ଭୁବନେଶ୍ୱର: ମହାନଦୀ ଅବବାହିକାରେ ତୈଳ ଓ ଗ୍ୟାସ୍ର ସନ୍ଧାନ ପାଇଁ ରାଜ୍ୟର ୮ଟି ଜିଲ୍ଲାରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସେସ୍ମିକ୍ ସର୍ବେକ୍ଷଣ କରାଯିବ। ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେସ୍ମିକ୍ ସର୍ବେକ୍ଷଣରେ ୨୨୦ କୋଟି ଟଙ୍କା ସମେତ ମୋଟ୍ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅଭିଯାନ ଆରମ୍ଭ କରିଛନ୍ତି। ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି) ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ସେସ୍ମିକ୍ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଶ୍ରୀ ପ୍ରଧାନ କହିଥିେଲ ଯେ ଅଏଲ ଇଣ୍ଡିଆ ଲିମିଟେଡ୍ ଓଏଏଲପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜି ଠାରୁ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଅନ୍ୱେଷଣ ସଫଳ ହେଲେ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ପରିବର୍ତ୍ତନର ବାର୍ତାବହ ଭାବେ ଉଭା ହେବ। ଏହି ଅଭିଯାନ ମହାନଦୀ ଅବବାହିକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ଓ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ନୂଆଦିଲ୍ଲୀ: ଦେଶରେ ୯୦୦ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି) ପ୍ଲାଣ୍ଟ୍ ସ୍ଥାପନ କରିବା ଲାଗି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ୮ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଜେବିଏମ୍ ଗ୍ରୁପ୍, ଆଦାନି ଗ୍ୟାସ୍, ଟୋରେଣ୍ଟ୍ ଗ୍ୟାସ୍ ଭଳି ସଂସ୍ଥା ଏହି ପ୍ଲାଣ୍ଟ୍ଗୁଡ଼ିକୁ ସ୍ଥାପନ କରିବେ। ଇଣ୍ଡିଆନ୍ ଅଏଲ୍, ପ୍ରାଜ୍ ଇଣ୍ଡଷ୍ଟ୍ରିଜ୍, ସିଇଆଇଡି କନସଲଟାଣ୍ଟ୍ ଓ ଭାରତ ବାୟୋ ଗ୍ୟାସ୍ ଏନର୍ଜି ପ୍ରଯୁକ୍ତି ଯୋଗାଇଦେବେ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୨୩-୨୪ ସୁଦ୍ଧା ଦେଶରେ ୫୦୦୦ ସିବିଜି ପ୍ଲାଣ୍ଟ୍ ସ୍ଥାପନ କରାଯିବ ଯେଉଁଥିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fgdjh54dg654j5dg6j4g65dj4gj654g65jdgjdgjgjjg.jpg)