ଭୁବନେଶ୍ବର: କନ୍ଧମାଳର ବାଲିଗୁଡ଼ାରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍ପିସି) ୭୮୭.୪୮ କୋଟି ଟଙ୍କା ବିନିଯୋଗରେ ଏକ ୬୩ ମେଗାୱାଟ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବ। ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ ୬୧୩୪.୫୨ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୨୭ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ। ଅଗ୍ରଣୀ ହୋଟେଲ୍ ବ୍ରାଣ୍ଡ୍ ଆଇଟିସି ପକ୍ଷରୁ ପୁରୀର ସିପସରୁବାଲିରେ ୧୪୮.୩୯ କୋଟି ଟଙ୍କା ନିବେଶରେ ଏକ ପଞ୍ଚ ତାରକା ‘ୱେଲ୍କମ୍ ହୋଟେଲ୍’ ସ୍ଥାପନ କରାଯିବ। ପ୍ରିମିୟର୍ ଏକ୍ସପ୍ଲୋସିଭ୍ ରାୟଗଡ଼ାରେ ୮୬୪ କୋଟି ଟଙ୍କା ନିବେଶରେ ପ୍ରତିରକ୍ଷା ବିସ୍ଫୋରକ ସାମଗ୍ରୀ ଉତ୍ପାଦନ କରିବ। ଏସ୍ଏମ୍ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍ଚରାଲ୍ ସମ୍ବଲପୁରର ରେଙ୍ଗାଲିରେ ୮୯୩ କୋଟି ଟଙ୍କା ନିବେଶରେ ଏକ ଆଲୁମିନିୟମ କଏଲ୍, ବ୍ୟାଟେରି ଫଏଲ୍ କାରଖାନା ସ୍ଥାପନ କରିବ।
ଟେକ୍ସମାକୋ ରେଲ୍ ଆଣ୍ଡ୍ ଇଞ୍ଜିନିୟରିଂ ପକ୍ଷରୁ ପାରାଦୀପରେ ୪୩୮.୯୨ କୋଟି ଟଙ୍କା ନିବେଶରେ ରେଳ ବଗି ଓ କପ୍ଲର୍ କାରଖାନା ସ୍ଥାପନ କରାଯିବ। ପ୍ରିମିୟମ୍ ଟ୍ରାନ୍ସମିସନ୍ ଖୋର୍ଦ୍ଧାରେ ୫୫୫ କୋଟି ଟଙ୍କା ନିବେଶ କରି ଶିଳ୍ପ ଟ୍ରାନ୍ସମିସନ ଓ ଅକ୍ଷୟ ଶକ୍ତି ଉପକରଣ ନିର୍ମାଣ କରିବ। ଆଲ୍ମାମେଟ୍ ପକ୍ଷରୁ ଯାଜପୁରର କଳିଙ୍ଗନଗରଠାରେ ୫୦.୬୦ କୋଟି ଟଙ୍କା ନିବେଶରେ ଏକ ମ୍ୟାଗ୍ନେସିୟମ୍ ଗ୍ରାନୁଲ୍ସ କାରଖାନା ସ୍ଥାପନ କରାଯିବ। ଟିଆଇଏମ୍ଏବି ମ୍ୟାଗ୍ନେସିୟମ୍ ପକ୍ଷରୁ ଖୋର୍ଦ୍ଧାରେ ୯୦ କୋଟି ଟଙ୍କା ବିନିଯୋଗ କରି ମ୍ୟାଗ୍ନେସିଆ ରିଫ୍ରାକ୍ଟରି ଉତ୍ପାଦନ କରାଯିବ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଇଣ୍ଡୋ ନିସିନ୍ ଫୁଡ୍ସ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ନିବେଶରେ ଏକ ପିପି କପ୍ ଉତ୍ପାଦନ କାରଖାନା ବସାଇବ। ସେହିପରି, ପ୍ଲାଷ୍ଟିକ୍ କ୍ଷେତ୍ରରେ ମାଗ୍ପେଟ୍ ପଲିମର ଖୋର୍ଦ୍ଧାରେ ୧୭୫ କୋଟି ଟଙ୍କା ନିବେଶ କରିବ।
ଆଜିର ବୈଠକରେ ବହୁ ବୟନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏମ୍ଏଏଫ୍ କ୍ଲଥିଙ୍ଗ୍ସ, ଏସ୍ଏପିଏଲ୍ ଇଣ୍ଡଷ୍ଟ୍ରିଜ୍, ମିନୁ କ୍ରିଏସନ୍ ଏଲ୍ଏଲ୍ପି, ପୂଜା ଇଣ୍ଟରନ୍ୟାସନାଲ୍, ସୋନୁ ଏକ୍ଜିମ୍, ରେନ୍ବୋ ଫ୍ୟାବାର୍ଟ, ବି ଏଲ୍ ଇଣ୍ଟରନ୍ୟାସନାଲ୍, ଫାଇନ୍ ଲାଇନ୍ସ ଓ କ୍ୟାନ୍ବର୍ଗ ଗ୍ଲୋବାଲ୍ ସୋର୍ସିଂ ଭଳି କମ୍ପାନି ପକ୍ଷରୁ ଖୋର୍ଦ୍ଧା ଓ ପୁରୀରେ ମିଳିତ ଭାବେ ୫୮୯.୭୮ କୋଟି ଟଙ୍କା ବିନିଯୋଗ କରି ରେଡିମେଡ୍ ପୋଷାକ ନିର୍ମାଣ କାରଖାନା ସ୍ଥାପନ କରାଯିବ। ପ୍ରୁନାମା ଷ୍ଟିଲ୍ ସୁନ୍ଦରଗଡ଼ରେ ୫୪.୭୦ କୋଟି ଟଙ୍କା, ଏମ୍ଏସ୍ପି ସ୍ପଞ୍ଜ ଆଇରନ୍ କେନ୍ଦୁଝରରେ ୧୫୦ କୋଟି ଟଙ୍କା, ଶ୍ରୀ ମେଟାଲିକ୍ସ କେନ୍ଦୁଝରରେ ୧୪୭ କୋଟି ଟଙ୍କା, ସୁରଜ ପ୍ରଡକ୍ଟସ୍ ସୁନ୍ଦରଗଡ଼ରେ ୯୮.୫୦ କୋଟି ଟଙ୍କା ନିବେଶ କରିବେ। ସେହିପରି, ଇଏସ୍ଡିଏମ୍ କ୍ଷେତ୍ରରେ ଜୁପିଟର ଇଣ୍ଟରନ୍ୟାସନାଲ୍ ଖୋର୍ଦ୍ଧାରେ ୨୫୦ କୋଟି ଟଙ୍କା ନିବେଶ କରିବ। ଆଇଟି ଭିତ୍ତିଭୂମିରେ ପ୍ରଫେକ୍ଟସ୍ ଟେକ୍ନୋଲୋଜି ସଲ୍ୟୁସନ୍ସ ଓ ଉମଙ୍ଗ କୋଲ୍ଡ ଷ୍ଟୋରେଜ୍ ୭୦୯.୧୩ କୋଟି ଟଙ୍କା ନିବେଶ କରିବେ।