେହି ସ୍ତରକୁ ଫେରିଛି ଯାହା ରିଜର୍ଭ ବ୍ୟାଙ୍କର ଚିନ୍ତା ବଢ଼ାଇଛି। ଏପ୍ରିଲ୍‌ରେ ଗ୍ରାମାଞ୍ଚଳର ମୁଦ୍ରାସ୍ଫୀତି ହାର ୮.୪% ଭଳି ଉଚ୍ଚ ସ୍ତରରେ ଥିବା ବେଳେ ସହରାଞ୍ଚଳରେ ତାହା ଅପେକ୍ଷାକୃତ କମ୍ ୭.୧% ରହିଛି। ଖାଦ୍ୟ ସାମଗ୍ରୀ ଦରବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳରେ ଦରଦାମ୍ ସ୍ଥିତି ବେଲଗାମ ହୋଇଛି। କିନ୍ତୁ ସହରାଞ୍ଚଳରେ ଇନ୍ଧନ ଓ ଯାତାୟାତ ମୂଲ୍ୟ ବୃଦ୍ଧିର ପ୍ରଭାବ ଅଧିକ ରହିଛି। ଅନ୍ୟ ପକ୍ଷରେ କିଛି ରାଜ୍ୟରେ ତେଲ ଉପରେ ଭାଟ୍‌ ଅଧିକ ଥିବାରୁ ସେଠାରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ଅଧିକ ରହିଛି। ତାହାର ପ୍ରଭାବରେ ମଧ୍ୟ ବିଭିନ୍ନ ସାମଗ୍ରୀ ମହଙ୍ଗା ହୋଇଥିବା କୁହାଯାଉଛି।

ଯୁଦ୍ଧ ପାଇଁ ଦରଦାମ୍‌ରେ ୫୯% ବୃଦ୍ଧି: ଏସ୍‌ବିଆଇ
ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିରେ ହୋଇଥିବା ବୃଦ୍ଧିର ୫୯% କାରଣ ହେଉଛି ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗବେଷଣା ଟିମ୍‌ ଜାରି କରିଥିବା ଇକୋରାପ୍ ରିପୋର୍ଟ‌ରେ ଏହା କୁହାଯାଇଛି। ଏହି ସ୍ଥିତିରେ ଶୀଘ୍ର ସୁଧାର ହେବାର ସମ୍ଭାବନା କମ୍ ଥିବା ମଧ୍ୟ କୁହାଯାଇଛି। ଫେବ୍ରୁଆରି ପରଠାରୁ ମୁଦ୍ରାସ୍ଫୀତିରେ ହୋଇଥିବା ବୃଦ୍ଧିରେ ୫୨% ଅବଦାନ ଖାଦ୍ୟ, ପାନୀୟ, ଇନ୍ଧନ, ବିଦ୍ୟୁତ ଓ ପରିବହନ ଖର୍ଚ୍ଚରେ ହୋଇଥିବା ବୃଦ୍ଧିର ରହିଛି। ଯଦି ଏଥିରେ ସାବୁନ, ତେଲ, ଡିଟରଜେଣ୍ଟ୍‌ ଭଳି ଏଫ୍ଏମ୍‌ସିଜି ଉତ୍ପାଦଗୁଡ଼ିକ ଦାମ୍‌ରେ ହୋଇଥିବା ବୃଦ୍ଧିକୁ ମିଶାଇ ଦିଆଯିବ ତେବେ ମୁଦ୍ରାସ୍ଫୀତି ବୃଦ୍ଧି ପ୍ରତି ତାହାର ଅବଦାନ ୫୯%କୁ ବୃଦ୍ଧି ପାଇବ। କେବଳ ଯୁଦ୍ଧ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର