‘ଓଡ଼ିଶାର ମହିଳା ସଶକ୍ତୀକରଣ ମଡେଲ୍‌ ଦେଶରେ ଶ୍ରେଷ୍ଠ’ ୧୦ ଜଣଙ୍କୁ ଫିକି-ଏଫ୍ଏଲ୍‌ଓ ଓମେନ୍ସ ପୁରସ୍କାର

ଭୁବନେଶ୍ବର: ମହିଳାମାନଙ୍କ ସଶକ୍ତୀକରଣକୁ ରାଜ୍ୟ ସରକାର ପ୍ରାଥମିକତା ହେଉଛନ୍ତି। ମିଶନ ଶକ୍ତି ହେଉଛି ଏକ ପ୍ରମୁଖ ମଡେଲ୍‌ ଯାହା ସଫଳତାର ସହିତ ଆଠ ଲକ୍ଷରୁ ଅଧିକ ମହିଳାଙ୍କୁ ପରିବାରର ଚାରି କାନ୍ଥରୁ ବାହାରକୁ ଆଣି ସାମାଜିକ ଓ ଅର୍ଥନୈତିକ ଉନ୍ନତି ପଥରେ ଅଗ୍ରସର କରାଇଛି। ଗ୍ରାମୀଣ ଓଡ଼ିଶାର ମହିଳାମାନେ ରାଜ୍ୟ ଅଭିବୃଦ୍ଧିର ପ୍ରମୁଖ ଭାଗୀଦାରୀ ଭାବେ ଉଭା ହୋଇଛନ୍ତି। ମେକ୍ ଇନ୍ ଓଡ଼ିଶା, ଷ୍ଟାର୍ଟଅପ୍ ଓଡ଼ିଶା ଓ ସ୍କିଲ୍‌ଡ ଇନ୍ ଓଡ଼ିଶା ଭଳି ଅଭିଯାନ ମାଧ୍ୟମରେ ରାଜ୍ୟର ଅଧିକରୁ ଅଧିକ ମହିଳା ଉଦ୍ୟୋଗୀରେ ପରିଣତ ହୋଇପାରିଛନ୍ତି। ଓଡ଼ିଶାର ମହିଳା ସଶକ୍ତୀକରଣ ମଡେଲ୍‌ ଦେଶର ଶ୍ରେଷ୍ଠ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଫିକି-ଏଫ୍‌ଏଲ୍‌ଓ ଓଡ଼ିଶା ପୁରସ୍କାର ସମାରୋହକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟର ମହିଳାମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରୁଛନ୍ତି। ଦେଶର ପ୍ରମଖ ରାଜ୍ୟ ଭାବେ ଓଡ଼ିଶା ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ଆବଣ୍ଟନ କରିଛି। ୨୦୧୧ ପରଠାରୁ ପଞ୍ଚାୟତ ଓ ପୌରସଂସ୍ଥାରେ ୫୦%ରୁ ଅଧିକ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ତୃଣମୂଳ ସ୍ତର ଠାରୁ ଆରମ୍ଭ କରି ବରିଷ୍ଠ ପଦପଦବୀ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ସେମାନଙ୍କ ଦକ୍ଷତା, ପ୍ରତିଭା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ଉତ୍ସାହିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ଫିକି-ଏଫ୍‌ଏଲ୍‌ଓକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଛନ୍ତି। ଏହି ଅବସରରେ ସେ ମହିଳା ସଶକ୍ତୀକରଣ ଉପରେ ପ୍ରସ୍ତୁତ ପଲିସି ବ୍ରିଫ୍‌କୁ ଉନ୍ମୋଚନ କରିଛନ୍ତି। ମହିଳାମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଯଥା ସମ୍ଭବ ଶ୍ରେଷ୍ଠ ନୀତି ଓ କାର୍ଯ୍ୟକ୍ରମ ଆଣିବା ପ୍ରକ୍ରିୟା ଆମ ସରକାର ଜାରି ରଖିବ ବୋଲି ସେ କହିଛନ୍ତି।
ଏହି ଅବସରରେ ୧୦ ଜଣଙ୍କୁ ଫିକି-ଏଫ୍‌ଏଲ୍‌ଓ ଓମେନ୍ସ ଆୱାର୍ଡସ୍‌ ପ୍ରଦାନ କରାଯାଇଛି। କୋଭିଡ୍‌ ଯୋଦ୍ଧା ଲିଲି ସ୍ବାଇଁ, ସାମାଜିକ ପ୍ରଭାବ ପାଇଁ ଅର୍ପିତା ପଟ୍ଟନାୟକ, ଲଘୁ ଉଦ୍ୟୋଗରେ ମାନସୀ ବେହେରା, କ୍ରୀଡ଼ାରେ ପଦ୍ମିନୀ ରାଉତ, ପରିବେଶରେ ଅଂଶୁ ପ୍ରଜ୍ଞା ଦାସ‌, ଷ୍ଟାର୍ଟଅପ୍‌ରେ ସ୍ମିତା ଦାସ, ଏମ୍‌ଏସ୍‌ଏମ୍‌ଇରେ ପିୟାଲି ଦେ, ଗଣମାଧ୍ୟମ ଓ ମନୋରଞ୍ଜନରେ ଡାଏନା ସାହୁ, ରାଜନୀତିରେ ପ୍ରମିଳା ବି‌ଶୋୟୀ ଓ ବୃହତ ଉଦ୍ୟୋଗ ବର୍ଗରେ ରଶ୍ମୀ ସାହୁଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ଫିକି-ଏଫ୍ଏଲ୍‌ଓର ଜାତୀୟ ସଭା‌ନେତ୍ରୀ ଜାହ୍ନବି ଫୋକନ୍ ଓ ଭୁବନେଶ୍ବରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର