ଓଇସିଡିର ଆକଳନ: ସବୁଠୁ ଆଗରେ ରହିବ ଭାରତ

୧୨.୬% ବେଗରେ ଦୌଡ଼ିବ, ଜି-୨୦ ରାଷ୍ଟ୍ର ମଧ୍ୟରେ ଅଗ୍ରଣୀ ସ୍ଥାନରେ ରହିବ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ବର ଅର୍ଥନୀତିକୁ ଗତବର୍ଷ କବଳିତ କରି ରଖିଥିଲା। ମାତ୍ର ଟିକା ବାହାରିବା ପରେ ସ୍ଥିତିରେ ଦ୍ରୁତ ସୁଧାର ହେଉଛି। ଚଳିତ ବର୍ଷ ବିଶ୍ବ ଅର୍ଥନୀତି ୫.୬% ହାରରେ ଆଗକୁ ବଢ଼ିବ ବୋଲି ପ୍ୟାରିସ୍‌ର ସଂସ୍ଥା ଓଇସିଡି ଆକଳନ କରିଛି। ଭାରତ ସମ୍ପର୍କରେ ଏହା କହିଛି ଯେ ଭାରତୀୟ ଅର୍ଥନୀତି ଚମତ୍କାର ପ୍ରତ୍ୟାବର୍ତ୍ତନ କରିବ। ଏହା ଦ୍ରୁତ ଗତିରେ ଆଗକୁ ବଢ଼ିବ। ଭାରତର ଅଭିବୃଦ୍ଧି ୨୦୨୧-୨୨ରେ ୧୨.୬% ରହିବ। ଜି-୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ସବୁଠୁ ଆଗରେ ରହିବ ବୋଲି ଓଇସିଡି ଆକଳନ କରିଛି। ଏହା ସହିତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ମଧ୍ୟ ଭାରତ ଫେରିପାଇବ ବୋଲି ଏହି ସଂସ୍ଥା ଆକଳନ କରିଛି।

କରୋନା ସଂକ୍ରମଣ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (୨୦୨୦ ଏପ୍ରିଲ୍-ଜୁନ୍‌)ରେ ୨୩.୯% ହ୍ରାସ ପାଇବା ପରେ ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ଭାରତୀୟ ଅର୍ଥନୀତି। ହ୍ରାସର ମାତ୍ରାକୁ ଏହା ୭.୩% ପର୍ଯ୍ୟନ୍ତ ଖସାଇ ଦେଇଥିଲା। ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର)ରେ ୦.୦୪%ର ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିବାରେ ଏହା ସଫଳ ହୋଇଛି।
ଓଇସିଡିର ମୁଖ୍ୟ ଅର୍ଥନୀତିଜ୍ଞ ଲରେନ୍ସ ବୋନି କହିଛନ୍ତି ‌ଯେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ପଡ଼ିବ।

ଅନ୍ୟଥା ବିଭିନ୍ନ ଦେଶର ସରକାର ଯେଉଁ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହାର ଉପଯୁକ୍ତ ଲାଭ ମିଳିବ ନାହିଁ। ଦ୍ରୁତ ଗତିରେ ଟିକାକରଣ କରିବା ଲାଗି ସେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଯେତେଶୀଘ୍ର ଲୋକମାନଙ୍କ ଜୀବନ ସ୍ବାଭାବିକ ହେବ ସେତେ ଶୀଘ୍ର ଅର୍ଥନୀତିରେ ସୁଧାର ହେବ ବୋଲି ସେ କହିଛନ୍ତି। ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ବିଶ୍ବ ଅର୍ଥନୀତି ସୁଧାର ପଥକୁ ଫେରିଆସିବ। କିନ୍ତୁ ବିଭିନ୍ନ ଦେଶର ପ୍ରଦର୍ଶନ ଭିନ୍ନ ଭିନ୍ନ ରହିବ। ଟିକାକରଣ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେଉଥିବା ବେଳେ ଆମେରିକା ସରକାର ଘୋଷଣା କରିଥିବା ୧.୯ ଲକ୍ଷ କୋଟି ଡଲାରର ପ୍ରୋତ୍ସାହନ ପ୍ୟାକେଜ୍‌ର ପ୍ରଭାବ ମଧ୍ୟ ବିଭିନ୍ନ ଦେଶରେ ଦେଖିବାକୁ ମିଳିବ। ଆମେରିକା ଅର୍ଥନୀତି ୬.୫% ହାରରେ ଆଗକୁ ବଢ଼ିବ। ଆମେରିକାର ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଭାବରେ କାନାଡା, ମେକ୍ସିକୋ, ୟୁରୋ ମୁଦ୍ରା ପ୍ରଚଳନ ହେଉଥିବା ଅଞ୍ଚଳ ଓ ଚୀନ୍‌ର ଅଭିବୃଦ୍ଧି ବଢ଼ିବ ବୋଲି ଓଇସିଡି ଆକଳନ କରିଛି। ଓଇସିଡିର ଆକଳନ ଅନୁସାରେ ୨୦୨୧-୨୨ରେ ଚୀନ୍‌ ୭.୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ଯାହା ଭାରତର ୧୨.୬% ଅଭିବୃଦ୍ଧି ଠାରୁ ବହୁତ କମ୍। ଫଳରେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ହାସଲ କରିବ।

ସମ୍ବନ୍ଧିତ ଖବର