ଓଡ଼ିଶାର ବେକାରୀ ହାର ୯.୭%କୁ ବୃଦ୍ଧି, ଫେବ୍ରୁଆରିରେ ଥିଲା ୧%

ଭୁବନେଶ୍ବର: ଦେଶର ସର୍ବନିମ୍ନ ବେକାରୀ ହାର ପାଇଁ ମାସକ ପୂର୍ବେ ପ୍ରଶଂସା ସାଉଁଟିଥିବା ଓଡ଼ିଶାରେ ପୁଣି ବେକାରୀ ସମସ୍ୟା ବୃଦ୍ଧି ପାଇଛି। ସାରା ଦେଶରେ ବେକାରଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଓଡ଼ିଶାରେ କିନ୍ତୁ ବଢ଼ିଛି। ମାର୍ଚ୍ଚରେ ଓଡ଼ିଶାର ବେକାରୀ ହାର ୯.୭%କୁ ବୃଦ୍ଧି ପାଇଛି ଯାହା ଫେବ୍ରୁଆରି ମାସରେ ମାତ୍ର ୧% ଥିଲା। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଫେବ୍ରୁଆରି ମାସରେ ଓଡ଼ିଶାର ବେକାରୀ ହାର ସାରା ଦେଶରେ ସର୍ବନିମ୍ନ ଥିଲା। ମାର୍ଚ୍ଚରେ ଏହା ୧୭ତମ ସ୍ଥାନରେ ରହି ଦୁର୍ବଳ ପ୍ରଦର୍ଶନ କରିଛି।

କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ଦ୍ରୁତ ସୁଧାର ହେଉଥିବାରୁ ମାର୍ଚ୍ଚରେ ସର୍ବଭାରତୀୟ ବେକାରୀ ହାର ୭.୬ ପ୍ରତିଶତକୁ ହ୍ରାସ ପାଇଛି। ଫେବ୍ରୁଆରିରେ ତାହା ୮.୧୦% ଥିଲା। ଏପ୍ରିଲ୍‌ ୨ ସୁଦ୍ଧା ଦେଶର ବେକାରୀ ହାର ୭.୫%କୁ ହ୍ରାସ ପାଇଛି। ସହରାଞ୍ଚଳ ବେକାରୀ ହାର ୮.୫% ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୭.୧ ପ୍ରତିଶତ ରହିଛି। ଶ୍ରମ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ ଭାରତରେ ବେକାରୀ ହାର ହ୍ରାସ ପାଉଛି, କିନ୍ତୁ ଏକ ଗରିବ ରାଷ୍ଟ୍ର ହୋଇଥିବାରୁ ଏହି ହାରକୁ ଯଥେଷ୍ଟ ଅଧିକ ବୋଲି ବିଚାର କରାଯିବ। ବେକାରୀ ସ୍ଥିତିରେ ସୁଧାର ଏହି ସଙ୍କେତ ଦେଉଛି ଯେ ଦୁଇ ବର୍ଷ ଧରି କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିର କ୍ଷତ ଶୁଖିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଗ୍ରାମାଞ୍ଚଳରେ ଲୋକମା‌ନେ ଦୀର୍ଘଦିନ ପର୍ଯ୍ୟନ୍ତ ବେକାର ରହି ବଞ୍ଚିବା ଅତ୍ୟନ୍ତ କଷ୍ଟକର। ତେଣୁ ଯାହା ବି କାମ ମିଳୁଛି ତାହା କରିବା ଲାଗି ସେମାନେ ଆଗ୍ରହ ଦେଖାଉଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଦେଶରେ ହରିୟାଣାର ବେକାରୀ ହାର ସର୍ବାଧିକ ୨୬.୭ ପ୍ରତିଶତ ରହିଥିବା ବେଳେ ଏହା ପଛକୁ ରହିଛି ରାଜସ୍ଥାନ(୨୫%), ଜମ୍ମୁ ଓ କାଶ୍ମୀର (୨୫%), ବିହାର (୧୪.୪%) ଓ ତ୍ରିପୁରା (୧୪.୧%)। ଛତିଶଗଡ଼ର ବେକାରୀ ହାର ସର୍ବନିମ୍ନ ୦.୬% ରହିଛି। ଗୁଜରାଟର ବେକାରୀ ହାର ୧.୮%, କର୍ଣ୍ଣାଟକର ୧.୮%, ମେଘାଳୟ ୧.୮% ଓ ମଧ୍ୟପ୍ରଦେଶର ବେକାରୀ ହାର ୧.୪% ଭଳି ନିମ୍ନ ସ୍ତରରେ ରହିଛି।

ସମ୍ବନ୍ଧିତ ଖବର