ଓଡ଼ିଶାର ବେକାରି ହାର ୧.୮%, ଜାତୀୟ ହାରଠୁ କମ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ ଓଡ଼ିଶାର ବେକାରି ହାର ୧.୮% ଥିଲା। ଏହା ଜାତୀୟ ହାର ୬.୫୭% ଠାରୁ ବହୁତ କମ୍ ରହିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି। ଗତବର୍ଷ ଡିସେମ୍ବରରେ ଦେଶର ବେକାରି ହାର ୭.୯୧% ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଜାନୁଆରିରେ ସେଥିରେ ଦ୍ରୁତ ସୁଧାର ଘଟିଛି। ଜାନୁଆରିରେ ସହରାଞ୍ଚଳରେ ଏହି ହାର ୮.୧୬% ଥିବା ବେଳେ ଗ୍ରାମାଞ୍ଚଳରେ ୫.୮୪% ରହିଛି। ଓମିକ୍ରନ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ‌ନିଯୁକ୍ତି ସ୍ଥିତିରେ ସୁଧାର ହେଉଛି।

ତେଲେଙ୍ଗାନାର ବେକାରି ହାର ସବୁଠୁ କମ୍ ୦.୭% ରହିଛି। ଏହା ପଛକୁ ରହିଛନ୍ତି ଗୁଜରାଟ (୧.୨%), ମେଘାଳୟ (୧.୫%) ଓ ଓଡ଼ିଶା (୧.୮%)। ହରିୟାଣାର ବେକାରି ହାର ସର୍ବାଧିକ ୨୩.୪% ରହିଛି। ରାଜସ୍ଥାନରେ ଏହି ହାର ୧୮.୯% ରହିଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି। ସାରା ଦେଶରେ ୨୦୨୧ ଡିସେମ୍ବରରେ ବେକାର ଲୋକଙ୍କ ସଂଖ୍ୟା ୫.୩ କୋଟି ଥିଲା। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିଲା। ସିଏମ୍‌ଆଇଇର ଏମ୍‌ଡି ଓ ସିଇଓ ମହେଶ ବ୍ୟାସ କହିଛନ୍ତି ଯେ ଡିସେମ୍ବର ମାସରେ ଯେତିକି ଲୋକ ନିଯୁକ୍ତି ସନ୍ଧାନରେ ଥିଲେ ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ବା ୮୦ ଲକ୍ଷ ଥିଲେ ମହିଳା। ଦେଶ ପାଇଁ ଆଉ ଏକ ବଡ଼ ଆହ୍ବାନ ହେଉଛି କର୍ମ କ୍ଷେତ୍ରରେ ପ୍ରବେଶ କରିଥିବା ୧ କୋଟି ୭୦ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା। ସେମାନେ ନିଜ ପ୍ରଥମ ନିଯୁକ୍ତି ସନ୍ଧାନରେ ରହିଛନ୍ତି।

ସମ୍ବନ୍ଧିତ ଖବର