ଶସ୍ତା ବିମାନ ଟିକଟ ବୁକିଂ ପାଇଁ ବାବୁଙ୍କୁ ପରାମର୍ଶ: ୩ ସପ୍ତାହ ପୂର୍ବରୁ ଟିକଟ କାଟିବେ
ନୂଆଦିଲ୍ଲୀ: ଅଯଥା ଖର୍ଚ୍ଚ କମ୍ କରିବା ଲାଗି ସବୁଠୁ ସୁଲଭ ମୂଲ୍ୟରେ ଉପଲବ୍ଧ ଥିବା ବିମାନ ଟିକଟ ବୁକିଂ କରିବା ଲାଗି ବାବୁମାନଙ୍କୁ ଅର୍ଥ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଯାତ୍ରାର ଅତିକମ୍ରେ ତିନି ସପ୍ତାହ ପୂର୍ବରୁ ଟିକଟ ବୁକିଂ କରିବାକୁ ସେମାନଙ୍କୁ କୁହାଯାଇଛି। ସେମାନେ କେବଳ ତିନି ସ୍ବୀକୃତିପ୍ରାପ୍ତ ଏଜେଣ୍ଟ ବାଲ୍ମର ଲରି ଆଣ୍ଡ୍ କୋ, ଅଶୋକ ଟ୍ରାଭେଲ୍ ଆଣ୍ଡ୍ ଟୁର୍ସ ଓ ଆଇଆର୍ସିଟିସି ଜରିଆରେ ଟିକଟ ବୁକିଂ କରିପାରିବେ। ପ୍ରତି ଥର ଯାତ୍ରା ପାଇଁ ସେମାନେ ଗୋଟିଏ ଟିକଟ କାଟିବେ। ଏକାଧିକ ଟିକଟ ବୁକିଂ ପାଇଁ ଅନୁମତି ଦିଆଯାଇନାହିଁ। ମାତ୍ର କେତେକ ସ୍ବତନ୍ତ୍ର ମାମଲାରେ ଅତିବେଶିରେ ଦୁଇଟି ଟିକଟ ବୁକିଂ କରିବାର ଅନୁମତି ଦିଆଯାଇଛି।
ଟୁର କାର୍ଯ୍ୟକ୍ରମ ଅନୁମୋଦନ ମିଳିବାକୁ ଯାଉଥିବା ବେଳେ ସେମାନେ ଟିକଟ ବୁକିଂ କରିପାରିବେ, କିନ୍ତୁ ଅଯଥାରେ ଟିକଟ ବାତିଲ କରିବାକୁ ସେମାନେ ଏଡ଼ାଇବେ। ଯଦି କୌଣସି ବାବୁ ଟୁର୍ରେ ଯିବାର ୭୨ ଘଣ୍ଟାରୁ କମ୍ ସମୟ ପୂର୍ବରୁ ଟିକଟ ବୁକିଂ କରିବେ କିମ୍ବା ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଟିକଟ ବାତିଲ କରିବେ ସେଥିପାଇଁ ସେମାନଙ୍କୁ ଏକ ଘୋଷଣାନାମା ଜରିଆରେ ତାହାର କାରଣ ଜଣାଇବାକୁ ପଡ଼ିବ। ଟ୍ରାଭେଲ୍ ଏଜେଣ୍ଟ୍ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଯାତ୍ରାର ୩୦ ଦିନ ଭିତରେ ଦେବା ଲାଗି ବ୍ୟୟ ବିଭାଗ ପକ୍ଷରୁ ସବୁ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକୁ କୁହାଯାଇଛି। ଯାତ୍ରା କରିବାକୁ ଥିବା ବାବୁମାନେ ୭୨ ଘଣ୍ଟା ପୂର୍ବରୁ ଏକ ସାର୍ଟିଫିକେଟ୍ କିମ୍ବା ଅଣ୍ଡରଟେକିଂ ଜରିଆରେ ସେମାନେ ଯାତ୍ରା କରୁଛନ୍ତି ବୋଲି ଜଣାଇବେ।